ନେତୃତ୍ବ ପରିବର୍ତନ ପରେ ମାତିଲେ ମାଓବାଦୀ: ମହାରାଷ୍ଟ୍ରରେ ବଡ଼ ଧରଣର ଆକ୍ରମଣ; ଜାଳିଦେଲେ ୧୫ ଗାଡ଼ି

ମୁମ୍ବାଇ :ସିପିଆଇ ମାଓବାଦୀ ସଂଗଠନରେ ବଡ଼ଧରଣର ନେତୃତ୍ବ ପରିବର୍ତନ ପରେ ସକ୍ରିୟ ହୋଇଉଠିଛି ମାଓ ସଂଗଠନ। ସଂଗଠନର କେନ୍ଦ୍ରୀୟ କମିଟି ମହାସଚିବ ପଦବିରୁ ଗଣପତି ରାଓ ଇସ୍ତଫା ଦେବା ପରେ ବାସବ ରାଜୁ ଓରଫ ଏନ.କେଶବ ରାଓଙ୍କୁ ନୂତନ ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି। ଏହା ମାଓ ସଂଗଠନକୁ ସକ୍ରିୟ କରିବା ଲାଗି ଉଦ୍ଦିଷ୍ଟ ବୋଲି ଆଲୋଚନା ହେଉଛି। ଏହାର ଉଦାହରଣ ମହାରାଷ୍ଟ୍ରର ଗଡଚିରୋଲି ଜିଲ୍ଲାରେ ଦେଖିବାକୁ ମିଳିଛି। ଶନିବାର ମାଓବାଦୀମାନେ ବଡ଼ ଧରଣର ଲଙ୍କାକାଣ୍ଡ ଭିଆଇଛନ୍ତି। ୧୦ଟି ଆର୍ଥମୁଭର, ୩ ଟ୍ରାକଟର, ୨ଟି ଏସୟୁଭି ଏବଂ ବହୁ ସଂଖ୍ୟକ ଦୁଇଚକିଆ ପୋଡ଼ି ଦେଇଛନ୍ତି। ଏପ୍ରିଲ୍ ପରେ ଏହା ହେଉଛି ମାଓବାଦୀଙ୍କର ସବୁଠାରୁ ବଡ଼ ଆକ୍ରମଣ।

ଗତ କିଛି ବର୍ଷ ହେଲା ଗଣପତି ବାରମ୍ବାର ଅସୁସ୍ଥ ହେଉଥିବାରୁ ସେ ପୂର୍ବଭଳି ସଂଗଠନକୁ ଅଧିକ ସମୟ ଦେଇପାରୁ ନଥିଲେ। ତେଣୁ ନିଜ ପଦବିରୁ ଇସ୍ତଫା ଦେଇ ନୂଆ ମହାସଚିବ ନିଯୁକ୍ତି ଦେବାକୁ ଗଣପତି କେନ୍ଦ୍ରୀୟ କମିଟିକୁ ପ୍ରସ୍ତାବ ଦେଇଥିଲେ। ପରିସ୍ଥିତିକୁ ଦୃଷ୍ଟିରେ ରଖି ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ମାଓବାଦୀ)ର ୫ମ କେନ୍ଦ୍ରୀୟ ବୈଠକରେ ସବୁ ଦିଗକୁ ବିଚାର କରି ଶେଷରେ କେଶବଙ୍କୁ ସଂଗଠନର ନେତୃତ୍ବ ନେବାକୁ ଦାୟିତ୍ବ ଦିଆଯାଇଛି। ଏ ନେଇ ସଂଗଠନ ପକ୍ଷରୁ ପ୍ରେସ୍ ବିବୃତ୍ତି ମାଧ୍ୟମରେ ଗଣମାଧ୍ୟମକୁ ଅବଗତ କରାଯାଇଛି।

ବାସବରାଜ ଓରଫ କେଶବ ରାଓ ଆନ୍ଧ୍ର ପ୍ରଦେଶର ଶ୍ରୀକାକୁଲମ ଜିଲ୍ଲାର ଜିୟାନପେଟ ଗ୍ରାମର ବାସିନ୍ଦା। ୬୪ ବର୍ଷୀୟ ରାଓ ଜଣେ ଇଂଜିନିୟରିଂରେ ଗ୍ରାଜୁଏଟ ଓ ବୋମା ତିଆରି କରିବାରେ ନିପୁଣ। ଗରିଲା ଯୁଦ୍ଧରେ ପାରଦର୍ଶିତା ରହିଥିବାରୁ ସେ ବହୁ ଜନଯୁଦ୍ଧରେ ମଧ୍ୟ ସଫଳ ହୋଇଛନ୍ତି। ଆଗକୁ ସେ କେଉଁଭଳି ଆଭିମୁଖ୍ୟ ନେଇ ମାଓ ସଂଗଠନକୁ ଆଗକୁ ନେବେ ତାହା ଦେଖିବାର କଥା।

ସମ୍ବନ୍ଧିତ ଖବର