ମୋଦୀ ସରକାରଙ୍କ ଦ୍ବିତୀୟ ପାଳିର ପ୍ରଥମ ବର୍ଷ ସରିଲା, କାର୍ଯ୍ୟରେ ୬୨% ଲୋକ ଖୁସି

‌ନୂଆଦିଲ୍ଲୀ: ୨୦୧୯ ମସିହା ମେ ୩୦ ତାରିଖରେ ପ୍ରଧାନମନ୍ତ୍ରୀ ‌ନରେନ୍ଦ୍ର ମୋଦୀଙ୍କ ମନ୍ତ୍ରିମଣ୍ଡଳ ଶପଥ ନେଇଥିଲା। ସେହିଦୃଷ୍ଟିରୁ ମୋଦୀ ସରକାରଙ୍କ ଦ୍ବିତୀୟ ପାଳିର ପ୍ରଥମ ବର୍ଷ ଆଜି ପୂରଣ ହୋଇଛି। ଦେଶରେ କରୋନା ସଂକଟ ଦେଖାଦେଇଥିବାରୁ ପ୍ରଥମ ବାର୍ଷିକ ଉତ୍ସବକୁ ନିରାଡମ୍ବର ଭାବେ ପାଳନ କରାଯାଉଛି। ବିଜେପି ପକ୍ଷରୁ ଭର୍ଚୁଆଲ ରାଲି ଏବଂ ଲୋକଙ୍କ ପାଖରେ ପହଞ୍ଚିବା କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ଦ୍ବିତୀୟ ପାଳିର ପ୍ରଥମ ବର୍ଷରେ ମୋଦୀ ସରକାର ହାସଲ କରିଥିବା ସଫଳତା ସମ୍ପର୍କରେ ଲୋକଙ୍କୁ ଅବଗତ କରାଯିବ। ତେବେ ଲୋକାଲସର୍କଲ୍‌ସ ନାମକ ସଂସ୍ଥା ପକ୍ଷରୁ କରାଯାଇଥିବା ସର୍ଭେରେ ଦର୍ଶାଯାଇଛି ଯେ ମୋଦୀ ସରକାରଙ୍କ କାର୍ଯ୍ୟରେ ୬୨ ପ୍ରତିଶତ ଲୋକ ଖୁସି ଅଛନ୍ତି।

India Today

ତେବେ ସ‌ର୍ଭେରେ ଭାଗ ନେଇଥିବା ‌ଲୋକଙ୍କ ମଧ୍ୟରୁ କେବଳ ୧୦ ପ୍ରତିଶତ କହିଛନ୍ତି, କୋଭିଡ୍‌-୧୯ ମହାମାରୀକୁ ମୋଦୀ ସରକାର ପ୍ରଭାବୀ ଢଙ୍ଗରେ ପରିଚାଳନା କରିନାହିଁ ବା ଅତି ଦୁର୍ବଳ ଭାବରେ ପରିଚାଳନା କରିଛି। କୋଭିଡ୍‌-୧୯କୁ ମୋଦୀ ସରକାର ଅତ୍ୟନ୍ତ ସଫଳତାର ସହ ପରିଚାଳନା କରିଛନ୍ତି ବୋଲି ୫୯ ପ୍ରତିଶତ ମତ ଦେଇଥିବାବେଳେ ୩୧ ପ୍ରତିଶତ ଲୋକ ମୋଦୀ ସରକାର କିଛିମାତ୍ରାରେ ପ୍ରଭାବଶାଳୀ ଢଙ୍ଗରେ ଏହାକୁ ପରିଚାଳନା କରିଛନ୍ତି ବୋଲି କହିଛନ୍ତି। ମୋଟାମୋଟି ଭାବେ ଏହି ସର୍ଭେ ବିଜେପିର ନେତା ଓ କର୍ମୀମାନଙ୍କୁ ଖୁସି ଦେଇପାରେ।

