ମୋଦୀଙ୍କ ମାଷ୍ଟର ଷ୍ଟ୍ରୋକ୍‌: ଗରିବଙ୍କୁ ୧୦% ସଂରକ୍ଷଣ

ହିନ୍ଦୁ, ମୁସଲିମ୍‌ ଓ ଖ୍ରୀଷ୍ଟୀୟାନ ମଧ୍ୟ ଉପକୃତ ହେବେ, ଆଜି ଆଗତ ହେବ ବିଲ୍, ବିରୋଧୀଙ୍କ ସମର୍ଥନ

ନୂଆଦିଲ୍ଲୀ: ସାଧାରଣ ବର୍ଗର ଗରିବ ଲୋକଙ୍କ ପାଇଁ ସରକାରୀ ଚାକିରି ଏବଂ ଶିକ୍ଷା କ୍ଷେତ୍ରରେ ୧୦ ଭାଗ ସଂରକ୍ଷଣ ବ୍ୟବସ୍ଥା କରାଯିବ। ଏହି ବ୍ୟବସ୍ଥାରୁ ହିନ୍ଦୁ, ମୁସଲିମ ଏବଂ ଖ୍ରୀଷ୍ଟୀୟାନ ସଂପ୍ରଦାୟର ଲୋକମାନେ ମଧ୍ୟ ଉପକୃତ ହେବେ। ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ଶ୍ରେଣୀ ପାଇଁ ଏହା ହେବ ପ୍ରଥମ ସଂରକ୍ଷଣ ବ୍ୟବସ୍ଥା। ଏଥିପାଇଁ ସମ୍ବିଧାନରେ ସଂଶୋଧନ କରିବା ଉଦ୍ଦେଶ୍ୟରେ ଆସନ୍ତାକାଲି ଲୋକସଭାରେ ଏକ ବିଲ ଆଗତ କରାଯିବ। ଲୋକସଭା ନିର୍ବାଚନକୁ ଆଉ କିଛି ମାସ ବାକି ଥିବା ବେଳେ ମୋଦୀ ସରକାରଙ୍କ ଏଭଳି ମାଷ୍ଟରଷ୍ଟ୍ରୋକ୍ ବି‌େରାଧୀ ଦଳଙ୍କୁୁ ଅ୍ଡ଼ୁଆରେ ପକାଇ ଦେଇଛି। ମୋଦୀଙ୍କ ଏଭଳି ନିଷ୍ପତ୍ତିର ସମୟକୁ ନେଇ ସେମାନେ ପ୍ରଶ୍ନ ଉଠାଇଥିଲେ ମଧ୍ୟ ଏହାକୁ ସମର୍ଥନ ଦେବେ ବୋଲି ସୂଚନା ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ କ୍ୟାବିନେଟ ବୈଠକରେ ସଂରକ୍ଷଣ ନିଷ୍ପତ୍ତି ନିଆଯାଇଛି। ନିଷ୍ପତ୍ତି ଅନୁଯାୟୀ ସରକାରୀ ନିଯୁକ୍ତି ଏବଂ ଉଚ୍ଚ ଶିକ୍ଷାନୁଷ୍ଠାନରେ ନାମ ଲେଖାଇବା କ୍ଷେତ୍ରରେ ସାଧାରଣ ବର୍ଗର ଅନଗ୍ରସର (ଆର୍ଥିକ ଦୃଷ୍ଟିରୁ ଦୁର୍ବଳ) ଲୋକଙ୍କ ପାଇଁ ୧୦ ଭାଗ ସ୍ଥାନ ସଂରକ୍ଷଣ ରଖାଯିବ।

