ନିର୍ବାଚନୀ ସଭାରେ ଦଳାଚକଟା ଭଳି ପରିସ୍ଥିତି ଦେଖା ଦେବାରୁ ଭାଷଣ ଅଧାରୁ ବନ୍ଦ ରଖିଲେ ପ୍ରଧାନମନ୍ତ୍ରୀ ମୋଦି

ଠାକୁରନଗର: ପଶ୍ଚିମବଙ୍ଗର ଉତ୍ତର ୨୪ ପ୍ରଗଣା ଜିଲ୍ଲାର ଠାକୁରନଗର ଠାରେ ଆୟୋଜିତ ଏକ ନିର୍ବାଚନୀ ସଭାରେ ଦଳାଚକଟା ଭଳି ପରିସ୍ଥିତି ସୃଷ୍ଟି ହେବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ଭାଷଣକୁ ଅଧାରୁ ବନ୍ଦ ରଖବବାକୁ ବାଧ୍ୟ ହୋଇଛନ୍ତି।

ଶନିବାର ପ୍ରଧାନମନ୍ତ୍ରୀ ମୋଦି ପଶ୍ଚିମବଙ୍ଗରେ ନିର୍ବାଚନ ପ୍ରଚାର ଆରମ୍ଭ କରି ଠାକୁର ନଗରଠାରେ ଏକ ବିଶାଳ ରାଲି ଜନସଭାକୁ ସମ୍ଭୋଧିତ କରିଥିଲେ। ସଭାସ୍ଥଳରେ ପ୍ରଧାନମନ୍ତ୍ରୀ ପହଞ୍ଚବା ପରେ ଉପସ୍ଥିତ ଲୋକେ ଚିତ୍କାର କରି ତାଙ୍କୁ ଅଭିବାଦନ ଜଣାଇଥିଲେ। ମାତ୍ର ଯେଉଁ ପଡିଆରେ ସଭା ଆୟୋଜନ କରାଯାଇଥିଲା, ତା’ର କ୍ଷମତାଠାରୁ ଢେର ଅଧିକ ସଂଖ୍ୟକ ଲୋକ ସଭାରେ ଠୁଳ ହୋଇଥିଲେ। ଫଳରେ ଭିଡ ହେତୁ ଦଳାଚକଟା ଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା।


ପରିସ୍ଥିତି ଦେଖି ପ୍ରଧାନମନ୍ତ୍ରୀ ଲୋକଙ୍କୁ ଶୃଙ୍ଖଳାର ସହ ଆଚରଣ କରିବାକୁ ଅନୁରୋଧ କରିଥିଲେ। ଏହା ସତ୍ତ୍ୱେ ହୋ ହଲ୍ଲା ଜାରି ରହିଥିଲା। ପରିସ୍ଥିତି ଅଣାୟତ୍ତ ହେଉଥିବା ଲକ୍ଷ୍ୟ କରି ମୋଦି ମାତ୍ର ୧୪ ମିନିଟ ଭାଷଣ ଦେଇ ସଭାସ୍ଥଳକୁ ପରିତ୍ୟାଗ କରିଥିଲେ। ଏହାପରେ ସଭାରେ ଉପସ୍ଥିତ ମହିଳା ଓ ଶିଶୁଙ୍କୁ ସୁରକ୍ଷା ଯୋଗାଇବା ଲାଗି ବିଜେପିର କର୍ମୀମାନେ ପ୍ରାଣମୂର୍ଚ୍ଛା ଉଦ୍ୟମ କରୁଥିବା ଦେଖିବାକୁ ମିଳିଥିଲା।

ତାଙ୍କର ସଂକ୍ଷିପ୍ତ ଭାଷଣରେ ପ୍ରଧାନମନ୍ତ୍ରୀ ମୋଦି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ତୃଣମୂଳ କଂଗ୍ରେସ ଶାସନକୁ ସମାଲୋଚନା କରିଥିଲେ। ସେ କହିଥିଲେ,‘ଦିଦି ଓ ତୃଣମୂଳ କଂଗ୍ରେସ ବିଜେପି କର୍ମୀଙ୍କ ବିରୋଧରେ ହିଂସାତ୍ମକ ଆଚରଣ ପ୍ରଦର୍ଶନ କରୁଛନ୍ତି। ଏଇ ସଭାକୁ ଦେଖନ୍ତୁ। ବର୍ତ୍ତମାନ ମୁଁ ବୁଝିପାରୁଛି ,ଦିଦି କାହିଁକି ହିଂସାର ରାସ୍ତା ବାଛୁଛନ୍ତି। ଯେଉଁମାନେ ନିଜକୁ ଗଣତାନ୍ତ୍ରିକ ଧାରାର ବୋଲି କହନ୍ତି ସେମାନେ ନିରୀହ ଲୋକଙ୍କୁ ହତ୍ୟା କରନ୍ତି।’

ସମ୍ବନ୍ଧିତ ଖବର