ମାନିଲାରେ ମୋଦି-ଟ୍ରମ୍ପ ଆଲୋଚନା: ଏସିଆ ଓ ମାନବଜାତିର ଭବିଷ୍ୟତ ସ୍ୱାର୍ଥକୁ ଗୁରୁତ୍ୱ ଦେଇ କାର୍ଯ୍ୟ କରିବା ପାଇଁ ନିଷ୍ପତ୍ତି

ମାନିଲା: ଫିଲିଫିନ୍ସର ରାଜଧାନୀ ମାନିଲା ଠାରେ ଆଜି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ଅନୁଷ୍ଠିତ ହୋଇ ଯାଇଛି। ଏହି ବହୁ ପ୍ରତୀକ୍ଷିତ ଦ୍ୱିପାକ୍ଷିକ ଆଲୋଚନା ପରେ ଉଭୟ ନେତା କହିଛନ୍ତି ଯେ ଭାରତ- ଆମେରିକା ମଧ୍ୟରେ ଦ୍ୱିପାକ୍ଷିକ ସଂପର୍କରେ ଦିନକୁ ଦିନ ବୃଦ୍ଧି ଘଟିବା ସହ ଏହା ଅଧିକରୁ ଅଧିକ ଦୃଢ଼ ହେବାରେ ଲାଗିଛି। ଖାଲି ଏତିକି ନୁହେଁ; ଦୁଇ ଦେଶ ମଧ୍ୟରେ ଏବେ ସଂପର୍କ କେବଳ ମାତ୍ର ପରସ୍ପର ମଧ୍ୟରେ ସୀମିତ ନ ରହି ଅଧିକରୁ ଅଧିକ ବ୍ୟାପକ ହେବାରେ ଲାଗିଛି। ଏହି ଦୁଇ ରାଷ୍ଟ୍ର ଏବେ ମିଳିତ ଭାବେ ଏସିଆ ମହାଦେଶ ଅନ୍ତର୍ଗତ ରାଷ୍ଟ୍ର ସମୂହ ଓ ଏହାର ମାନବଜାତିର ଆଗାମୀ ଦିନର ସ୍ୱାର୍ଥକୁ ଗୁରୁତ୍ୱ ଦେଇ କାର୍ଯ୍ୟ କରିବା ପାଇଁ ମଧ୍ୟ ନିଷ୍ପତ୍ତି ନେଇଛନ୍ତି।

ଉଲ୍ଲେଖଯୋଗ୍ୟ, ଏସୀୟ- ପ୍ରଶାନ୍ତ ଆର୍ଥିକ ସହଯୋଗ ସମ୍ମିଳନୀ (ଏପେକ୍‌)ରେ ଯୋଗ ଦେବା ଅବସରରେ ଏହି ଦୁଇ ରାଷ୍ଟ୍ର ନେତା ଆଜି ପୂର୍ବାହ୍ନରେ ଫିଲିପିନ୍ସର ରାଜଧାନୀ ମାନିଲା ଠାରେ ପରସ୍ପରକୁ ଭେଟିଥିଲେ। ଉଭୟ ରାଷ୍ଟ୍ର ନେତାଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି କହିଛନ୍ତି ଯେ ଏହି ଦୁଇ ରାଷ୍ଟ୍ର ଏବେ ଏସିଆ ଓ ଏହାର ମାନବଜାତିର ଭବିଷ୍ୟତର ସ୍ୱାର୍ଥକୁ ଗୁରୁତ୍ୱ ଦେଇ ମିଳିତ ଭାବେ କାର୍ଯ୍ୟ କରିବେ। କାରଣ ଏହି ଦୁଇ ରାଷ୍ଟ୍ର ମଧ୍ୟରେ ରହିଥିବା ପାରସ୍ପରିକ ସଂପର୍କ ଏବେ ଆଉ କେବଳ ମାତ୍ର ନିଜ ନିଜ ମଧ୍ୟରେ ସୀମିତ ହୋଇ ରହି ଯାଇନାହିଁ।

ଅନ୍ୟପକ୍ଷରେ, ଦକ୍ଷିଣ ଚୀନ୍‌ ମହାସାଗର ଅଞ୍ଚଳରେ ଚୀନ୍‌ର ଆଧିପତ୍ୟ ବୃଦ୍ଧି ପରିପ୍ରେକ୍ଷୀରେ ଭାରତ- ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଭାରତର ଗୁରୁତ୍ୱ ବୃଦ୍ଧିକୁ ଆମେରିକା ପ୍ରାଧାନ୍ୟ ଦେବ ବୋଲି ମଧ୍ୟ ଦ୍ୱିପାକ୍ଷିକ ଆଲୋଚନା କାଳରେ ଆମେରିକା ରାଷ୍ଟ୍ରପତି ସ୍ପଷ୍ଟ କରିଦେଇଛନ୍ତି। ଏଥି ସହ ଏହି ଦୁଇ ରାଷ୍ଟ୍ର ନେତା ଦ୍ୱିପାକ୍ଷିକ ଆଲୋଚନା କାଳରେ ଉଭୟ ଦେଶ ମଧ୍ୟରେ ବାଣିଜ୍ୟ ଓ ସୁରକ୍ଷା ଠାରୁ ଆରମ୍ଭ କରି ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିଥିବା ଜଣାଯାଇଛି।

ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗତ ଶୁକ୍ରବାର ଭିଏତ୍‌ନାମ ଠାରେ ଚାଲିଥିବା ଏସୀୟ- ପ୍ରଶାନ୍ତ ଆର୍ଥିକ ସହଯୋଗ ସମ୍ମିଳନୀ (ଏପେକ୍‌)ର ସିଇଓ ସମ୍ମିଳନୀରେ ଉଦ୍‌ବୋଧନ ଦେବା ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଭୂରିଭୂରି ପ୍ରଶଂସା କରଥିଲେ। ଭାରତ ପରି ଏକ ବିଶାଳ ଦେଶ ଓ ଏହାର ବିପୁଳ ଜନତାଙ୍କୁ ଏକାଠି କରିବାରେ ମୋଦି ‘ଅତ୍ୟନ୍ତ ସଫଳ’ ହୋଇଛନ୍ତି ବୋଲି କହିଥିଲେ ରାଷ୍ଟ୍ରପତି ଟ୍ରମ୍ପ୍‌।

ସମ୍ବନ୍ଧିତ ଖବର