ବିକାଶ ହିଁ ଜିତାଇଲା: ମୋଦି

ସୁଶାସନ ଏବଂ ବିକାଶ ପ୍ରତି ଦୃଢ଼ ସମର୍ଥନ

ନୂଆଦିଲ୍ଲୀ: ଗୁଜରାଟ ଏବଂ ହିମାଚଳପ୍ରଦେଶ ନିର୍ବାଚନ ଫଳାଫଳରୁ ସୁଶାସନ ଏବଂ ବିକାଶ ପ୍ରତି ଦୃଢ଼ ସମର୍ଥନ ଥିବା ସୂଚନା ମିଳିଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ତାଙ୍କ ସରକାର ଏହି ଦୁଇଟି ଦିଗ ଉପରେ ଗୁରୁତ୍ୱାରୋପ କରିଥିବାରୁ ଉଭୟ ରାଜ୍ୟବାସୀ ବିଜେପିକୁ ହିଁ ପସନ୍ଦ କରିଛନ୍ତି ବୋଲି ମୋଦି ପ୍ରକାଶ କରିିଛନ୍ତି। ସେଥିପାଇଁ ସେ ଦୁଇ ରାଜ୍ୟର ଭୋଟରଙ୍କୁ କୃତଜ୍ଞତା ଜଣାଇବା ସହ ରାଜ୍ୟର ବିକାଶ ଅଭିଯାନରେ କିଛି ବି ଅଟକିଯିବନି ଏବଂ ଲୋକଙ୍କ ସେବା ପାଇଁ ତାଙ୍କର ପୂର୍ବପରି ଅକ୍ଳାନ୍ତ ପରିଶ୍ରମ ଜାରି ରହିବ ବୋଲି ସେ କହିଛନ୍ତି।

ସେହିପରି ବିକାଶ ବାଟବଣା ହୋଇଛି ବୋଲି କହି ନିର୍ବାଚନ ପ୍ରଚାରରେ ଭୋଟରଙ୍କୁ ବାଟହୁଡ଼ା କରିବାକୁ ଉଦ୍ୟମ କରିଥିବା ଲୋକେ ନିଜେ ବାଟ ହୁଡ଼ିଛନ୍ତି ବୋଲି ମୋଦି ଆକ୍ଷେପ କରିଛନ୍ତି। ଗୁଜରାଟରେ ବିକାଶର ହିଁ ବିଜୟ ହୋଇଛି ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।
ସାଧାରଣ ନିର୍ବାଚନ ହେବାକୁ ଆଉ ମାତ୍ର ଦେଢ଼ ବର୍ଷ ବାକି ଥିବା ବେଳେ ଏଭଳି ଦୁଇଟି ରାଜ୍ୟକୁ ନିଜ ସପକ୍ଷରେ ନେବା ଗୁରୁତ୍ୱପୂର୍ଣ୍ଣ ସଫଳତା ବୋଲି ମୋଦି ପ୍ରକାଶ କରିଛନ୍ତି। ସେହିପରି ଲଗାତର ଷଷ୍ଠ ଥର ପାଇଁ ଗୁଜରାଟରେ ଶାସନ ବଜାୟ ରଖିବା ଏବଂ ହିମାଚଳପ୍ରଦେଶରେ କଂଗ୍ରେସ ଠାରୁ ଶାସନ ଛଡ଼ାଇ ଆଣିବାରେ ଦଳୀୟ କର୍ମକର୍ତ୍ତାଙ୍କ ଭୂମିକାକୁ ମୋଦି ଭୂୟସୀ ପ୍ରଶଂସା କରିବା ସହ ସେମାନଙ୍କୁ ସାଧୁବାଦ ଜଣାଇଛନ୍ତି। ତେବେ ବିଶେଷ କରି ଗୁଜରାଟର ପ୍ରତ୍ୟକ୍ଷ ରାଜନୀତିରେ ସେ ନଥାଇ ସୁଦ୍ଧା ରାଜ୍ୟବାସୀ ତାଙ୍କ ପ୍ରତି ଅକୁଣ୍ଠ ସ୍ନେହଶ୍ରଦ୍ଧା ଅଜାଡ଼ିଛନ୍ତି। ବ୍ୟାପାରୀବହୁଳ ଗୁରାଟରେ ବିମୁଦ୍ରାୟନ ଏବଂ ଜିଏସ୍‌ଟି ବିରୋଧରେ ରାଜ୍ୟବାସୀଙ୍କୁ ଯେତେ ପ୍ରବର୍ତ୍ତାଇଥିଲେ ବି ସାଧାରଣ ଜନତା ବାସ୍ତବତାକୁ ସ୍ୱୀକୃତି ଦେଇ ତାଙ୍କ ଦଳକୁ ବିଜେତା କରିଛନ୍ତି ବୋଲି ମୋଦି କହିଛନ୍ତି।

ସମ୍ବନ୍ଧିତ ଖବର