୨୪ରେ କୁମ୍ଭମେଳା ଯିବେ ମୋଦି, ସଂଗମରେ ବୁଡ ପକାଇବା ସହ ସାଧୁସନ୍ୟାସୀଙ୍କୁ ଭେଟିବେ

ପ୍ରୟାଗରାଜ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ୨୪ ତାରିଖରେ ଏଠାରେ ଅନୁଷ୍ଠିତ କୁମ୍ଭ ମେଳା ପରିଦର୍ଶନରେ ଆସିବେ । ଏହି ଦିନ ସେ ଗଙ୍ଗା-ଯମୁନା ଓ ପୌରାଣିକ ସରସ୍ବତୀ ନଦୀର ପବିତ୍ର ସଂଗମଠାରେ ବୁଡ ପକାଇବେ । ଏହି କାର୍ଯ୍ୟକ୍ରମକୁ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ଅନୁମୋଦନ କରିଛି । ମୋଦିଙ୍କ ଗସ୍ତ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି ।

ପୂର୍ବରୁ ମୋଦି ମାଘ ପୂର୍ଣ୍ଣିମା ଅର୍ଥାତ ୧୯ ତାରିଖ ଦିନ କୁମ୍ଭ ମେଳା ଆସିବାର ଥିଲା, ପରେ ଏହାକୁ ଫେବ୍ରୁଆରୀ ୨୭କୁ ଘୁଞ୍ଚାଇ ଦିଆଯାଇଥିଲା । କିନ୍ତୁ ଗତ କାଲି ହଠାତ ଏହାକୁ ୨୪କୁ ବଦଳାଯାଇଛି । ଏହି ନୂଆ କାର୍ଯ୍ୟକ୍ରମ ଅନୁସାରେ ମୋଦି ଗୋରଖପୁରରେ ଥିବା ଆଉ ଏକ କାର୍ଯ୍ୟକ୍ରମ ସାରି ଦିନ ୨ଟା ୩୦ରେ ପ୍ରୟାଗରାଜର କୁମ୍ଭ କ୍ଷେତ୍ରରେ ପହଞ୍ଚିବେ । ଏହା ପରେ ସେ ସଡକ ପଥରେ ସଂଗମ ଅଞ୍ଚଳରେ ପହଞ୍ଚିବେ । ସେଠାରେ ବୁଡ ପକାଇବା ପରେ ଅକ୍ଷୟ ବଟ, ସରସ୍ବତୀ କୂପ ଓ ବଡେ ହନୁମାନଜୀଙ୍କ ଦର୍ଶନ କରିବେ । ଏହାପରେ ସେ ସାଧୁସନ୍ୟାସୀମାନଙ୍କୁ ଭେଟି ସେମାନଙ୍କ ସହ ଆଲୋଚନା କରିବେ । ଏହି ଅବସରରେ ପ୍ରଧାନମନ୍ତ୍ରୀଙ୍କ ସହ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ରହିବେ ।

ସମ୍ବନ୍ଧିତ ଖବର