ଟେକ୍ସାସ,: ଆମେରିକାର ହଷ୍ଟନ୍ରେ ଭାରତୀୟଙ୍କ ସବୁଠାରୁ ବଡ଼ ସୋ’ ‘ହାଉଡ଼ି ମୋଦୀ’ ଆଜି ଇତିହାସ ସୃଷ୍ଟି କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସ୍ବାଗତ ପାଇଁ ହଷ୍ଟନର ଏନ୍ଆର୍ଜି ଷ୍ଟାଡିୟମରେ ୫୦ ହଜାରରୁ ଅଧିକ ଭାରତୀୟ-ଆମେରିକୀୟଙ୍କ ଉପସ୍ଥିତି ସହିତ ସମଗ୍ର ସହର ଆଜି ଉତ୍ସବମୁଖର ହୋଇଉଠିଥିଲା। ୪ ଶହରୁ ଅଧିକ କଳାକାର ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ହାଓଡି ମୋଦୀ, ୱେଲ୍କମ୍ ମୋଦୀଜୀ ଏବଂ ନମୋ-ନମୋ ସ୍ଲୋଗାନରେ ସମଗ୍ର ଷ୍ଟାଡିୟମ ପ୍ରକମ୍ପିତ ହୋଇଉଠିଥିଲା। ଟେକ୍ସାସ ପ୍ରଦେଶର ବିଭିନ୍ନ ଅଂଚଳରୁ ପ୍ରାୟ ୨ ଶହ ସ୍ବତନ୍ତ୍ର ବସ୍ରେ ଭାରତୀୟମାନେ ହଷ୍ଟନରେ ପହଞ୍ଚିଥିଲେ। ମୋଦୀଙ୍କ ସ୍ବାଗତ ସମାରୋହରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ପୂରା ସମୟ ଉପସ୍ଥିତ ଥିଲେ ଏବଂ ଭାରତୀୟ-ଆମେରିକୀୟଙ୍କ ଅବଦାନକୁ ଭୂୟସୀ ପ୍ରଶଂସା କରିଥିଲେ। ମୋଦୀଙ୍କ ସ୍ବାଗତ ପାଇଁ ଟେକ୍ସାସ ଗଭର୍ଣ୍ଣରଙ୍କ ସମେତ ୬୦ରୁ ଅଧିକ ପ୍ରଭାବଶାଳୀ ଆମେରିକୀୟ ସାଂସଦଙ୍କ ଉପସ୍ଥିତି ଦେଖିବାକୁ ମିଳିଥିଲା। ଟେକ୍ସାସର ଭବ୍ୟ ସ୍ବାଗତ ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ଧନ୍ୟବାଦ ଜଣାଇଥିଲେ। ପୂର୍ବରୁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଟ୍ବିଟ୍ କରି କହିଥିଲେ ଭାରତୀୟ ଆମେରିକୀୟଙ୍କ ଭଲପାଇବା ଏବଂ ଉତ୍ସାହ ଉଭୟ ଦେଶର ଦ୍ବିପାକ୍ଷିକ ସଂପର୍କରେ ନୂଆ ଅଧ୍ୟାୟ ସୃଷ୍ଟି କରିଛି। ହାଓଡି ମୋଦୀ କାର୍ଯ୍ୟକ୍ରମରେ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ସ୍ବତନ୍ତ୍ର କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଆମେରିକାରେ ବାସ କରୁଥିବା ଜଣେ ପ୍ରବାସୀ ଭାରତୀୟ ଭିନ୍ନକ୍ଷମ ବାଳକ ଭାରତର ଜାତୀୟ ସଙ୍ଗୀତ ଜନ ଗଣ ମନ ଅଧିନାୟକ ଗାନ କରିଛନ୍ତି। ୧୬ ବର୍ଷୀୟ ଏହି ଭିନ୍ନକ୍ଷମ ବାଳକଙ୍କ ନାମ ହେଉଛି ସ୍ପର୍ଶ ଶାହ। ଓଷ୍ଟିଓଜେନେସିସ ଇମ୍ପରଫେକ୍ଟା ବା ବ୍ରିଟଲ ବୋନ୍ ନାମକ ଏକ ବିରଳ ରୋଗରେ ପୀଡ଼ିତ ସ୍ପର୍ଶ ହ୍ବିଲ ଚେୟାରରେ ଆସି ଶନିବାର ଜର୍ଜ ବୁଶ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପହଞ୍ଚିଥିଲେ।
ହଷ୍ଟନ: ହଷ୍ଟନସ୍ଥିତ ଏନଆରଜି ଷ୍ଟାଡିୟମରେ ଉଦବୋଧନ ଦେବା ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି କେତୋଟି ଭାରତୀୟ ଭାଷାର ଉଚ୍ଚାରଣ କରିବା ଦେଖିବାକୁ ମିଳିଥିଲା। ଏହା ମଧ୍ୟରେ ଓଡ଼ିଆ ଭାଷା ରହିଥିଲା। ହାଓଡି ମୋଦୀ କାର୍ଯ୍ୟକ୍ରମରେ ଯୋଗଦେଇ ମୋଦୀ କହିଥିଲେ ମୁଁ ଏକା କିଛି ନୁହେଁ। ୧୩୦ କୋଟି ଲୋକଙ୍କ ନିର୍ଦ୍ଦେଶରେ ମୁଁ କାର୍ଯ୍ୟ କରୁଛି। ଆପଣମାନେ ଯଦି ପ୍ରଶ୍ନ କରିବେ ମୋଦୀ ଆପଣ କିପରି ଅଛନ୍ତି? ତାହେଲେ ମୁଁ କହିବି ଭାରତରେ ସବୁ କିଛି ଭଲ ଅଛି। ଏଥିରେ ସେ କେତୋଟି ଭାରତୀୟ ଭାଷାରେ ସବୁ ଭଲ ଅଛି ବୋଲି କହିଥିଲେ। ବଙ୍ଗଳାରେ ସବ୍ ଖୁବ୍ ଭାଲୋ ବୋଲି କହିବା ପରେ ମୋଦୀ ଓଡ଼ିଆରେ ସବୁ ଭଲ ଅଛି ବୋଲି କହିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/09/US-President-Donald-Trump-and-Indian-Prime-Minister-Narendra-Modi_16d5a588ba7_large.jpg)