ଉଭୟ ଭାରତୀୟ ସେନା ଓ ନୌସେନା ପାଇଁ ପ୍ରିଡେଟର ଡ୍ରୋନ କିଣିବ ଭାରତ

ନୂଆଦିଲ୍ଲୀ : ଆମେରିକାରୁ ଯଥାଶୀଘ୍ର ବିଶ୍ୱର ସବୁଠୁ ଶକ୍ତିଶାଳୀ ପ୍ରିଡେଟର ଡ୍ରୋନ କିଣିବାକୁ ଭାରତ ନିଷ୍ପତ୍ତି ନେଇଛି । ଭାରତ ପ୍ରଥମେ ନୌସେନା ପାଇଁ କିଣିବାକୁ ଯୋଜନା କରୁଥିବାବେଳେ ଏବେ ସେନା ମଧ୍ୟ ଏଥିପାଇଁ ଆଗ୍ରହ ଦେଖାଇଛି । ସେଥିପାଇଁ ଭାରତ ନୌସେନା ଓ ସେନା ପାଇଁ ୧୦ ଟି ଲେଖାଏଁ ପ୍ରିଡେଟର ଡ୍ରୋନ କିଣିବାକୁ ଯୋଜନା କରୁଛି । ଚଳିତ ୨୦୧୯ରେ ହିଁ ଏହି ଚୁକ୍ତି ଚୂଡାନ୍ତ କରିବାକୁ ସରକାର ଯୋଜନା କରୁଛନ୍ତି ।

୨୦୧୮ ଆରମ୍ଭରେ ଭାରତକୁ ଲଢୁଆ ଗାର୍ଡିଆନ ଡ୍ରୋନ ଦେବାକୁ ଆମେରିକା ପ୍ରସ୍ତାବ ଦେଇଥିଲା । ଚୀନକୁ ନିୟନ୍ତ୍ରଣ କରିବାକୁ ହେଲେ ଭାରତକୁ ନିଜ ପଟେ ରଖିବାକୁ ଚାହୁଁଛି ଆମେରିକା । ଏଥିପାଇଁ ବିଭିନ୍ନ ପ୍ରକାରେ ଉଦ୍ୟମ କରୁଛି । ପୂର୍ବରୁ କେବଳ ଗୁଇନ୍ଦା ଡ୍ରୋନ ଦେବାକୁ ଆମେରିକା କହୁଥିଲା । କିନ୍ତୁ ଏବେ ଭାରତକୁ ଆକୃଷ୍ଟ କରିବାକୁ ଆମେରିକା ଏହି ଅଫର ଦେଉଛି । ଗତ ବର୍ଷ ଏପ୍ରିଲ ମାସରେ ଆମେରିକା ନିଜର ସାମରିକ ରପ୍ତାନି ନୀତିରେ ସଂଶୋଧନ କରି ଡ୍ରୋନ ରପ୍ତାନି ପାଇଁ ପଥ ପରିଷ୍କାର କରିଥିଲା । ଯଦି ଭାରତ ଏହି ଡ୍ରୋନ ପାଇବାରେ ସକ୍ଷମ ହୁଏ, ଏହା ପାଇବାରେ ବିଶ୍ୱର ପ୍ରଥମ ଅଣ-ନ୍ୟାଟୋ ଦେଶ ହେବ । ଏହି ଡ୍ରୋନ ହେଉଛି ବିଶ୍ୱର ସବୁଠୁ ଶକ୍ତିଶାଳୀ ଲଢୁଆ ଡ୍ରୋନ । ଏଥିରୁ କ୍ଷେପଣାସ୍ତ୍ର ଓ ବୋମା ଖଞ୍ଜି ଆକ୍ରମଣ କରିହେବ । ଏହି ଡ୍ରୋନ ପାଇଲେ ଭାରତର ଶକ୍ତି ବହୁଗୁଣିତ ହୋଇଯିବ । ଏପରିକି ସର୍ଜିକାଲ ଷ୍ଟ୍ରାଇକ କରିବାକୁ ଆଉ ପାକିସ୍ତାନ ସୀମା ଭିତରକୁ ଯିବାକୁ ପଡିବ ନାହିଁ । ଡ୍ରୋନ ପଠାଇ ଏହି କାମ କରିହେବ ।

ସମ୍ବନ୍ଧିତ ଖବର