ଶାସନ ଭାର ନେବା ପରେ ମୋଦି ସରକାର ବିଜ୍ଞାପନରେ ଖର୍ଚ୍ଚ କରିଛନ୍ତି ୩,୭୫୫ କୋଟି

ନୂଆଦିଲ୍ଲୀ: ମିତବ୍ୟୟତାର ଦ୍ୱାହି ଦେଉଥିବା ମୋଦି ସରକାର ଶାସନଭାର ଗ୍ରହଣ କରିବା ପରେ ଅପ୍ରେଲ ୨୦୧୪ରୁ ଚଳିତ ବର୍ଷ ଅକ୍ଟୋବର ମାସ ଶେଷ ସୁଦ୍ଧା ବିଜ୍ଞାପନ ବାବଦରେ ୩,୭୫୫ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି। ସୂଚନା ଅଧିକାର ଆଇନ୍‌ (ଆର୍‌ଟିଆଇ) ବଳରେ ମଗା ଯାଇଥିବା ତଥ୍ୟରୁ ଏହା ଜଣାପଡ଼ିଛି।

ଆର୍‌ଟିଆଇ ଦ୍ୱାରା ମଗା ଯାଇଥିବା ପ୍ରଶ୍ନର ଲିଖିତ ଉତ୍ତର ଦେଇ ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ ଛାପା ଗଣମାଧ୍ୟମ, ବୈଦ୍ୟୁତିକ ଗଣମାଧ୍ୟମ ଏବଂ ଆଉଟ୍‌ଡୋର ପବ୍ଲିସିଟି ବାବଦରେ ମୋଦି ସରକାର ଅପ୍ରେଲ ୨୦୧୪ରୁ ଅକ୍ଟୋବର ୨୦୧୭ ମଧ୍ୟରେ ଖର୍ଚ୍ଚ କରିଛନ୍ତି ସର୍ବମୋଟ୍‌ ୩୭,୫୪,୦୬,୨୩,୬୧୬ ଟଙ୍କା। ନୂଆଦିଲ୍ଲୀର ଗ୍ରେଟର ନୋଇଡ଼ାରେ ରହୁଥିବା ସୂଚନା ଅଧିକାର କର୍ମୀ ରାମବୀର ତନଓ୍ଵର୍‌ ଆର୍‌ଟିଆଇରେ ମାଗିଥିବା ତଥ୍ୟରୁ ଏହା ଜଣାପଡ଼ିଛି।

Free Press Journal

ମିଳିଥିବା ସୂଚନାରୁ ଜଣାଯାଇଛି, କେନ୍ଦ୍ର ସରକାର ବୈଦ୍ୟୁତିକ ଗଣମାଧ୍ୟମ ସମେତ କମ୍ୟୁନିଟି ରେଡିଓ, ଡିଜିଟାଲ୍‌ ସିନେମା, ଦୂରଦର୍ଶନ, ଇଣ୍ଟରନେଟ୍‌, ଏସ୍‌ଏମ୍‌ଏସ୍‌ ଓ ଟିଭିରେ ବିଜ୍ଞାପନ ବାବଦରେ ୧,୬୫୬ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି। ସେହିପରି ଛାପା ଗଣମାଧ୍ୟମରେ ବିଜ୍ଞାପନ ବାବଦରେ ସରକାର ୧,୬୯୮ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି। ଆଉଟ୍‌ଡୋର ବିଜ୍ଞାପନ ଭାବେ ହୋର୍ଡିଂ, ପୋଷ୍ଟର, ବୁକ୍‌ଲେଟ ଓ କ୍ୟାଲେଣ୍ଡର ବାବଦରେ ଖର୍ଚ୍ଚ କରିଛନ୍ତି ୩୯୯ କୋଟି ଟଙ୍କା। ବିଜ୍ଞାପନ ବାବଦରେ ସରକାର ଯେଉଁ ପରିମାଣର ଅର୍ଥ ବ୍ୟୟ କରିଛନ୍ତି ତାହା ଅନେକ ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରାଳୟର ବାର୍ଷିକ ବଜେଟ ଠାରୁ ସୁଦ୍ଧା ଅଧିକ ଥିବା ଜଣାଯାଇଛି।

ସେହିପରି ପୂର୍ବରୁ ୨୦୧୬ରେ ସୂଚନା ଅଧିକାର କର୍ମୀ ରାମବୀର ତନଓ୍ଵର୍‌ ଆର୍‌ଟିଆଇରେ ମାଗିଥିବା ତଥ୍ୟରୁ ଜଣା ଯାଇଥିଲା ଯେ କେବଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ପ୍ରଚାର ବାବଦରେ କେନ୍ଦ୍ର ସରକାର ଜୁନ୍‌ ୧, ୨୦୧୪ରୁ ଅଗଷ୍ଟ ୩୧, ୨୦୧୬ ମଧ୍ୟରେ ବିଜ୍ଞାପନ ଆକାରରେ ୧,୧୦୦ କୋଟି ଟଙ୍କା ବ୍ୟୟ କରିଥିଲେ। ତେବେ, ଏଥିରେ କେବଳ ମାତ୍ର ଟେଲିଭିଜନ, ଇର୍‌ଟରନେଟ୍‌ ଏବଂ ଅନ୍ୟ ବୈଦ୍ୟୁତିକ ଗଣମାଧ୍ୟମର ଖର୍ଚ୍ଚ ସାମିଲ ଥିବାବେଳେ ଛାପା ଗଣମାଧ୍ୟମ ଓ ଆଉଟ୍‌ଡୋର ପବ୍ଲିସିଟିର ଖର୍ଚ୍ଚ ସାମିଲ ନଥିଲା।

ପୂର୍ବରୁ ୨୦୧୫ରେ ସୂଚନା ଅଧିକାର କର୍ମୀ ରାମବୀର ତନଓ୍ଵର୍‌ ଆର୍‌ଟିଆଇରେ ମାଗିଥିବା ତଥ୍ୟରୁ ଜଣାଯାଇଥିଲା ଯେ ଜୁଲାଇ ୨୦୧୫ ଶେଷ ସୁଦ୍ଧା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ‘ମନ୍‌ କି ବାତ୍‌’ ବେତାର ପ୍ରସାରଣ ପାଇଁ ଛାପା ଗଣମାଧ୍ୟମରେ କେନ୍ଦ୍ର ସରକାର ୮.୫ କୋଟି ଟଙ୍କା ଖର୍ଚ୍ଚ କରିଥିଲେ।

ସମ୍ବନ୍ଧିତ ଖବର