ପୁଲଓ୍ଵାମା ଆକ୍ରମଣକୁ ବର୍ଷେ, ଏବେବି ଅଧୁରା ରହିଛି ପ୍ରତିଶୋଧ

ଏହି ଘଟଣା ସହ ସଂପୃକ୍ତ ଆହୁରି ଦୁଇ ଆତଙ୍କବାଦୀଙ୍କୁ ଏନଆଇଏ ଖୋଜୁଛି

ନୂଆଦିଲ୍ଲୀ : ଆଜି ହେଉଛି ପୁଲଓ୍ଵାମା ଆତଙ୍କବାଦୀ ଆକ୍ରମଣର ପ୍ରଥମ ବର୍ଷପୂର୍ତ୍ତି । ଗତ ବର୍ଷ ଆଜିର ଦିନରେ କଶ୍ମୀରର ପୁଲଓ୍ଵାମାଠାରେ ଆତ୍ମଘାତି ଆକ୍ରମଣରେ ୪୦ ସିଆରପିଏଫ ଜଓ୍ଵାନ ସହିଦ ହୋଇଥିଲେ । ଏହାର ପ୍ରତିଶୋଧ ନେବାକୁ ଯାଇ ଭାରତୀୟ ବାୟୁସେନା ପାକିସ୍ତାନର ବାଲାକୋଟରେ ଥିବା ଜୈସ-ଇ-ମହମ୍ମଦର ଆତଙ୍କବାଦୀ ଶିବିର ଉପରେ ବିମାନ ଆକ୍ରମଣ କରିଥିଲା ।

ଏହି ଆତଙ୍କବାଦୀ ଆକ୍ରମଣ ଘଟାଇଥିବା ଆଦିଲ ଅହମ୍ମଦ ଦର ଘଟଣାସ୍ଥଳରେ ହିଁ ନିହତ ହୋଇଥିଲା । ଏହି ଆକ୍ରମଣର ଆଉ ଦୁଇଜଣ ଷଡ଼ଯନ୍ତ୍ରକାରୀ ମୁଦାସିର ଅହମ୍ମଦ ଖାଁ ଓ ସଜ୍ଜାଦ ଭଟ୍‌ ଗତ ବର୍ଷ ମାର୍ଚ୍ଚରେ ସେନା ଏନକାଉଣ୍ଟରରେ ନିହତ ହୋଇଥିଲେ । ଏସବୁ ସତ୍ତ୍ୱେ ଏନଆଇଏ ଘଟଣାର ତଦନ୍ତ ଜାରି ରଖିଛି । କାରଣ ଏହି ଆକ୍ରମଣର ଆଉ କେତେକ ଷଡ଼ଯନ୍ତ୍ରକାରୀ ଏବେ ବି ଫେରାର ଅଛନ୍ତି ।

ସେମାନଙ୍କୁ ଏନଆଇଏ ଖୋଜୁଛି । ଏହି ଘଟଣାର ମାଷ୍ଟରମାଇଣ୍ଡ ମହମ୍ମଦ ଉମର ଏବେ ବି ଫେରାର ଅଛି । ତେବେ ସେ କଶ୍ମୀରର ହିଁ ଅଛି ବୋଲି ଗୁଇନ୍ଦା ବ୍ୟୁରୋ ସୂଚନା ଦେଇଛି । ଦ୍ୱିତୀୟ ଜଣକ ହେଉଛି ବିସ୍ଫୋରକ ପ୍ରସ୍ତୁତ କରିଥିବା ବ୍ୟକ୍ତି । ସେ ପିଓକେର ମୁଜାଫରାବାଦକୁ ଖସିଯାଇଥିବା ସଂଦେହ କରାଯାଉଛି । ଏଣୁ ଏହି ଦୁଇ ଆତଙ୍କବାଦୀ ଦଣ୍ଡ ନପାଇବା ପର୍ଯ୍ୟନ୍ତ ପୁଲଓ୍ଵାମା ଆକ୍ରମଣର ପ୍ରତିଶୋଧ ଅଧୁରା ରହିଥିବ ବୋଲି ଭାରତୀୟ ସେନା ମନେ କରୁଛି ।

ସମ୍ବନ୍ଧିତ ଖବର