କଂଗ୍ରେସ ବିରୋଧରେ ଗର୍ଜିଲେ ମୋଦି:ଗୋଟିଏ ପରିବାରର ମହିମା ମଣ୍ଡନ ପାଇଁ ସମସ୍ତଙ୍କୁ ଅଣଦେଖା

ନୂଆଦିଲ୍ଲୀ: ମଧ୍ୟପ୍ରଦେଶ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଗାନ୍ଧୀ ପରିବାରର ନାମ ନନେଇ ଏହାକୁ କଡ଼ା ସମାଲୋଚନା କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଗୋଟିଏ ପରିବାରର ମହିମା ମଣ୍ଡନ କରିବା ପାଇଁ ଦେଶର ଅନେକ ମହାନ ସନ୍ତାନଙ୍କୁ ଅଣଦେଖା କରାଯାଇଛି। ଗୋଟିଏ ପରିବାର କେବେ ବି ଅନ୍ୟକୁ ଆଗକୁ ବଢ଼ିବାକୁ ସୁଯୋଗ ଦେଇନାହିଁ। ଦେଶର ସ୍ୱାଧୀନତା ଏବଂ ବିକାଶ କେବଳ ଗୋଟିଏ ପରିବାରର ଶ୍ରେୟ ବୋଲି କହୁଥିବା ନେତାଙ୍କୁ ଲୋକେ ଭଲଭାବେ ଚିହ୍ନି ସାରିଛନ୍ତି ବୋଲି ମୋଦି କହିଛନ୍ତି। ମୋଦି ମଧ୍ୟପ୍ରଦେଶର ରାଜଗଡ଼ ଜିଲ୍ଲାର ମୋହନପୁରରେ ଏକ ବୃହତ୍ତ ଜଳ ସେଚନ ଯୋଜନାକୁ ଲୋକାର୍ପଣ କରି କହିଥିଲେ ଯେ ବିଗତ ୪ ବର୍ଷ ମଧ୍ୟରେ ସରକାର ପ୍ରତ୍ୟେକ ବର୍ଗଙ୍କ କଲ୍ୟାଣ ପାଇଁ ଅହରହ କାର୍ଯ୍ୟ କରୁଛନ୍ତି। ପୂର୍ବ ସରକାରର ଯୋଜନା କାର୍ଯ୍ୟକାରୀ ହେଉନଥିବା ବେଳେ ଲୋକଙ୍କ କଲ୍ୟାଣ ପାଇଁ ଉପଯୁକ୍ତ ଧ୍ୟାନ ଦିଆଯାଉନଥିଲା। ତଥାପି କଂଗ୍ରେସ ଦଳ ଦଶନ୍ଧି ପରେ ଦଶନ୍ଧି ଦେଶରେ କ୍ଷମତାରେ ରହିଥିଲା। ଦେଶରେ କେବଳ ମିଥ୍ୟା ଓ ବିଭ୍ରାନ୍ତି ସୃଷ୍ଟି କରି ଲୋକଙ୍କୁ ଦିଗହରା କରିବାକୁ ଚାହୁଥିବା ନେତାମାନଙ୍କୁ ବାସ୍ତବତା ସଂପର୍କରେ କିଛି ଜଣାନାହିଁ ବୋଲି ସେ କହିଥିଲେ। ପ୍ରଧାନମନ୍ତ୍ରୀ ମୋଦି ଜନସଂଘ ପ୍ରତିଷ୍ଠାତା ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ବଳିଦାନକୁ ସ୍ମରଣ କରି କହିଥିଲେ ଯେ ତାଙ୍କ ଦ୍ୱାରା ହୋଇଥିବା ଭୂ ସଂସ୍କାର କାର୍ଯ୍ୟର ଚର୍ଚ୍ଚା ଆଜି ମଧ୍ୟ ହେଉଛି ।

ସମ୍ବନ୍ଧିତ ଖବର