ଇନ୍‌ଷ୍ଟାଗ୍ରାମ୍‌ରେ ମୋଦୀଙ୍କ ରାଜ୍‌, ଟ୍ରମ୍ପ୍‌ଙ୍କୁ ପଛରେ ପକାଇଲେ

ଟ୍ବିଟର୍‌ରେ ସବୁଠୁ ଚର୍ଚ୍ଚିତ22

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଗାମୀ ଲୋକସଭା ନିର୍ବାଚନରେ ଜିତି ପୁଣି କ୍ଷମତାକୁ ଫେରିବେ କି ନାହିଁ, ତାହାକୁ ନେଇ ଏବେଠୁ କିଛି କୁହାଯାଇ ପାରୁନାହିଁ। କିନ୍ତୁ ‌ସୋସିଆଲ୍‌ ମିଡିଆରେ ତାଙ୍କ ଲୋକପ୍ରିୟତା ବେଶ୍‌ ବଢ଼ିବାରେ ଲାଗିଛି। ଇନ୍‌ଷ୍ଟାଗ୍ରାମ୍‌ ଓ ଟ୍ବିଟର୍‌ରେ ମୋଦୀ ଏବେ ରାଜ୍‌ କରୁଛନ୍ତି। ଫଟୋ ଓ ଭିଡିଓ ସେୟାରିଂ କ୍ଷେତ୍ରରେ ସର୍ବାଧିକ ବ୍ୟବହୃତ ହେଉଥିବା ସୋସିଆଲ୍‌ ନେଟ୍‌ୱର୍କିଂ ସାଇଟ୍‌ ଇନ୍‌ଷ୍ଟାଗ୍ରାମ୍‌ରେ ପ୍ରଧାନମନ୍ତ୍ରୀ ମୋଦୀ ସବୁଠୁ ଲୋକପ୍ରିୟ ପାଲଟିଛନ୍ତି। କେବଳ ଭାରତ ନୁହେଁ, ବିଶ୍ବରେ ତାଙ୍କୁ ଏହି ପ୍ଲାଟ୍‌ଫର୍ମରେ ସବୁଠୁ ଅଧିକ ‘ଫଲୋ’ କରାଯାଇଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କୁ ମଧ୍ୟ ସେ ପଛରେ ଛାଡ଼ି ଯାଇଛନ୍ତି। ଏହି ତାଲିକାରେ ଟ୍ରମ୍ପ୍‌ ତୃତୀୟ ସ୍ଥାନରେ ରହିଛନ୍ତି। ଇଣ୍ଡୋନେସିଆ ରାଷ୍ଟ୍ରପତି ଜୋ‌କୋ ୱିଡୋଡୋ ଦ୍ବିତୀୟ ସ୍ଥାନରେ ଅଛନ୍ତି। ଚତୁର୍ଥ ସ୍ଥାନରେ ପୋପ୍‌ ଫ୍ରାନ୍‌ସିସ୍‌ ଏବଂ ପଞ୍ଚମରେ ଜୋର୍ଡାନ୍‌ର ମହାରାଣୀ କ୍ବିନ୍‌ ରାନିଆ ରହିଛନ୍ତି। କୁଏତ୍‌ରେ ଜନ୍ମଲାଭ କରିଥିବା ରାନିଆ ଜଣେ ସାଧାରଣ ଝିଅ ଥିଲେ। କିନ୍ତୁ ପରେ ସେ ମହାରାଣୀ ହୋଇଥିଲେ।

ଟିପ୍ଲୋମାସି ନିଜ ରିପୋର୍ଟରେ ଦର୍ଶାଇଛି ଯେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅନୁଗାମୀ (ଫଲୋଅର୍‌) ସଂଖ୍ୟା ଦ୍ରୁତ ବେଗରେ ବଢ଼ିବାରେ ଲାଗିଛି। ଗତ ଏକ ବର୍ଷ ମଧ୍ୟରେ ତାଙ୍କ ଅନୁଗାମୀ ବୃଦ୍ଧି ହାର ୫୦ ପ୍ରତିଶତରୁ ଅଧିକ ରହିଛି। କିନ୍ତୁ ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ଅନୁଗାମୀ ବୃଦ୍ଧି ମାତ୍ରା ୩୨ ପ୍ରତିଶତ ରହିଛି। ପ୍ରଧାନମନ୍ତ୍ରୀ ୨୦୧୪ ନଭେମ୍ବର ୧୨‌ରେ ଇନ୍‌ଷ୍ଟାଗ୍ରାମ୍‌ରେ ସାମିଲ ହୋଇଥିଲେ। ପ୍ରଥମେ ‌ସେ ଏସିଆନ୍‌ ସମିଟ୍‌ର ଏକ ଫଟୋ ସେୟାର କରିଥିଲେ। ଏ ପର୍ଯ୍ୟନ୍ତ ଇନ୍‌ଷ୍ଟାଗ୍ରାମ୍‌ରେ ସେ ୨୩୭ଟି ପୋଷ୍ଟ ସେୟାର କରିଛନ୍ତି। ଅନୁଗାମୀ ସଂଖ୍ୟାରେ ମୋଦୀ ଏକନମ୍ବର ଥିବା ବେଳେ ସର୍ବାଧିକ ‘ଇଣ୍ଟରାକ୍ଟିଭ୍‌’ ନେତା ଭାବେ ସେ ତାଲିକାର ଚତୁର୍ଥ ସ୍ଥାନର‌େ ରହିଛନ୍ତି। ଏଥିର‌େ ଟ୍ରମ୍ପ୍‌ ଶୀର୍ଷସ୍ଥାନ ହାସଲ କରିଛନ୍ତି। ଅନ୍ୟପକ୍ଷରେ ଟ୍ବିଟର୍‌ରେ ମଧ୍ୟ ମୋଦୀଙ୍କ ଲୋକପ୍ରିୟତା ଶୀର୍ଷରେ ରହିଛି। ଟ୍ବିଟର୍‌ ଇଣ୍ଡିଆର ରିପୋର୍ଟ ମୁତାବକ ୨୦୧୮ରେ ଏ ପର୍ଯ୍ୟନ୍ତ ମୋଦୀ ସବୁଠୁ ଲୋକପ୍ରିୟ ରହିଛନ୍ତି। ଏହାଛଡ଼ା ଟ୍ବିଟର୍‌ରେ ଶ୍ରେଷ୍ଠ ବ୍ୟକ୍ତିତ୍ବଙ୍କ ମଧ୍ୟରେ ବିଜେପିର ୪ ଜଣ ନେତା ଅଛନ୍ତି। ଟ୍ବିଟର୍‌ର ଏହି ତାଲିକାରେ ମୋଦୀଙ୍କ ପଛକୁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଦ୍ବିତୀୟ ସ୍ଥାନରେ ରହିଥିବା ବେଳେ ବିଜେପି ମୁଖ୍ୟ ଅମିତ୍‌ ଶାହ ତୃତୀୟ, ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଚତୁର୍ଥ ସ୍ଥାନ ହାସଲ କରିଛନ୍ତି। ଶ୍ରେଷ୍ଠ ୧୦ ଜଣଙ୍କ ମଧ୍ୟରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌ ରହିଛନ୍ତି। ଷଷ୍ଠ ସ୍ଥାନରେ ଅଭିନେତା ପୱନ କଲ୍ୟାଣ ରହିଛନ୍ତି।

ସମ୍ବନ୍ଧିତ ଖବର