ଏହି ୧୦ ପ୍ରତିଶତ ସଂରକ୍ଷଣ ସୁବିଧା ପାଇବା ପାଇଁ କେତେକ ସର୍ତ ଆରୋପ କରାଯାଇଛି। ଏଗୁଡ଼ିକ ହେଲା: ଉକ୍ତ ପରିବାରର ବାର୍ଷିକ ଆୟ ୮ ଲକ୍ଷ ଟଙ୍କାରୁ କମ୍ ହୋଇଥିବ। ଚାଷ ଜମି ୫ ଏକରରୁ କମ୍ ହୋଇଥିବ। ଗ୍ରାମାଞ୍ଚଳରେ ବାସଗୃହ ଏରିଆ ଏକ ହଜାର ବର୍ଗଫୁଟରୁ କମ୍ ହୋଇଥିବ। ସହରାଞ୍ଚଳ ବିଜ୍ଞାପିତ ପୌରାଞ୍ଚଳରେ ବାସଗୃହ ଏରିଆ ୧୦୦ ୟାର୍ଡ ଏବଂ ଅଣବିଜ୍ଞାପିତ ପୌରାଞ୍ଚଳରେ ଏହି ଏରିଆ ୨୦୦ ୟାର୍ଡରୁ କମ୍ ହୋଇଥିବା ଆବଶ୍ୟକ। ସାଧାରଣ ବର୍ଗ ଲାଗି ପୂର୍ବରୁ ଏଭଳି କୌଣସି ସଂରକ୍ଷଣ ସୁବିଧା ନଥିଲା। ତେଣୁ ଏହି ବ୍ୟବସ୍ଥା ପ୍ରଚଳନ ଲାଗି ସମ୍ବିଧାନରେ ସଂଶୋଧନ କରାଯିବ। ଏହାଛଡ଼ା ପୂର୍ବରୁ ନିର୍ଧାରିତ ୫୦ ଭାଗ ସଂରକ୍ଷଣ ସୀମାରେ ସଂ‌େଶାଧନ କରାଯାଇ ଏହାକୁ ୬୦ ଭାଗ ଧାର୍ଯ୍ୟ କରାଯିବ। ଏଥିଲାଗି ସମ୍ବିଧାନର ଧାରା ୧୫ ଓ ୧୬ରେ ସଂ‌େଶାଧନ କରାଯିବ। ଆସନ୍ତାକାଲି ଚଳିତ ଲୋକସଭା ଅଧିବେଶନର ଶେଷ ଦିବସରେ ଏସଂକ୍ରାନ୍ତ ବିଲ୍ ଆଗତ କରାଯିବ। ଏହାର ଅନୁମୋଦନ ଲାଗି ଉଭୟ ଲୋକସଭା ଓ ରାଜ୍ୟସଭାର ଦୁଇ ତୃତୀୟାଂଶ ସଭ୍ୟଙ୍କ ସମର୍ଥନ ଆବଶ୍ୟକ। ଯାହା ଜଣାପଡ଼ୁଛି ଲୋକସଭା ଏବଂ ରାଜ୍ୟସଭାରେ ଏହି ବିଲ ଅନୁମୋଦନ ଲାଭ କରିବାରେ କୌଣସି ଅସୁବିଧା ହେବ ନାହିଁ। କାରଣ କଂଗ୍ରେସ ସମେତ ମମତାଙ୍କ ତୃଣମୂଳ କଂଗ୍ରେସ, ଏନସିପି, ସିପିଏମ ଏବଂ ଆପ୍ ମଧ୍ୟ ସମର୍ଥନ ଦେବାକୁ ଘୋଷଣା କରିଛନ୍ତି। କାଲି ଲୋକସଭା ଅଧିବେଶନ ସରୁଥିବା ବେଳେ ରାଜ୍ୟସଭା ବୈଠକକୁ ୯ ତାରିଖ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି। ୯ ତାରିଖରେ ରାଜ୍ୟସଭାରେ ଏହି ବିଲ୍ ଆଗତ କରାଯିବ। ମୋଦୀ ସରକାରଙ୍କ ଏହି ପଦକ୍ଷେପକୁ ସରକାରୀ ଦଳ ମାଷ୍ଟରଷ୍ଟ୍ରୋକ୍ ବୋଲି ବର୍ଣ୍ଣନା କରିଛି। ବିଜେପି ପକ୍ଷରୁ କୁହାଯାଇଛି ଯେ ‘ସବକା ସା୍ଥ ସବ କା ବିକାଶ’ ଦିଗରେ ଏହା ଆଉ ଏକ ପ୍ରୟାସ। ଯେଉଁ ସାହାସ ଅନ୍ୟ କୌଣସି ସରକାର ଜୁଟାଇ ପାରୁନଥିଲେ ତାହା ପ୍ରଧାନମନ୍ତ୍ରୀ ମୋଦୀ କରିକି ଦେଖାଇ ଦେଇଛନ୍ତି। ସହଯୋଗୀ ଦଳମାନେ ମଧ୍ୟ ଏହାକୁ ଐତିହାସିକ ନିଷ୍ପତ୍ତି ବୋଲି ବର୍ଣ୍ଣନା କରିଛନ୍ତି। ସେହିଭଳି କଂଗ୍ରେସ ମୁଖପାତ୍ର ସୁର୍ଜେୱାଲା କହିଛନ୍ତି ଯେ ସମାଜର ଅର୍ଥନୈତିକ ଦୃଷ୍ଟିରୁ ଦୁର୍ବଳ ଶ୍ରେଣୀର ଲୋକମାନଙ୍କ ପାଇଁ ଏଭଳି ନଯୁକ୍ତି ଓ ଅନ୍ୟାନ୍ୟ ସୁବିଧା ସୁଯୋଗ ନେଇ ସରକାର ଯେଉଁସବୁ ପଦକ୍ଷେପ ନେବେ ତାହାକୁ ସମର୍ଥନ କରାଯିବ। କିନ୍ତୁ କ୍ଷମତାକୁ ଆସିବାର ୪ ବର୍ଷ ୮ ମାସ ପରେ ମୋଦୀ ସରକାରଙ୍କୁ ହଠାତ୍ କେମିତି ମନେ ପଡ଼ିଲା। ନିର୍ବାଚନକୁ ଆଉ ମାତ୍ର ୧୦୦ ଦିନ ବାକିଥିବା ବେଳେ ଏଭଳି ନିଷ୍ପତ୍ତି ନେଇ ମୋଦୀ ସରକାର କେବଳ ହଟଚମଟ ସୃଷ୍ଟି କରିବାକୁ ଚେଷ୍ଟା କରିଛନ୍ତି। ନିର୍ବାଚନ ପରାଜୟ ଭୟରେ ଏଭଳି ନିଷ୍ପତ୍ତି ହୋଇଥିବା ସେ କହିଛନ୍ତି।

ସମ୍ବନ୍ଧିତ ଖବର