କରୋନା ସଂକ୍ରମଣ ସଚେତନତା ଲାଗି ମୋଦୀ ଦେଲେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ତଥ୍ୟ, ଜାଣନ୍ତୁ ଏହା କିପରି ନେଉଛି ମହାମାରୀର ରୂପ…

ନୂଆଦିଲ୍ଲୀ: ମହାମାରୀ କରୋନା ଭୂତାଣୁର ସଂକ୍ରମଣକୁ ରୋକିବାକୁ ହେଲେ ପ୍ରଥମେ ଏହାର ସଂକ୍ରମଣ ଚକ୍ର ବା ସଂକ୍ରମଣ ସାଇକେଲକୁ ଭାଙ୍ଗିବାକୁ ହେବ। ଆଉ ଏଥିଲାଗି ‘ସାମାଜିକ ଦୂରତ୍ବ’ ହିଁ ଏକମାତ୍ର ଅସ୍ତ୍ର ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଆସନ୍ତା ୨୧ଦିନ ଘରୁ ନ ବାହାରି ଆମେ ‘ସାମାଜିକ ଦୂରତ୍ବ’ ବଜାୟ ରଖିଲେ କରୋନା ମହାମାରୀ କବଳରୁ ବଞ୍ଚିପାରିବା। କିପରି ବିଶ୍ବର ବଡ଼ ବଡ଼ ଦେଶ ଆମଠାରୁ ପ୍ରୟାସ ଓ ସମ୍ବଳରେ ବହୁ ଆଗରେ ରହି କରୋନାର ମୁକାବିଲା କରିବାରେ ବିଫଳ ହୋଇଛନ୍ତି, ତାହା ସେ ଆଜି ଦେଶବାସୀଙ୍କୁ ଦେଇଥିବା ଉଦବୋଧନରେ  ବଖାଣି ଥିଲେ। ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ପକ୍ଷରୁ କରୋନା ସଂପର୍କରେ କରାଯାଇଥିବା ଅନୁଧ୍ୟାନ ବି ସେ ନିଜ ଅଭିଭାଷଣରେ ସୂଚିତ କରିଥିଲେ।  କିଭଳି ବେଗରେ କରୋନା ସଂକ୍ରମଣ ବିସ୍ତାର କରୁଛି ତା’ର ଉଦାହରଣ ପ୍ରସ୍ତୁତ କରିଥିଲେ ମୋଦୀ।

କିଭଳି ବ୍ୟାପକ ହେଉଛି କରୋନା ଭୂତାଣୁର ସଂକ୍ରମଣ ? ଚୀନରେ ପ୍ରଥମ କରୋନା ଭୂତାଣୁ ଚିହ୍ନଟ ହେବାର ମାତ୍ର ୬୭ ଦିନରେ ସାରା ବିଶ୍ୱରେ ସଂକ୍ରମିତ ସଂଖ୍ୟା ୧ ଲକ୍ଷ ଅତିକ୍ରମ କରିଥିଲା । ହେଲେ ଏହାର ୧୧ ଦିନ ପରେ ଆକ୍ରାନ୍ତଙ୍କ ସଂଖ୍ୟା ଆହୁରି ୧ ଲକ୍ଷ ବଢିଗଲା ।  ଏହା ପରବର୍ତ୍ତୀ ୧ ଲକ୍ଷ ମାମଲା ମାତ୍ର ୪ ଦିନରେ ଚିହ୍ନଟ ହୋଇଥିଲା । ଏଥିରୁ ଅନୁମାନ କରାଯାଇ ପାରେ କରୋନା ଭୂତାଣୁର ସଂକ୍ରମଣ କେତେ ମାରାତ୍ମକ ହୋଇସାରିଛି ।

ବର୍ତମାନ ସୁଦ୍ଧା ସାରା ବିଶ୍ୱରେ ୧୬ହଜାର ୫ଶହରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇ ସାରିଲାଣି । ୩ ଲକ୍ଷ ୯୦ ହଜାରରୁ ଅଧିକ ଲୋକ ଏହି ମାରାତ୍ମକ ଭୂତାଣୁରେ ସଂକ୍ରମିତ ହୋଇଛନ୍ତି । ଲଗାତାର ଭାବେ ବେଶ ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ଏହି ସଂଖ୍ୟାକୁ ଦେଖି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ତରଫରୁ ସତର୍କ ସୂଚନା ଜାରି କରାଯାଇଛି ।

ସାରା ବିଶ୍ୱରେ ଦ୍ରୁତ ଗତିରେ ବଢୁଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ହେଲେ ଏବେ ବି ଏହି ଗ୍ରାଫକୁ ବଦଳାଇଯାଇ ପାରିବ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ତରଫରୁ କୁହାଯାଇଛି । ବିଶ୍ୱର ସବୁ ଦେଶ ଯଦି କଡାକଡି ଭାବେ ‘ସାମାଜିକ ଦୂରତ୍ବ’ ପାଳନ କରନ୍ତି ତେବେ ଭାଇରସର ସଂକ୍ରମଣ ଚକ୍ରକୁ ଭାଙ୍ଗି ହେବ। ତେଣୁ ପ୍ରଧାନମନ୍ତ୍ରୀ ସମସ୍ତଙ୍କୁ ଆହ୍ବାନ .ଦେଇଛନ୍ତି, ଆଜି ମଧ୍ୟରାତ୍ରରୁ ୨୧ ଦିନ ପାଇଁ ଘରୁ ବାହାରନ୍ତୁ ନାହିଁ । ଏବେ ଆପଣମାନେ ଯେଉଁଠି ଅଛନ୍ତି ସେଇଠି ରହନ୍ତୁ । ଏହି ୨୧ଦିନ ନିଜକୁ ନ ସମ୍ଭାଳିଲେ ଆମେ ୨୧ ବର୍ଷ ପଛକୁ ଚାଲିଯିବା । ନିଜକୁ ବଞ୍ଚାନ୍ତୁ, ପରିବାକୁ ବଞ୍ଚାନ୍ତୁ, ଦେଶକୁ ବଞ୍ଚାନ୍ତୁ।

ସମ୍ବନ୍ଧିତ ଖବର