କଂଗ୍ରେସ କ’ଣ କେବଳ ମୁସଲମାନ ପୁରୁଷଙ୍କର?

ରାହୁଲ୍‌ଙ୍କୁ ମୋଦୀଙ୍କ ଟାର୍ଗେଟ୍‌

ନୂଆଦିଲ୍ଲୀ: ତିନି ତଲାକ୍‌ ପ୍ରସଙ୍ଗରେ କଂଗ୍ରେସର ଆଭିମୁଖ୍ୟକୁ ଆଧାର କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର କଂଗ୍ରେସକୁ କଡ଼ା ଭର୍ତ୍ସନା କରିଛନ୍ତି। ସେ କହିଛନ୍ତି, ତିନିତଲାକ୍‌ ଭଳି ସାମାଜିକ କୁସଂସ୍କାରକୁ ହଟାଇବା ପାଇଁ ବିଜେପି ସରକାର ଉଦ୍ୟମ କରୁଥିବା ବେଳେ କଂଗ୍ରେସ ଏଥିରେ ବାଧକ ସାଜୁଛି। ଅନ୍ୟପକ୍ଷରେ ଦଳ ମୁସଲିମ୍‌ଙ୍କ ପାଇଁ କାର୍ଯ୍ୟ କରୁଛି ବୋଲି ଦାବି କରୁଛି। ତେବେ ମୋର ଏଠାରେ ପ୍ରଶ୍ନ- କଂଗ୍ରେସ କ’ଣ କେବଳ ମୁସଲମାନ ପୁରୁଷଙ୍କ ପାଇଁ କାର୍ଯ୍ୟ କରିବାକୁ ଚାହୁଛି? ଉତ୍ତର ପ୍ରଦେଶର ଆଜମଗଡ଼ରେ ଅନୁଷ୍ଠିତ ଏକ ର‍୍ୟାଲିକୁ ସମ୍ବୋଧନ କରି ମୋଦୀ କହିଛନ୍ତି, କଂଗ୍ରେସ ମୁସ୍‌ଲିମ୍‌ଙ୍କ ଦଳ ବୋଲି ଏହାର ଅଧ୍ୟକ୍ଷ କହିଥିବା ନିକଟରେ ଏକ ଖବରକାଗଜରେ ପଢ଼ିଥିଲି। ତେବେ ମୋର ଏଥିରେ କିଛି କହିବାର ନାହିଁ। ମୋତେ ଏହା ଆଦୌ ଆଶ୍ଚର୍ଯ୍ୟ କରିନାହିଁ। କିନ୍ତୁ ଦଳକୁ ମୋର ଗୋଟିଏ ପ୍ରଶ୍ନ- କଂଗ୍ରେସ କ’ଣ କେବଳ ମୁସ୍‌ଲିମ୍‌ ପୁରୁଷଙ୍କ ପାଇଁ ନା ମହିଳାଙ୍କ ଲାଗି ମଧ୍ୟ କାର୍ଯ୍ୟ କରିବାକୁ ଚାହୁଛି? ଏଭଳି କହି ପ୍ରଧାନମନ୍ତ୍ରୀ ସିଧା ରାହୁଲ ଗାନ୍ଧୀଙ୍କୁ ଆକ୍ରମଣ କରିଛନ୍ତି। ଅନ୍ୟପକ୍ଷରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପକ୍ଷରୁ ଏଭଳି ମନ୍ତବ୍ୟ ପ୍ରକାଶ ପାଇବା ପରେ କଂଗ୍ରେସ ଟ୍ଵିଟର୍‌ ମାଧ୍ୟମରେ ଏହାର ଜବାବ ଦେଇଛି। ଦେଶର ଜନତାଙ୍କୁ ମୋଦୀ ବାରମ୍ବାର ମିଛ କହୁଥିବା କଂଗ୍ରେସ କହିଛି। ଦଳ ଆହୁରି କହିଛି ଯେ ମୋଦୀ ଏବେ କୌଣସି ପ୍ରସଙ୍ଗକୁ ନେଇ ନିଜକୁ ଅସୁରକ୍ଷିତ ମଣୁଛନ୍ତି। ତେଣୁ ବାରମ୍ବାର ମିଛର ସାହାରା ନେଇ ସେ ଲୋକଙ୍କୁ ପ୍ରଭାବିତ କରିବାକୁ ଅପଚେଷ୍ଟା କରିଆସୁଛନ୍ତି। ଆଜମଗଡ଼ରେ ୩୪୦ କିଲୋମିଟରର ପୂର୍ବାଞ୍ଚଳ ଏକ୍ସପ୍ରେସ୍‌େଓ୍ଵର ଭିତ୍ତିପ୍ରସ୍ତର ସ୍ଥାପନ ଅବସରରେ ଆୟୋଜିତ ଏକ ସଭାରେ ମୋଦୀ କହିଛନ୍ତି ଯେ ତିନିତଲାକ୍‌କୁ ନେଇ କଂଗ୍ରେସର ଆଭିମୁଖ୍ୟ ଦଳର ଅସଲ ମୁଖା ଖୋଲିଛି।

ସମ୍ବନ୍ଧିତ ଖବର