୨୦୧୯ରେ ମୋଦିଙ୍କ ନେତୃତ୍ୱରେ ବିଜେପି ଗଢ଼ିବ ସରକାର: ଅମିତ ଶାହା

ଗୁଜରାଟ ଓ ହିମାଚଳରେ ବିଜପିର ବିଜୟ ପରେ ସାମ୍ବାଦିକ ସମ୍ମିଳନୀରେ ଶାହାଙ୍କ ପ୍ରତିକ୍ରିୟା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତୀୟ ଜନତା ପାର୍ଟି ଆଗାମୀ ୨୦୧୯ ସାଧାରଣ ନିର୍ବାଚନରେ ବିପୁଳ ବିଜୟ ଲାଭ କରି ସରକାର ଗଢ଼ିବ। ଗୁଜରାଟ ଓ ହିମାଚଳ ପ୍ରଦେଶରେ ବିଜେପିକୁ ବିଜୟ ମିଳବା ପରେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ସୋମବାର ସାମ୍ବାଦିକ ସମ୍ମିଳନୀରେ ଏହା କହିଛନ୍ତି। ଶାହା କହିଛନ୍ତି, ବର୍ତମାନ ବିଜେପି ୧୪ଟି ରାଜ୍ୟରେ କ୍ଷମତାରେ ଅଛି। ସେହିପରି ଏନ୍‌ଡିଏ ନେତୃତ୍ୱରେ ୫ଟି ଶାସନ କରୁଛି ବିଜେପି। ସମୁଦାୟ ୧୯ଟି ରାଜ୍ୟରେ ବିଜେପିର ପ୍ରଭାବ ରହିଛି। ତ୍ରିପୁରା, ମେଘାଳୟ, ମିଜୋରାମ ଓ କର୍ଣ୍ଣାଟକରେ ମଧ୍ୟ ପଦ୍ମ ଫୁଲ ଫୁଟିବ ବୋଲି ଶାହା କହିଛନ୍ତି। ୨୦୨୨ରେ ମୋଦିଙ୍କ ‘ନୂତନ ଭାରତ’ ସ୍ୱପ୍ନ ସତ ହେବ। ଆଗାମୀ ୪ ବର୍ଷ ପାଇଁ ବିଜେପିର ବିଜୟ ଜାରି ରହିବ ବୋଲି ଶାହା କହିଛନ୍ତି।

ଗୁଜରାଟ ନିର୍ବାଚନ ଫଳାଫଳ ନେଇ ଅମିତ ଶାହା କହିଛନ୍ତି, ୨୦୧୨ ତୁଳନାରେ ବିଜେପିକୁ ଶତପ୍ରତିଶତ ଭୋଟ ମିଳିଥିବାରୁ ଜନତାଙ୍କୁ ଧନ୍ୟବାଦ। ଜନତା ବିଜେପି ଉପରେ ଭରସା ରଖିଛନ୍ତି। କଂଗ୍ରେସର ବଡ଼ ବଡ଼ ନେତା ନିର୍ବାଚନରେ ପରାଜୟ ସ୍ୱୀକାର କରିଛନ୍ତି। ୧୯୯୦ ପରେ ଭାରତୀୟ ଜନତା ପାର୍ଟି କେବେ ହାରି ନାହିଁ। ମୋଦି ସରକାର ଚାଷୀ, ଗରିବ, ଦଳିତ, ପଛୁଆ ବର୍ଗ, ମହିଳାଙ୍କ ବିକାଶ ପାଇଁ କାମ କରୁଛନ୍ତି। ନିର୍ବାଚନ ପ୍ରଚାର ବେଳେ କିଛି ଲୋକ ହସ୍ତକ୍ଷେପ କରିବାକୁ ଉଦ୍ୟମ କରିଥିଲେ କିନ୍ତୁ ଏହାର କୌଣସି ପ୍ରଭାବ ପଡ଼ି ନାହିଁ। ସୁରତ ଓ ମେହସେଣାରେ ଆମ ବିଜୟୀ ହୋଇଛୁ। ଜିଏସ୍‌ଟିକୁ ନେଇ ହୋଇଥିବା ଅପପ୍ରଚାରର କୌଣସି ପ୍ରଭାବ ନିର୍ବାଚନରେ ପଡ଼ି ନାହିଁ। ହିମାଚଳ ନିର୍ବାଚନ ଉପରେ ଶାହା କହିଛନ୍ତି ୨୦୧୨ ତୁଳନାରେ ୧୦ ପ୍ରତଶତ ଅଧିକ ଭୋଟ ବିଜେପିକୁ ମିଳିଛି।

ସମ୍ବନ୍ଧିତ ଖବର