ଛତିଶଗଡ଼ରେ ମାଓ ହମ୍‌ଲା: ଲ୍ୟାଣ୍ଡ୍‌ମାଇନ୍‌ ବିସ୍ଫୋରଣରେ ୯ ସିଆର୍‌ପିଏଫ୍‌ ଯବାନ ସହିଦ, ୫ ଗୁରୁତର

ରାୟପୁର: ଛତିଶଗଡ଼ର ସୁକୁମା ଜିଲ୍ଳାରେ ପୁଣି ମାଓବାଦୀମାନେ ସୁରକ୍ଷା କର୍ମୀଙ୍କ ଉପରକୁ ଆକ୍ରମଣ କରିଛନ୍ତି। ମାଓବାଦୀଙ୍କ ଦ୍ୱାରା ଖଞ୍ଜା ଯାଇଥିବା ଲ୍ୟାଣ୍ଡ୍‌ମାଇନ୍‌ ବିସ୍ଫୋରଣରେ ୯ ସିଆର୍‌ପିଏଫ୍‌ ଯବାନ ସହିଦ ହୋଇଥିବା ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁସାରେ ସିଆର୍‌ପିଏଫ୍‌ର ୨୧୨ ଇଟାଲିଅନ୍‌ ସୁକମା ଜିଲ୍ଳାର କିଷ୍ଟାରାମ୍‌ ଅଞ୍ଚଳକୁ କମ୍ବିଂ ଅପରେସନରେ ଯାଇଥିବା ଏକ ପାଟ୍ରୋଲିଂ ଦଳକୁ ମାଓବାଦୀମାନେ ଟାର୍ଗେଟ କରିଥିଲେ। ଏକ ଆଣ୍ଟି -ଲ୍ୟାଣ୍ଡମାଇନ୍‌ ଯାନରେ ଯବାନମାନେ କିଷ୍ଟାରାମ୍‌ରୁ ପାଲୋଡି ଯାଉଥିବା ବେଳେ ମାଓବାଦୀମାନେ ଲ୍ୟାଣ୍ଡ୍‌ମାଇନ୍‌ ବିସ୍ଫୋରଣ ଘଟାଇଥିଲେ। ଫଳରେ ଯାନଟି ସଂପୂର୍ଣ୍ଣ ବିଧ୍ୱସ୍ତ ହୋଇଯାଇଥିଲା। ଏହି ବିସ୍ଫୋରଣରେ ଘଟଣାସ୍ଥଳରେ ୯ ଯବାନ ସହିଦ ହୋଇଥିବା ବେଳେ ୫ ଯବାନ ଗୁରୁତର ଆହତ ହୋଇଥିବା ଖବର ମିଳିିଛି। ସେମାନଙ୍କ ମଧ୍ୟରୁ ୪ ଜଣଙ୍କ ଅବସ୍ଥା ସଂକଟାପନ୍ନ ରହିଛି।

ଘଟଣାସ୍ଥଳକୁ ଅଧିକ ସଂଖ୍ୟକ ଯବାନଙ୍କୁ ପଠାଯାଇଛି ଓ ମୃତାହତମାନଙ୍କୁ ଆଣିବା ଲାଗି ବ୍ୟବସ୍ଥା କରାଯାଉଛି ବୋଲି ଛତିଶଗଡର ସ୍ୱତନ୍ତ୍ର ଡିଜି ( ମାଓ-ବିରୋଧୀ ଅଭିଯାନ) ଡି.ଏମ୍‌.ଅବସ୍ତୀ ସୂଚନା ଦେଇଛନ୍ତି।

 

ସମ୍ବନ୍ଧିତ ଖବର