ମୋଦିଙ୍କୁ ମିଳିଲା ଋଷିଆର ସର୍ବୋଚ୍ଚ ସମ୍ମାନ ଅର୍ଡର ଅଫ ସେଣ୍ଟ ଆଣ୍ଡ୍ର୍ୟୁ, ୬ଟି ଦେଶର ସର୍ବୋଚ୍ଚ ସମ୍ମାନ ପାଇସାରିଲେଣି ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : କିଛି ଦିନ ତଳେ ୟୁଏଇର ସର୍ବୋଚ୍ଚ ବେସାମରିକ ସମ୍ମାନ ଜାୟେଦ ମେଡାଲ ପାଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅନ୍ତର୍ଜାତୀୟ ସ୍ତରରେ ଆଉ ଏକ ସଫଳତା ହାସଲ କରିଛନ୍ତି । ତାଙ୍କୁ ଋଷିଆର ସର୍ବୋଚ୍ଚ ସମ୍ମାନ ଅର୍ଡର ଅଫ ସେଣ୍ଟ ଆଣ୍ଡ୍ର୍ୟୁ-ଦ ଆପୋଷ୍ଟଲରେ ସମ୍ମାନିତ କରାଯାଇଛି । ଭାରତ ଓ ଋଷିଆ ମଧ୍ୟରେ ସର୍ବୋଚ୍ଚ ସାମରିକ ଭାଗିଦାରୀତା ପାଇଁ ମୋଦିଙ୍କୁ ଏହି ସମ୍ମାନରେ ଭୂଷିତ କରାଯାଇଛି ବୋଲି ନୂଆଦିଲ୍ଲୀସ୍ଥିତି ଋଷୀୟ ଦୂତାବାସ ପକ୍ଷରୁ ଟ୍ବିଟ କରିକୁହାଯାଇଛି ।

 

ଅର୍ଡର ଅଫ ସେଣ୍ଟ ଆଣ୍ଡ୍ର୍ୟୁକୁ ଋଷିଆର ସବୁଠାରୁ ପୁରୁଣା ତଥା ଅତି ମର୍ଯ୍ୟାଦାଜନକ ରାଷ୍ଟ୍ରୀୟ ସମ୍ମାନ ବୋଲି କୁହାଯାଏ । ଏହାକୁ ସପ୍ତଦଶ ଶତାବ୍ଦୀରେ ପିଟର-ଦି ଗ୍ରେଟ ପ୍ରତିଷ୍ଠା କରିଥିଲେ । ଋଷିଆରେ କମ୍ୟୁନିଷ୍ଟ ଶାସନ ସୋଭିଏତ ୟୁନିୟନ ଥିବା ସମୟରେ ଏହାକୁ ୧୯୧୮ରେ ଉଠାଇ ଦିଆଯାଇଥିଲା, କିନ୍ତୁ ନବେ ଦଶକ ପ୍ରାରମ୍ଭରେ ସୋଭିଏତ ସଂଘର ପତନ ପରେ ୧୯୯୮ରେ ଏହାକୁ ପୁଣି ଆରମ୍ଭ କରାଯାଇଥିଲା । ୨୦୧୭ରେ ଚୀନ ରାଷ୍ଟ୍ରପତି ସି ଜିନ ପିଙ୍ଗ ଙ୍କୁ ଏହି ସମ୍ମାନ ଦିଆଯାଇଥିଲା । କେବଳ ଋଷିଆ ବା ୟୁଏଇ ନୁହେଁ, ମୋଦି ସାଉଦି ଆରବ, ଦକ୍ଷିଣ କୋରିଆ, ପାଲେଷ୍ଟାଇନ ଓ ଆଫଗାନିସ୍ତାନର ସର୍ବୋଚ୍ଚ ସମ୍ମାନ ପାଇସାରିଛନ୍ତି ।

ସମ୍ବନ୍ଧିତ ଖବର