୨୦୧୮ରେ ଚନ୍ଦ୍ର ଅଭିଯାନ ‘ଚନ୍ଦ୍ରାୟନ-୨’

ନୂଆଦିଲ୍ଲୀ: ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ(ଇସ୍ରୋ) ଆଜି ୧୦୦ତମ ଉପଗ୍ରହ ମହାକାଶକୁ ପ୍ରେରଣ କରି ମହାକାଶ ଇତିହାସରେ ଆଉ ଏକ ଫର୍ଦ୍ଦ ଯୋଡି ଦେଇଥିବା ବେଳେ ଚଳିତବର୍ଷ ଦେଶର ବହୁ ପ୍ରତିକ୍ଷୀତ ଚନ୍ଦ୍ରୟାନ-୨ ଚନ୍ଦ୍ର ପୃଷ୍ଠକୁ ଛଡାଯିବାର ଯୋଜନା ରହିଛି। ଚନ୍ଦ୍ରପୃଷ୍ଠର ଗବେଷଣା ପାଇଁ ଭାରତ ପକ୍ଷରୁ ପ୍ରଥମେ ୨୦୦୮ ମସିହା ଅକ୍ଟୋବର ମାସରେ ଚନ୍ଦ୍ରାୟନ-୧ ପ୍ରେରଣ କରାଯାଇଥିବା ବେଳେ ଚଳିତବର୍ଷ ମାର୍ଚ୍ଚରେ ଚନ୍ଦ୍ରାୟନ-୨ ମହାକାଶକୁ ପଠାଇବାର ପ୍ରସ୍ତୁତି ଚାଲିଥିବା ଇସ୍ରୋ ଅଧ୍ୟକ୍ଷ ଏଏସ୍‌ କିରଣ କୁମାର କହିଛନ୍ତି।ଏହି ଉପଗ୍ରହ ଚନ୍ଦ୍ର ପୃଷ୍ଠର ବିଭିନ୍ନ ଫଟୋ ଉତ୍ତୋଳନ କରିବା ସହ ଗ୍ରହର ବିଭିନ୍ନ ଅବସ୍ଥିତି ଓ ମୃତ୍ତିକା ସମ୍ବନ୍ଧରେ ତଥ୍ୟ ସଂଗ୍ରହ କରି ପୃଥିବୀକୁ ପଠାଇବ। ପୂର୍ବ ଅଭିଯାନ ଅପେକ୍ଷା ଚନ୍ଦ୍ରାୟନ-୨ ଅଧିକ ଉନ୍ନତ ତେଣୁ ତଥ୍ୟ ସଂଗ୍ରହ କ୍ଷେତ୍ରରେ ଏହା ଅଭୁତପୂର୍ବ ଫଳାଫଳ ଦେବ ବୋଲି ସେ କହିଛନ୍ତି। ଏହି ଚନ୍ଦ୍ରାୟନରେ ଅର୍ବିଟର(କକ୍ଷରେ ଘୁରିବା କ୍ଷମତାଥିବା ଏକ ଯନ୍ତ୍ର),ଲ୍ୟାଣ୍ଡର(ଚନ୍ଦ୍ର ପୃଷ୍ଟରେ ଓହ୍ଲାଇବା ପାଇଁ ଆବଶ୍ୟକ ଯନ୍ତ୍ର) ଓ ୬ଟି ଚକ ବିଶିଷ୍ଠ ରୋଭର(ଘୁର୍ଣ୍ଣନ କରାଉଥିବା ଯନ୍ତ୍ର)ଆଦି ତିନୋଟି ମୁଖ୍ୟ ଯାନ୍ତ୍ର ରହିଛି। ସୀମିିତ ସମୟ ମଧ୍ୟରେ ଏହି ବଡ଼ ଚ୍ୟାଲେଞ୍ଜକୁ ହାସଲ କରିବା ପାଇଁ ସବୁ ପ୍ରକାର ଉଦ୍ୟମ ଚାଲିଥିବା ଇସ୍ରୋ ଅଧ୍ୟକ୍ଷ ଶ୍ରୀ କୁମାର କହିଛନ୍ତି।

ସମ୍ବନ୍ଧିତ ଖବର