କ୍ଷମତାର ଗର୍ବରେ ମୋଦି ଏବେ ଅନ୍ଧ ହୋଇ ଯାଇଛନ୍ତି ବୋଲି ମହାରାଲିରେ ଅଭିଯୋଗ କରି ‘ବିଜେପି ହଟାଓ, ଦେଶ ବଚାଓ’ ନାରା ଦେଲେ ମମତା ବାନାର୍ଜୀ

କୋଲକାତା: ମୋଦିଙ୍କ ନେତୃତ୍ୱରେ ଚାଲିଥିବା କେନ୍ଦ୍ର ସରକାରର ‘ଏକ୍ସପାରି’ ତାରଖ ଚାଲିଗଲାଣି। ତେଣୁ, ତାକୁ ଏବେ ଶାସନ କ୍ଷମତାରୁ ବିଦା କରିବା ସହ ନୂଆ ସରକାରକୁ ଶାସନ କ୍ଷମତାକୁ ଆଣିବାକୁ ପଡ଼ିବ। ଏକଥା ସମସ୍ତେ ବୁଝି ସାରିଲେଣି ଏବଂ ଆଗାମୀ ଦିନରେ କେନ୍ଦ୍ରରେ ନୂଆ ସରକାରର ଉଦୟ ନଶ୍ଚୟ ଘଟିବ ବୋଲି କହିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ (ଟିଏମ୍‌ସି)ର ସୁପ୍ରିମୋ ସୁଶ୍ରୀ ମମତା ବାନାର୍ଜୀ।

କୋଲକାତାର ବ୍ରିଗେଡ୍‌ ପ୍ୟାରେଡ୍‌ ଗ୍ରାଉଣ୍ଡରେ ଦେଶର ୨୩ଟି ଅଣ-ବିଜେପି ଦଳ ପକ୍ଷରୁ ଆୟୋଜିତ ମହାରାଲିରେ ଉଦ୍‌ବୋଧନ ଦେଇ ଟିଏମ୍‌ସି ସୁପ୍ରିମୋ ସୁଶ୍ରୀ ମମତା ବାନାର୍ଜୀ ପ୍ରଧାନମନ୍ତ୍ରୀ ମୋଦି କେନ୍ଦ୍ରର ବିଜେପି ସରକାର ଉପରେ ଖୁବ୍‌ ବର୍ଷିଛନ୍ତି। ମମତା କହିଛନ୍ତି, କ୍ଷମତାର ମୋହ ଓ କ୍ଷମତାର ଗର୍ବ ଏବେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଏବେ ଅନ୍ଧ କରିଦେଇଛି। କ୍ଷମତାର ଅହଂକାର ତାଙ୍କୁ ଏପରି ପାଗଳ କରିଛି ଯେ ସେ ତାଙ୍କ ନିଜ ଦଳର ବରିଷ୍ଠ ନେତା ରାଜନାଥ ସିଂହ, ସୁଷମା ସ୍ୱରାଜ ଏବଂ ନୀତୀନ ଗଡ଼କରିଙ୍କୁ ସୁଦ୍ଧା ଆଡ଼ ଆଖିରେ ଚାହୁଁ ନାହାନ୍ତି। ଏପରି ପରିସ୍ଥିତିରେ ସେ ଯଦି ୨୦୧୯ ନିର୍ବାଚନରେ ବିଜୟ ଲାଭ କରନ୍ତି ତେବେ ସେ ସଂପୂର୍ଣ୍ଣ ରୂପେ ସ୍ୱେଚ୍ଛାଚାରୀ ପାଲଟିଯିବେ ବୋଲି କହିଛନ୍ତି ମମତା।

ଦେଶବାସୀଙ୍କ ଅଚ୍ଛେଦିନ ଠାରୁ ଆରମ୍ଭ କରି ଯେତେଯେତେ ସବୁ ପ୍ରତିଶ୍ରୁତି ଦେଇ ମୋଦି ସରକାର ଶାସନ କ୍ଷମତାକୁ ଆସିଥିଲା, ସେଥି ମଧ୍ୟରୁ ଗୋଟିକୁ ହେଲେ ପୂର୍ଣ୍ଣ କରିବାରେ ସମର୍ଥ ହୋଇପାରି ନାହିଁ। ବରଂ ଦେଶବାସୀଙ୍କ ଅଚ୍ଛେଦିନକୁ ଦୁର୍ଦ୍ଦିନରେ ପରିଣତ କରିଦେଇଛି। ସବୁ ସରକାରୀ ଅନୁଷ୍ଠାନର ବିଶ୍ୱସନୀୟତାକୁ ମୋଡ଼ି ମକଚି ଭାଙ୍ଗି ଦେଇଛି ଏବଂ ଜାତିବାଦ ଓ ସାଂପ୍ରଦାକିତାବାଦକୁ ଆଧାର କରି ଶାସନ କରିବାକୁ ଉଦ୍ୟମ କରୁଛି। ଯାହାକି ଦେଶ ପାଇଁ ବିପଦଜନକ। ସେଥିପାଇଁ ମମତା ମହାରାଲିରେ ‘ବିଜେପି ହଟାଓ, ଦେଶ ବଚାଓ’ ପାଇଁ ଦେଶବାସୀଙ୍କୁ ଆହ୍ଵାନ ଦେଇଛନ୍ତି।

ସମ୍ବନ୍ଧିତ ଖବର