ଏନ୍‌ଡିଏ ସରକାର ‘ଫମ୍ପା ପ୍ରତିଶ୍ରୁତିର ଗାଥା’: ଅନାସ୍ଥା ବିତର୍କରେ କହିଲେ ଟିଡିପି ସାଂସଦ ଜୟଦେବ

ନୂଆଦିଲ୍ଲୀ: ଆଜି ଲୋକସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ନେସ୍‌ନାଲ୍‌ ଡେମୋକ୍ରାଟିକ୍‌ ଆଲିଏନ୍‌ସ୍‌ ସରକାର ପ୍ରଥମ ଥର ଲାଗି ଅନାସ୍ଥା ପ୍ରସ୍ତାବର ସମ୍ମୁଖୀନ ହୋଇଛି।

ପୂର୍ବାହ୍ନ ୧୧ଟା ସମୟରେ ଆରମ୍ଭ ହୋଇଥିବା ବିତର୍କ ବିଳମ୍ବିତ ଅପରାହ୍ଣ ସୁଦ୍ଧା ଶେଷ ହେବା ପରେ ସନ୍ଧ୍ୟା ୬ଟାରେ ଅନାସ୍ଥା ଭୋଟ୍‌ ଗ୍ରହଣ କରାଯିବ ବୋଲି ଲୋକସଭା ବାଚସ୍ପତି ସୁମିତ୍ରା ମହାଜନ ଘୋଷଣା କରିଛନ୍ତି।

ଲୋକସଭାରେ ସାଂସଦଙ୍କ ସଂଖ୍ୟା ଆଧାରରେ ପ୍ରତ୍ୟେକ ରାଜନୈତିକ ଦଳଙ୍କୁ କହିବା ପାଇଁ ସମୟ ନିର୍ଦ୍ଧାରଣ କରାଯାଇଛି। ବିଜେପି ସବୁଠୁ ସଂଖ୍ୟା ଗରିଷ୍ଠ ଦଳ ହୋଇଥିବାରୁ ତାକୁ ୩ ଘଣ୍ଟା ୩୩ ମିନିଟ୍‌ ମିଳିଛି। କଂଗ୍ରେସକୁ ମିଳିଛି ୩୮ ମିନିଟ୍‌, ଏଆଇଏଡିଏମ୍‌କେକୁ ୨୯, ତୃଣମୂଳ କଂଗ୍ରେସ ୨୭ ମିନିଟ୍‌, ବିଜେଡି ୧୫ ମିନିଟ୍‌, ଶିବ ସେନା ୧୪ ମିନିଟ୍‌, ଟିଡିପି ୧୩ ମିନିଟ୍‌ ଓ ଟିଆର୍‌ଏସ୍‌କୁ ମିଳିଛି ୯ ମିନିଟ୍‌। ସେମିତି ସିପିଆଇଏମ୍‌କୁ ଦିଆଯାଇଛି ୭ ମିନିଟ୍‌, ସମାଜବାଦୀ ପାର୍ଟି ୬ ମିନିଟ୍‌, ଏନ୍‌ସିପି ୬ ମିନିଟ୍‌ ଏବଂ ଏଲ୍‌ଜେଏସ୍‌ପି ପାଇଛି ୫ ମିନିଟ୍‌।

ବିତର୍କ ପାଇଁ କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖଡ୍‌ଗେ ଅଧିକ ସମୟ ଦାବି କରିଥିବା ବେଳେ ଓଡ଼ିଶା ପ୍ରତି ଏନ୍‌ଡିଏ ସରକାର ଅନ୍ୟାୟ କରିଛି ଓ ଅନାସ୍ଥା ପ୍ରସ୍ତାବରେ ଭୂମିକା ନେବନାହିଁ ବୋଲି କହି ବିଜେଡି ସାଂସଦମାନେ ଗୃହ ତ୍ୟାଗ କରି ଚାଲିଯାଇଥିଲେ।

ପ୍ରଥମ ଥର ସାଂସଦ ହୋଇଥିବା ଆନ୍ଧ୍ରପ୍ରଦେଶର ଗୁଣ୍ଟୁର୍‌ ନିର୍ବାଚନ ମଣ୍ଡଳୀର ସାଂସଦ ଜୟଦେବ ଗାଲ୍ଲା ଲୋକସଭାରେ ଅନାସ୍ଥା ପ୍ରସ୍ତାବ ଉପରେ ବକ୍ତବ୍ୟ ରଖିଛନ୍ତି। ଗାଲା କହିଛନ୍ତି: ବିଜେପି ନେତୃତ୍ୱାଧୀନ ଏନ୍‌ଡିଏ ସରକାର ‘ଫମ୍ପା ପ୍ରତିଶ୍ରୁତିର ଗାଥା’। ଆନ୍ଧ୍ର ପ୍ରଦେଶର ସମସ୍ୟା ନିଶ୍ଚୟ ଜାତୀୟ ସମସ୍ୟା ଏବଂ ଏକ ଆବେଗିକ ସମସ୍ୟା ମଧ୍ୟ। ଏହା ବିଜେପି ଏବଂ ଟିଡିପି ମଧ୍ୟରେ ସଂଗ୍ରାମ ନୁହେଁ। ଏହା ଏକ ଧର୍ମ ଯୁଦ୍ଧ।

ବିତର୍କ ଓ ଅନାସ୍ଥା ଭୋଟ୍‌ରେ ଶିବସେନା ମଧ୍ୟ ଅଂଶ ଗ୍ରହଣ କରିବ ନାହିଁ ବୋଲି ଘୋଷଣା କରିଛି।

ସମ୍ବନ୍ଧିତ ଖବର