ମୋଦୀ-ରାହୁଲ ବାକ୍‌ଯୁଦ୍ଧ

ନୂଆଦିଲ୍ଲୀ: ଆଗାମୀ ବିଧାନସଭା ନିର୍ବାଚନ ପାଇଁ ପ୍ରଚାର ଉଷ୍ଣତାକୁ ଆଜି ବଢ଼ାଇ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ। ଆଜି ଛତିଶଗଡ଼ରେ ଏକ ନିର୍ବାଚନୀ ସଭାରେ ଉଦ୍‌ବୋଧନ ଦେଇ ମୋଦୀ କଂଗ୍ରେସକୁ କଡ଼ା ସମାଲୋଚନା କରିଥିବା ବେଳେ ରାହୁଲ ଗାନ୍ଧୀ ମଧ୍ୟପ୍ରଦେଶରେ ମୋଦୀ ସରକାରଙ୍କ ବିରୋଧରେ ଗର୍ଜିଛନ୍ତି।

ମୁଁ ନେହରୁଙ୍କ ପାଇଁ ପ୍ରଧାନମନ୍ତ୍ରୀ ହୋଇନାହିଁ। ଦେଶର ଜନତାଙ୍କ ଇଛା ଏବଂ ରାୟ ଯୋଗୁଁ ମୁଁ ପ୍ରଧାନମନ୍ତ୍ରୀ ହୋଇଛି। ଏଥିରେ ନେହରୁଙ୍କ କିଛି ଭୂମିକା ନାହିଁ। ନେହରୁଙ୍କ ଆଦର୍ଶ କଥା କହୁଥିବା କଂଗ୍ରେସ ପ୍ରଥମେ ଗାନ୍ଧୀ ପରିବାର ବାହାରୁ କାହାକୁ ଦଳର ସଭାପତି ନିଯୁକ୍ତି ଦେଉ। କଂଗ୍ରେସ ନେତାମାନେ ଏବେ କେବଳ ଗୋଟିଏ ପରିବାରର ଗୁଣଗାନ ଭିତରେ ନିଜକୁ ସୀମିତ ରଖିଛନ୍ତି ଏବଂ ଦେଶର ମଂଗଳ କଥା ଆଦୌ ଚିନ୍ତା କରୁନାହାନ୍ତି।

ଦେଶରେ ୪ ପିଢ଼ି ଧରି କ୍ଷମତା ଭୋଗ କରିଥିବା କଂଗ୍ରେସ ଏବେ ୪ ବର୍ଷର ସରକାରକୁ ଜବାବ ମାଗୁଛି। ଇନ୍ଦିରା ଗାନ୍ଧୀଙ୍କଠାରୁ ଆରମ୍ଭ କରି ଆଜି ପର୍ଯ୍ୟନ୍ତ କଂଗ୍ରେସର ପ୍ରତାରଣାକୁ ଦେଶବାସୀ ଦେଖିଛନ୍ତି। ‘ଗରିବୀ ହଟାଓ’ ସ୍ଲୋଗାନ ଦେଇ କ୍ଷମତାକୁ ଇନ୍ଦିରା ଆସିଥିଲେ । ଏହି ସ୍ଲୋଗାନକୁ ଏବେ ୪୦ ବର୍ଷ ବିତିଗଲାଣି, କିନ୍ତୁ ଦେଶରୁ ଦାରିଦ୍ରୢ ହଟିଛି କି?
ଦେଶରେ ଏବେ ବିକାଶର ନୂଆ ଯୁଗ ଚାଲିଛି। କଂଗ୍ରେସ କେବଳ ବିକାଶରେ ପ୍ରତିବନ୍ଧକ ସାଜିଛି। ଆପଣ (ରାହୁଲ)ଙ୍କ ଜେଜେବାପା-ଜେଜେମାଁ ଲୋକଙ୍କ ପାଇଁ ପାଣି ପାଇପ୍‌ କାହିଁକି ବିଛାଇ ନଥିଲେ?
ବିମୁଦ୍ରୀକରଣ ନେଇ ଏବେ କଂଗ୍ରେସ ଏବଂ ‘ଗୋଟିଏ (ଗାନ୍ଧୀ) ପରିବାର’ କାନ୍ଦୁଛନ୍ତି। କୌଣସି ବୃଦ୍ଧ ବ୍ୟକ୍ତି ନିଜ ପୁଅକୁ ହଜାଇ ଥିଲେ ମଧ୍ୟ ବର୍ଷକରେ ପାଇପାରୁଛି, କିନ୍ତୁ କଂଗ୍ରେସକୁ କିଛି ମିଳୁନାହିଁ।

ମୋଦୀ ସରକାରଙ୍କ ବିମୁଦ୍ରୀକରଣ ସ୍ବାଧୀନ ଭାରତର ସବୁଠାରୁ ବଡ଼ ଦୁର୍ନୀତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କର ଏହି ନିଷ୍ପତ୍ତି ଦ୍ବାରା ଗରିବଙ୍କ କଷ୍ଟୋପାର୍ଜିତ ଅର୍ଥକୁ ଲୁଟିଛନ୍ତି ଏବଂ ତାହାକୁ କିଛି ହାତଗଣତି ଉଦ୍ୟୋଗପତିଙ୍କ ହାତରେ ଟେକି ଦେଇଛନ୍ତି।

ପ୍ରଧାନମନ୍ତ୍ରୀ ମୋଦୀ ନିଜକୁ ଦେଶର ଚୌକିଦାର ବୋଲି କହୁଥିବା ବେଳେ ସେ ଅସଲରେ ଉଦ୍ୟୋଗପତିମାନଙ୍କ ଚୌକିଦାର ଏବଂ ସେମାନଙ୍କ ସୁରକ୍ଷାରେ ହିଁ ନିୟୋଜିତ ଅଛନ୍ତି ।

ୟୁପିଏ ସରକାର ଅମଳରେ ହୋଇଥିବା ରାଫେଲ ଚୁକ୍ତିକୁ ମୋଦି ରଦ୍ଦ କରିଥିଲେ ଏବଂ ରାଷ୍ଟ୍ରାୟତ ଉଦ୍ୟୋଗ ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ (ହାଲ୍‌)କୁ ଅଣଦେଖା କରି ରିଲାଏନ୍‌ସକୁ ଏହି ଠିକା ପ୍ରଦାନ କରିଥିଲେ। ଏହା ପଛରେ ମଧ୍ୟ ବଡ଼ ଦୁର୍ନୀତି ରହିଛି।

ସରକାର ପୁଂଜିପତିଙ୍କୁ ଦରଦ ଦେଖାଇ ଋଣ ଛାଡ଼ କରୁଥିବା ବେଳେ ଦେଶର କୃଷକମାନଙ୍କ ଋଣ ଛାଡ଼ ପାଇଁ କାହିଁକି ପଛଘୁଞ୍ଚା ଦେଉଛନ୍ତି ।
ବିଜେପି ଶାସନରେ ନକଲି ଡିଗ୍ରିଧାରୀଙ୍କ ରାସ୍ତା କ୍ୟାବିନେଟ୍‌ ଆଡ଼କୁ ଯାଉଛି। ବିଜେପିର ଡିଏନ୍‌ଏରେ ନକଲି ଡିଗ୍ରି ରହିଛି।

ସମ୍ବନ୍ଧିତ ଖବର