ଜୁନ୍ ୧ରେ କେରଳ ଛୁଇଁବ ମୌସୁମୀ

ନୂଆଦିଲ୍ଲୀ : ଆଉ ଚାରିଦିନ ପରେ ଭାରତର ସ୍ଥଳଭାଗ ଛୁଇଁବ ମୌସୁମୀ। ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଆଜି ଏ ନେଇ ପୂର୍ବାନୁମାନ କରାଯାଇଛି। ଜୁନ୍‌ ୧ ତାରିଖରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ କେରଳ ଛୁଇଁବ ବୋଲି କୁହାଯାଇଛି। ‌ମହାବାତ୍ୟା ଅମ୍ଫାନ ଯୋଗୁଁ ମୌସୁମୀ ଭାରତୀୟ ମହାଦେଶ ଆଡ଼କୁ ଅଗ୍ରସର ହେବାରେ ପ୍ରତିବନ୍ଧକ ସୃଷ୍ଟି ହୋଇଥିଲା। କିନ୍ତୁ ଏହି ପ୍ରତିବନ୍ଧକ ଏବେ ଦୂର ହୋଇଯାଇଛି। ବୁଧବାରଠାରୁ ମୌସୁମୀ ଅଗ୍ରସର ହୋଇଛି। ବଙ୍ଗୋପସାଗରରେ ଏବେ ରହିଥିବା ଘୂର୍ଣ୍ଣିଝଡ଼ ବଳୟ ମୌସୁମୀକୁ ସ୍ଥଳଭାଗ ଆଡ଼କୁ ଟାଣିବାରେ ସହାୟକ ହେଉଛି। ଏଥିସହିତ ମେ ୩୧ ତାରିଖରୁ ଜୁନ୍ ୪ ତାରିଖ ମଧ୍ୟରେ ଆରବ ସାଗର ଅଞ୍ଚଳରେ ଏକ ଲଘୁଚାପ ବଳୟ ସୃଷ୍ଟି ହେବା ଫଳରେ ମୌସୁମୀ ପାଇଁ ଆହୁରି ଅନୁକୂଳ ପରିବେଶ ସୃଷ୍ଟି ହେବାର ସମ୍ଭାବନା ରହିଛି।

ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଗୁରୁବାର ଆରବ ସାଗରର ପଶ୍ଚିମ କେନ୍ଦ୍ରୀୟ ଏବଂ ଦକ୍ଷିଣ ପଶ୍ଚିମ ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ଏକ ‌ଲଘୁଚାପ ବଳୟ ସୃଷ୍ଟି ହୋଇଛି। ଖୁବ୍‌ଶୀଘ୍ର ଏହା ଏକ ଅବପାତର ରୂପ ‌ନେବା ସମ୍ଭାବନା ରହିଛି। ଏହି ଅବପାତ ଉତ୍ତର ପଶ୍ଚିମ ଦିଗରେ ଗତିକରି ଆସନ୍ତା ୩ ଦିନ ମଧ୍ୟରେ ଦକ୍ଷିଣ ଓମାନ ଓ ପୂର୍ବ ୟେମେନ ଉପକୂଳକୁ ଛୁଇଁବ। ଏହା ବାତ୍ୟାର ରୂପ ନେଲେ ମଧ୍ୟ ଭାରତର ପଶ୍ଚିମ ଉପକୂଳକୁ ପ୍ରଭାବିତ କରିବ ନାହିଁ ବୋଲି ପାଣିପାଗ ବିଭାଗର ବୈଜ୍ଞାନିକ ମାନେ କହିଛନ୍ତି। ପାଣିପାଗ ବିଭାଗର ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି ଯେ ଦ୍ବିତୀୟ ଲଘୁଚାପ ବଳୟ ଅଞ୍ଚଳ ବର୍ଷାକୁ ପଶ୍ଚିମ ଉପକୂଳରେ ପହଞ୍ଚାଇବ। ପୂର୍ବ ଆକଳନ ତୁଳନାରେ ଦକ୍ଷିଣ ପଶ୍ଚିମ ମୌସୁମୀ ବର୍ଷାକୁ ଆଗୁଆ ପହଞ୍ଚାଇବାରେ ଏହା ଅନୁକୂଳ ପରିବେଶ ସୃଷ୍ଟି କରିବ। ଜୁନ୍ ୧ କିମ୍ବା ୨ ତାରିଖରେ ମୌସୁମୀ ବର୍ଷା କେରଳ ଛୁଇଁବା ନେଇ ଆଶା କରାଯାଉଛି ବୋଲି ସେ କହିଛନ୍ତି।

ତେବେ ପୂର୍ବରୁ ଗତ ୧୫ ତାରିଖରେ ପାଣିପାଗ ବିଭାଗ ପକ୍ଷରୁ ମୌସୁମୀ ଆଗମନ ନେଇ ପୂର୍ବାନୁମାନ କରାଯାଇଥିଲା। ଏଥିରେ ଚଳିତବର୍ଷ ମୌସୁମୀ ସ୍ବାଭାବିକ ସମୟଠାରୁ ୪ ଦିନ ବିଳମ୍ବରେ ଅର୍ଥାତ୍ ଜୁନ୍‌ ୫ ତାରିଖରେ କେରଳ ଛୁଇଁବ ବୋଲି କୁହାଯାଇଥିଲା।

ସମ୍ବନ୍ଧିତ ଖବର