ଦେଶରେ କରୋନା ଭୂତାଣୁ ସଂକ୍ରମଣ ମୁକାବିଲା ପାଇଁ ତୃତୀୟ ପର୍ଯ୍ୟାୟ ଲକ୍‌ଡାଉନ୍‌ ଚାଲିଥିବାବେଳେ ମେ ୧୪ ପର୍ଯ୍ୟନ୍ତ ଲୋକଙ୍କ ମତାମତ ନେଇ ଏହି ସର୍ଭେ କରାଯାଇଥିଲା। ସେହି ସମୟକୁ କଟକଣା କେତେ ମାତ୍ରାରେ କୋହଳ ହୋଇ ସାରିଥିଲା। ଦେଶରେ ପ୍ରବାସୀ ଶ୍ରମିକଙ୍କ ସମସ୍ୟା ଏବେ ମୁଖ୍ୟ ରାଜନୈତିକ ବିତର୍କର ବିଷୟବସ୍ତୁ ହୋଇ ରହିଛି। ଅନ୍ୟପକ୍ଷରେ କଂଗ୍ରେସ ପକ୍ଷରୁ ଦଳର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ ଲକ୍‌ଡାଉନ୍ ବିଫଳ ହୋଇଛି ବୋଲି ପୂର୍ବରୁ ଅଭିଯୋଗ କରିଛନ୍ତି। ଏଥିସହିତ ସରକାରଙ୍କ ପରବର୍ତ୍ତୀ କାର୍ଯ୍ୟପନ୍ଥା କ’ଣ ବୋଲି ମଧ୍ୟ ପ୍ରଶ୍ନ କରିଛନ୍ତି। ସେହିଭଳି କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ ମଧ୍ୟ ଲୋକଙ୍କୁ ସିଧାସଳଖ ଟଙ୍କା ହସ୍ତାନ୍ତର ସପକ୍ଷରେ ମତ ଦେଇଛନ୍ତି।

କରୋନା ମହାମାରୀ, ବେକାରି ଆଦି ସମସ୍ୟା ବୃଦ୍ଧି ପାଇଥିଲେ ମଧ୍ୟ ମୋଦୀ ସରକାର ତାଙ୍କର ଦ୍ବିତୀୟ ପାଳିର ପ୍ରଥମ ବର୍ଷରେ ଅନେକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେବାରେ ସଫଳ ହୋଇଛନ୍ତି। ଟ୍ରିପିଲ ତଲାକ ଆଇନ, ଜମ୍ମୁ କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ସହିତ ଏହି ରାଜ୍ୟକୁ ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳରେ ପରିଣତ କରିବା ଏବଂ ନାଗରିକତା ସଂଶୋଧନ ଆଇନରେ ପରିଣତ କରି ହିନ୍ଦୁ ମୌଳବାଦୀମାନଙ୍କର ଦୀର୍ଘଦିନର ଦାବିକୁ ପୂରଣ କରିପାରିଛନ୍ତି। ଏତଦବ୍ୟତୀତ ଅଯୋଧ୍ୟାର ବିବାବୀୟ ରାମ ଜନ୍ମଭୂମି ଓ ବାବ୍ରି ମସଜିଦ୍ ମାମଲାର ରାୟ ଏକପ୍ରକାର ହିନ୍ଦୁମାନଙ୍କ ସପକ୍ଷରେ ଯିବା ଫଳରେ ଆରଏସଏସ ଓ ବିଜେପି ସେମାନଙ୍କ ପକ୍ଷକୁ ମଜଭୁତ କରିପାରିଛନ୍ତି। ବେକାରି ସମସ୍ୟାକୁ ସରକାର ଠିକ୍ ଭାବେ ମୁକାବିଲା କରିପାରି ନାହାନ୍ତି ବୋଲି ୫୬ ପ୍ରତିଶତ ଲୋକ ମତ ଦେଇଛନ୍ତି।

ସମ୍ବନ୍ଧିତ ଖବର