୧୮ରୁ ସଂସଦର ମୌସୁମୀ ଅଧିବେଶନ : ଧାନର ଏମ୍‌ଏସ୍‌ପି ବୃଦ୍ଧି, ପୋଲାଭରମ୍‌ ପ୍ରକଳ୍ପକୁ ନେଇ ଦାବି ଉପସ୍ଥାପନ କରିବ ବିଜେଡି

ନୂଆଦିଲ୍ଲୀ : ଆସନ୍ତା ୧୮ ତାରିଖରୁ ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହେବ। ଏହା ଅଗଷ୍ଟ ୧୦ ପର୍ଯ୍ୟନ୍ତ ଚାଲିବ। ଚଳିତ ମୌସୁମୀ ଅଧିବେଶନରେ ସମୁଦାୟ ୧୮ଟି କାର୍ଯ୍ୟଦିବସ ରହିଛି। ବଜେଟ୍‌ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ବିରୋଧୀ ଦଳଗୁଡ଼ିକର ହଟ୍ଟଗୋଳ ଯୋଗୁଁ ଏକପ୍ରକାର ଧୋଇ ହୋଇଯାଇଥିବା ବେଳେ ମୌସୁମୀ ଅଧିବେଶନକୁ ସୁଚାରୁ ରୂପେ ଚଳାଇବା ପାଇଁ ଆସନ୍ତାକାଲି ଲୋକସଭା ବାଚସ୍ପତି ସୁମିତ୍ରା ମହାଜନ ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ଅନନ୍ତ କୁମାରଙ୍କ ଦ୍ୱାରା ପୃଥକ୍‌ ଭାବେ ସର୍ବଦଳୀୟ ବୈଠକ ଡକାଯାଇଛି। ସର୍ବଦଳୀୟ ବୈଠକରେ ଲୋକସଭାରେ ବିଜୁ ଜନତା ଦଳର ନେତା ଭର୍ତ୍ତୃହରି ମହତାବ ଓ ରାଜ୍ୟସଭାରେ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟ ଯୋଗଦେବେ ବୋଲି ଜଣାପଡ଼ିଛି। ମୌସୁମୀ ଅଧିବେଶନରେ ବିଜେଡି ଦ୍ୱାରା ଏକାଧିକ ରାଜ୍ୟ ସ୍ୱାର୍ଥ ସମ୍ପର୍କିତ ପ୍ରସଙ୍ଗ ଉଭୟ ଗୃହରେ ଜୋରଦାର ଉପସ୍ଥାପନ କରାଯିବ ବୋଲି ଦଳୀୟ ସୁତ୍ରରୁ ଜଣାପଡ଼ିଛି।

ଚଳିତ ମାସ ୪ ତାରିଖରେ କେନ୍ଦ୍ର ସରକାରଙ୍କ ଦ୍ୱାରା ଧାନର ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‌ଏସ୍‌ପି)କୁ ୧୭୫୦ ଟଙ୍କା ବୃଦ୍ଧି କରାଯାଇଥିବା ବେଳେ ଓଡ଼ିଶାରେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୨୯୩୦ ଟଙ୍କା ରଖିବା ଦାବିକୁ ପ୍ରତ୍ୟାଖ୍ୟାନ କରିଦିଆଯାଇଛି। ତେଣୁ ଧାନର ଏମ୍‌ଏସ୍‌ପି ବୃଦ୍ଧି ପାଇଁ ବିଜେଡି ସଂସଦରେ ଦୃଢ଼ ଭାବେ ଦାବି ଉପସ୍ଥାପନ କରିବ ଏବଂ ଏଥିସହ ପୋଲାଭରମ୍‌ ପ୍ରକଳ୍ପର କାର୍ଯ୍ୟବନ୍ଦ ଓ ମହାନଦୀ ଜଳବିବାଦ ଟ୍ରିବ୍ୟୁନାଲ୍‌କୁ ଖୁବ୍‌ଶୀଘ୍ର କାର୍ଯ୍ୟକ୍ଷମ କରିବା ଉପରେ ଗୁରୁତ୍ୱ ଦେବ। ଏହାଛଡ଼ା ଛତିଶଗଡ଼ ଦ୍ୱାରା ମହାନଦୀର ଉପର ମୁଣ୍ଡରେ ନିର୍ମାଣକାର୍ଯ୍ୟ ଚାଲିଥିବାରୁ ଏହାକୁ ବନ୍ଦ ପାଇଁ ବିଜେଡି ସାଂସଦମାନେ ଉଭୟ ଗୃହରେ ଜୋରଦାର ଦାବି ଉପସ୍ଥାପନ କରିବେ ବୋଲି ଜଣାପଡ଼ିଛି। ଅନ୍ୟପକ୍ଷେ ହକିକୁ ଜାତୀୟ ଖେଳର ମାନ୍ୟତା ଦେବା ନେଇ ସରକାରୀ ବିଜ୍ଞପ୍ତି ପ୍ରକାଶ ନିମନ୍ତେ ଗତମାସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲେଖିଥିବା ପତ୍ର ପ୍ରସଙ୍ଗରେ ମଧ୍ୟ ଅଧିବେଶନରେ ଦୃଷ୍ଟି ଆକର୍ଷଣ କରାଯିବ। ଏହାବାଦ୍‌ ବିଭିନ୍ନ କେନ୍ଦ୍ରୀୟ ପ୍ରକଳ୍ପ ଗୁଡ଼ିକର ଅନୁଦାନ ହ୍ରାସ କରିବା ପ୍ରସଙ୍ଗ, କୋଇଲା ସମ୍ପଦ ପୂର୍ଣ୍ଣ ରାଜ୍ୟ ଗୁଡ଼ିକୁ ଅଧିକ ଟିକସ ପ୍ରଦାନ, କୋଇଲା ରୟାଲ୍‌ଟି ସଂଶୋଧନ ଦାବି, ଅସମ୍ପୂର୍ଣ୍ଣ ରେଳ ପ୍ରକଳ୍ପ ଗୁଡ଼ିକର କାର୍ଯ୍ୟ ଶେଷ, ତିନି ତଲାକ୍‌ ବିଲ୍‌ ସମେତ ଓବିସିଙ୍କ ପାଇଁ ଜାତୀୟ କମିସନ୍‌କୁ ସାମ୍ବିଧାନିକ ମର୍ଯ୍ୟାଦା, ନ୍ୟାସନାଲ୍‌ କମିସନ୍‌ ଫର୍‌ ମେଡିକାଲ ଏଜୁକେସନ୍‌ ବିଲ୍‌ ଏବଂ ତୃତୀୟ ଲିଙ୍ଗ ଭଳି କେତେକ ବିଲ୍‌କୁ ଆଇନଗନ ମାନ୍ୟତା ଦେବା ପାଇଁ ସରକାର ଚଳିତ ମୌସୁମୀ ଅଧିବେଶନରେ ଲକ୍ଷ୍ୟ ରଖିଛନ୍ତି।

ସମ୍ବନ୍ଧିତ ଖବର