ଶିରିଡି ସାଇଙ୍କ ସମାଧିର ଶହେ ବର୍ଷ ପୂର୍ତ୍ତି : ଶିରିଡ଼ିରେ ବିଶେଷ ପୂଜାର୍ଚ୍ଚନା ସହ ଜନକଲ୍ୟାଣ ଯୋଜନାର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ମୋଦି

ଶିରିଡ଼ି : ଶିରିଡି ସାଇଙ୍କ ସମାଧିର ଶହେ ବର୍ଷ ପୂର୍ତ୍ତି ଅବସରରେ ମହାରାଷ୍ଟ୍ରର ଶିରିଡି ସାଇ ପୀଠରେ ଆଜି ସ୍ୱତନ୍ତ୍ର ପୂଜାର୍ଚ୍ଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାବିସ୍ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ସହ ଏହି ଗସ୍ତରେ ସାମିଲ୍ ଥିଲେ। ଶିରିଡ଼ି ସାଇ  ମନ୍ଦିରର ପରିଦର୍ଶକ ପୁସ୍ତିକାରେ ବି ମୋଦି ନିଜର ମତ ରଖିଛନ୍ତି ।

ଏଥିସହ  ଶିରିଡିରେ ପ୍ରଧାନମନ୍ତ୍ରୀ ଏକ ରାଲିର ସମ୍ବୋଧନ କରିବା ସହ ଅନେକ ଜନକଲ୍ୟାଣ ଯୋଜନାର ଶୁଭାରମ୍ଭ ବି କରିଛନ୍ତି । ମୋଦି ମରାଠୀରେ ଅଭିଭାଷଣ ଆରମ୍ଭ କରି ଦେଶବାସୀଙ୍କୁ ବିଜୟାଦଶମୀର ଶୁଭକାମନା ଜଣାଇଥିଲେ । ଏଥିସହ ସେ କହିଥିଲେ,  ସାଇବାବାଙ୍କୁ ମନେ ପକାଇଲେ ଲୋକମାନଙ୍କର ସେବା କରିବା ପାଇଁ ଉତ୍ସାହ ମିଳିବ । ସାଇବାବାଙ୍କ ଚରଣରେ ରହି ଗରିବଙ୍କ ପାଇଁ କାମ କରିବା ହେଉଛି ଅସଲ ସୌଭାଗ୍ୟ ବୋଲି କହିଛନ୍ତି ମୋଦି ।

ଶିରିଡ଼ି ସାଇଙ୍କ ସମାଧିର ଶହେ ବର୍ଷ ପୂର୍ତ୍ତି ଅବସରରେ ଶିରିଡି ସାଇ ନ୍ୟାସ ପକ୍ଷରୁ ବର୍ଷେ ବ୍ୟାପୀ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ଅକ୍ଟୋବର ପହିଲାରେ ରାଷ୍ଟପତି ରାମନାଥ କୋବିନ୍ଦ ଶତାବ୍ଦୀ ସମାରୋହର ଉଦଘାଟନ କରିଥିଲେ । ଦେଶର କୋଣ ଅନୁକୋଣରେ  ଶିରିଡ ଲକ୍ଷ ଲକ୍ଷ ଭକ୍ତ ରହିଛନ୍ତି ମହାରାଷ୍ଟ୍ର ଅହମ୍ମଦନଗର ଜିଲ୍ଲାର ଶିରିଡି ଗାଁରେ ସାଇବାବାଙ୍କ ଉପାସନା ସ୍ଥଳ ରହିଛି । ୧୯୧୮ ମସିହା ବିଜୟାଦଶମୀରେ ସିରିଡି ସାଇଙ୍କ ଦେହାବସାନ ହୋଇଥିଲା ।

 

ସମ୍ବନ୍ଧିତ ଖବର