ମୋଦୀଙ୍କ ଚେତାବନୀ: ‘ଲକ୍ ଡାଉନ୍’କୁ ଗୁରୁତ୍ବର ସହ ନିଅନ୍ତୁ, ୨୧ ଦିନ ନିଜକୁ ନ ସମ୍ଭାଳିଲେ ୨୧ ବର୍ଷ ପଛକୁ ଫେରିଯିବାକୁ ପଡ଼ିବ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ଉଦବୋଧନ ଦେଇ ଆଜି ରାତି ୧୨ଟାରୁ ପୂରା ଦେଶକୁ ଲକ୍ ଡାଉନ୍ ଘୋଷଣା କରିଛନ୍ତି। ତିନି ସପ୍ତାହ ଅର୍ଥାତ ୨୧ ଦିନ ଧରି ଲକ୍ ଡାଉନ୍ ଜାରି ରହିବ ବୋଲି କହିବା ସହ ଏହାକୁ ହାଲକା ଭାବରେ ନିଅନ୍ତୁ ନାହିଁ ବୋଲି ଚେତାବନୀ ଦେଇଛନ୍ତି। ମୋଦୀ କହିଛନ୍ତି, ଏହି ଲକ ଡାଉନକୁ ଗମ୍ଭୀରତାର ସହ ନେବାକୁ ହେବ। କାରଣ ବିଶ୍ବ ମହାମାରୀ କରୋନାକୁ ରୋକିବାକୁ ହେଲେ ଆମକୁ ଘରେ ରହିବାକୁ ପଡ଼ିବ। ଏହି ଲକଡାଉନକୁ ଏକ କର୍ଫ୍ୟୁ ବୋଲି ଭାବି ନିଅନ୍ତୁ। ଘର ବାହାରକୁ ବାହାରିବାକୁ ଭୁଲି ଯାଆନ୍ତୁ।

ଯଦି ଆପଣ ଏହା ପାଳନ ନ କରନ୍ତି ତେବେ ଏଥିଲାଗି କେବଳ ଆପଣଙ୍କୁ ନୁହେଁ, ଆପଣଙ୍କ ପରିବାରକୁ,ବରଂ ପୂରା ଦେଶକୁ ବହୁମୂଲ୍ୟ ଦେବାକୁ ପଡ଼ିବ। ଆପଣଙ୍କ ଦାୟିତ୍ବହୀନତା ଲାଗି ଆପଣଙ୍କ ପିତାମାତା,ପିଲାଛୁଆ ଓ ପରିବାର ସଂକଟ ଭିତରକୁ ଠେଲି ହୋଇ ଯାଇପାରେ ବୋଲି ସତର୍କ କରାଇଛନ୍ତି ପ୍ରଧାନମନ୍ତ୍ରୀ। .ସେ ଆହୁରି କହିଛନ୍ତି, କରୋନାକୁ ରୋକିବାର ଏକମାତ୍ର ଅସ୍ତ୍ର ଘରେ ନିଜକୁ ବନ୍ଦ କରି ରଖିବା। ଯଦି ଏହାକୁ ହାଲକା ଭାବେ ନିଅନ୍ତି ତେବେ ଏହି ଦାୟିତ୍ବହୀନତା ଲାଗି ପୂରା ଭାରତକୁ ଯେଉଁ ମୂଲ୍ୟ ଦେବାକୁ ପଡ଼ିବ ତାହା କଳନା କରିବା କଷ୍ଟକର।

NDTV

ନିଜ ଉଦବୋଧନରେ ପ୍ରଧାନମନ୍ତ୍ରୀ କହିଛନ୍ତି, ମୁଁ  ପ୍ରଧାନମନ୍ତ୍ରୀ ଭାବେ ନୁହେଁ, ଆପଣଙ୍କ ପରିବାରର ଜଣେ ସଦସ୍ୟ ଭାବେ ଏହି ଅନୁରୋଧ କରୁଛି- କରୋନା କବଳରୁ ବଞ୍ଚିବା ଲାଗି ଦେଶବାସୀ ସମସ୍ତଙ୍କୁ ଘରେ ରହନ୍ତୁ। ପ୍ରତି ନାଗରିକ ନିଜକୁ ବଞ୍ଚାଇବା ଲାଗି, ନିଜ ପରିବାରକୁ ବଞ୍ଚାଇବା ଲାଗି ଓ ଦେଶକୁ ବଞ୍ଚାଇବା ଲାଗି ଏହା ପାଳନ କରନ୍ତୁ।

ଆଜି ମଧ୍ୟରାତ୍ରରୁ ୨୧ ଦିନ ପାଇଁ ଭାରତ ଲକ୍ ଡାଉନ୍ ହେବ । ଏହି ୨୧ଦିନ ନିଜକୁ ନସମ୍ଭାଳିଲେ ଆମେ ୨୧ ବର୍ଷ ପଛକୁ ଚାଲିଯିବା । ଏବେ ଆପଣମାନେ ଯେଉଁଠି ଅଛନ୍ତି ସେଇଠି ରହନ୍ତୁ । ନିଜକୁ ବଞ୍ଚାନ୍ତୁ, ପରିବାକୁ ବଞ୍ଚାନ୍ତୁ, ଦେଶକୁ ବଞ୍ଚାନ୍ତୁ।

ସମ୍ବନ୍ଧିତ ଖବର