ମେଟ୍ରୋ ଟ୍ରେନ୍‌ରେ ଯାତ୍ରା କଲେ ପ୍ରଧାନମନ୍ତ୍ରୀ ମୋଦି, ସେଲଫି ନେଲେ ଯାତ୍ରୀ

ନରେନ୍ଦ୍ର ମୋଦିଙ୍କ କରକମଳରେ ଆମ୍ବେଦକର ସ୍ମୃତିପୀଠ ଉଦ୍‌ଘାଟିତ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିଲ୍ଲୀ ଲୋକ କଲ୍ୟାଣ ମାର୍ଗ ଷ୍ଟେସନରୁ ଶୁକ୍ରବାର ମେଟ୍ରୋ ଟ୍ରେନ୍‌ରେ ଯାତ୍ରା କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ଆଲିପୁର ରୋଡରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପହଞ୍ଚିବା ପାଇଁ ସେ ମେଟ୍ରୋରେ ଯାତ୍ରା କରିଛନ୍ତି। ଏହାରି ଭିତରେ ମେଟ୍ରୋ ଷ୍ଟେସନରେ ଲୋକମାନେ ତାଙ୍କ ସାଥୀରେ ସେଲଫି ନେଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ଆମ୍ବେଦକର ଜାତୀୟ ସ୍ମୃତିପୀଠ ଉଦ୍‌ଘାଟନ କରିଛନ୍ତି।

ଭାରତୀୟ ସମ୍ବିଧାନର ପ୍ରଣେତା ଆମ୍ବେଦକରଙ୍କ ଜୀବନ ଓ ତାଙ୍କ ଅବଦାନକୁ ସ୍ମୃତିପୀଠରେ ସ୍ଥାନ ଦିଆଯାଇଛି। ଏହାକୁ ୨୦୧୬ ମାର୍ଚ୍ଚ ୨୧ରେ ଶିଳାନ୍ୟାସ କରାଯାଇଥିଲା। ଭୀମ ରାଓ ଆମ୍ବେଦକରଙ୍କ ଜନ୍ମ ୧୮୯୧ ଏପ୍ରିଲ ୧୪ରେ ମଧ୍ୟପ୍ରଦେଶର ମହୁଠାରେ ହୋଇଥିଲା। ସେ ଭାରତର ପ୍ରଥମ ଆଇନ୍‌ ମନ୍ତ୍ରୀ ଥିଲେ।

ଆମ୍ବେଦକର ଜାତୀୟ ସ୍ମୃତିପୀଠ ଉଦ୍‌ଘାଟନ କରିବା ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ଆମ ପାଇଁ ସୌଭାଗ୍ୟର ବିଷୟ ଯେ, ବାବା ସାହେବଙ୍କ ଜୀବନ ସହିତ ଜଡ଼ିତ ୫ଟି ସ୍ଥାନକୁ ତୀର୍ଥ ସ୍ଥଳ ଭାବରେ ବିକଶିତ କରାଯାଉଛି। ଏହାକୁ ବିକାଶ କରିବାରେ ଆମକୁ ସୁଯୋଗ ମିଳିଛି।

-ମହୁ ବାବା ସାହେବଙ୍କ ଜନ୍ମଭୂମି।
-ଲଣ୍ଡନ ଡାକ୍ଟର ଆମ୍ବେଦକର ମେମୋରିଆଲ-ତାଙ୍କର ଶିକ୍ଷା ଭୂମି।
-ନାଗପୁର ଦୀକ୍ଷାଭୂମି।
-ମୁମ୍ବାଇ ଚୈତ୍ୟ ଭୂମି।
-ଦିଲ୍ଲୀ ତାଙ୍କର ମହାପରିନର୍ବାଣ ଭୂମି।

୧୯୫୧ ନଭେମ୍ବର ୧ରେ କେନ୍ଦ୍ରୀୟ ମନ୍ତ୍ରୀମଣ୍ଡଳରୁ ଇସ୍ତଫା ଦେବା ପରେ ଦିଲ୍ଲୀର ଆଲିପୁର ରୋଡସ୍ଥିତ ସିରୋହୀ ମହାରାଜାଙ୍କ ଘରେ ୧୯୫୬ ଡିସେମ୍ବର ୬ରେ ଶେଷ ନିଃଶ୍ୱାସ ନେଇଥିଲେ। ଆମ୍ବେଦକର ଯେଉଁ ସ୍ଥାନରେ ଅନ୍ତିମ ନିଃଶ୍ୱାସ ନେଇ ଥିଲେ, ସେହି ସ୍ଥାନରେ ହିଁ ସ୍ମୃତିପୀଠ ପ୍ରତିଷ୍ଠା କରାଯାଇଛି।

ଏହି ସ୍ମୃତିପୀଠରେ ପ୍ରଦର୍ଶନୀ ସ୍ଥଳ, ବୁଦ୍ଧଙ୍କ ପ୍ରତିମା, ଧ୍ୟାନ କେନ୍ଦ୍ର, ୧୨ ଫୁଟ୍‌ର କାଂସ୍ୟ ପ୍ରତିମା, ପ୍ରବେଶ ଦ୍ୱାରରେ ୧୧ ମିଟରର ଅଶୋକ ସ୍ତମ୍ଭ ଆଦି ରହିଛି।

ସମ୍ବନ୍ଧିତ ଖବର