ମୋଦି ସବୁଥିରେ ଫେଲ୍‌: ରାହୁଲ

ନୂଆଦିଲ୍ଲୀ: କେନ୍ଦ୍ରର ଏନଡିଏ ସରକାରଙ୍କ ୪ ବର୍ଷର କାର୍ଯ୍ୟକାଳର ସଫଳତାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ସମସ୍ତ କେନ୍ଦ୍ରମନ୍ତ୍ରୀ ରିପୋର୍ଟ କାର୍ଡ ପ୍ରଦାନ କରୁଥିବା ବେଳେ ଆଜି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ମୋଦି ସରକାରଙ୍କୁ ପରିହାସ କରି ରିପୋର୍ଟ କାର୍ଡ ପ୍ରଦାନ କରିଛନ୍ତି। ଆଜି ଟ୍ଵିଟ୍‌ କରି ରାହୁଲ ଏହିି ରିପୋର୍ଟ କାର୍ଡ ଦେଇଥିବା ବେଳେ ସବୁ ବିଷୟରେ କେନ୍ଦ୍ରର ଏନଡିଏ ସରକାରଙ୍କୁ ଫେଲ୍‌ ବୋଲି କହିଛନ୍ତି। ସରକାରଙ୍କୁ କଠୋର ସମାଲୋଚନା କରି ରାହୁଲ କହିଛନ୍ତି ଯେ କେବଳ ଦୁଇଟି ବିଷୟ- ସ୍ଳୋଗାନ ତିଆରି ଓ ନିଜସ୍ୱ ପ୍ରଚାରରେ ମୋଦି ସରକାରଙ୍କୁ ଏ+ ଗ୍ରେଡ ପ୍ରଦାନ କରାଯିବ। ତେବେ ରୋଜଗାର ସୃଷ୍ଟି, କୃଷି, ତୈଳଦର ନିୟନ୍ତ୍ରଣ ଓ ବିଦେଶ ନୀତିରେ ମୋଦି ସରକାର ଫେଲ୍‌ ହୋଇଛନ୍ତି ବୋଲି ରାହୁଲ କହିଛନ୍ତି। ଆଜିର ଦିନକୁ ‘ବିଶ୍ୱାସଘାତ ଦିବସ’ ଭାବେ ବିଭିନ୍ନ ରାଜ୍ୟରେ କଂଗ୍ରେସ ପାଳନ କରିଛି। କଂଗ୍ରେସ ନେତା ଗୁଲାମନବୀ ଆଜାଦ, ଅଶୋକ ଗେହଲଟ ଏବଂ ରଣଦୀପ ସୁରଜେଓ୍ଵାଲା ଆଜି ‘ଭାରତ ପ୍ରତାରିତ’ ନାମକ ଏକ ପୁସ୍ତିକାର ଉନ୍ମୋଚନ କରି କହିଛନ୍ତି ଯେ, ଏନଡିଏ ସରକାରଙ୍କ ୪ ବର୍ଷରେ ଦେଶରେ ଭୟ ଓ ଘୃଣାର ବାତାବରଣ ବୃଦ୍ଧି ପାଇଛି। ଏହି ପୁସ୍ତିକାରେ କଂଗ୍ରେସ ମୋଦି ସରକାରଙ୍କୁ ୪ ବର୍ଷର ୪୦ଟି ପ୍ରଶ୍ନକୁ ଉପସ୍ଥାପନ କରି ଜବାବ ମାଗିଛି। ମୋଦି ସରକାରଙ୍କ ଏହି ୪ ବର୍ଷକୁ ବିଶ୍ୱାସଘାତକତା, ଚତୁରତା, ପ୍ରତିଶୋଧ ଓ ମିଛ ଭଳି ୪ଟି ପର୍ଯ୍ୟାୟରେ ବିଭକ୍ତ କରାଯାଇପାରେ ବୋଲି ସେମାନେ କହିଛନ୍ତି। ମହିଳା, ଦଳିତ, ଆଦିବାସୀ ଓ ସଂଖ୍ୟାଲଘୁ ସମ୍ପ୍ରଦାୟଙ୍କ ଉପରେ ହେଉଥିବା ଆକ୍ରମଣକୁ ଇଙ୍ଗିତ କରି ଆଜାଦ କହିଛନ୍ତି ଯେ, ଏହି ସରକାରରେ କେହି ଶାନ୍ତିରେ ଶୋଇ ପାରୁନାହାନ୍ତି। ଏହାର ଜବାବରେ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିି ଏହି ୪ ବର୍ଷରେ ପରିବାରବାଦ, ଦୁର୍ନୀତି ଓ ସାମ୍ପ୍ରଦାୟିକ ରାଜନୀତିର ଅନ୍ତ ଘଟାଇଛନ୍ତି।

ସମ୍ବନ୍ଧିତ ଖବର