ନୂଆଦିଲ୍ଲୀ : ମୟୁରଭଞ୍ଜ ଜିଲ୍ଲା ଶୁଳିଆପଦା ଥାନା ଅନ୍ତର୍ଗତ ମୋରଡାରେ ଜୀବିିତ ମହିଳାଙ୍କୁ ମୃତ ଘୋଷଣା କରିବା ଓ ଏହି ଘଟଣାରେ ୨ ଜଣଙ୍କୁ ଥାନାରେ ଥାର୍ଡ ଡିଗ୍ରୀ ଦେବା ମାମଲାରେ ଜାତୀୟ ମାନବାଧିକାର କମିସନ(ଏନଏଚଆରସି) ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କୁ ଓ୍ଵରେଣ୍ଟ ଜାରି କରିପାରନ୍ତି। ସୁପ୍ରିମକୋର୍ଟର ବରିଷ୍ଠ ଓକିଲ ତଥା ମାନବାଧିକାର କର୍ମୀ ରାଧାକାନ୍ତ ତ୍ରିପାଠୀ ମାନବାଧିକାର କମିସନଙ୍କ ନିକଟରେ ଦାଖଲ କରିଥିବା ପିଟିସନର ଶୁଣାଣି କରି ଚଳିତ ମାସ ୮ ତାରିଖରେ ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କୁ ହାଜର ହେବା ପାଇଁ ଏନଏଚଆର୍ସି ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ସଚିବ କମିସନଙ୍କ ନିକଟରେ ହାଜର ନ ହେବାରୁ ମାନବାଧିକାର ସୁରକ୍ଷା ଆଇନ ୧୯୯୩ ଅନ୍ତର୍ଗତ ସଚିବଙ୍କ ବିରୋଧରେ ଓ୍ଵାରେଣ୍ଟ ଜାରି କରିବାର ସମ୍ଭାବନା ଥିବା ଜଣାପଡ଼ିଛି।
Sambad is now on WhatsApp
Join and get latest news updates delivered to you via WhatsApp
ଉଲ୍ଲେଖଯୋଗ୍ୟ, ମୋରଡ଼ାର ଭୁବନ ସିଂହଙ୍କ ଝିଅ ଲିଲି ନାୟକ ଜୀବିତ ଥିବା ସତ୍ତ୍ୱେ ତାଙ୍କୁ ମୃତ ଘୋଷଣା କରିବା ଓ ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗରେ ଶୁକଦେବ ନାୟକ ଓ ସୁଦାମ ସି’ ନାମକ ଦୁଇ ଯୁବକଙ୍କୁ ଥାନାରେ ଥାର୍ଡ ଡିଗ୍ରୀ ଦିଆଯାଇଥିଲା। କେବଳ ଏତିକି ନୁହେଁ ବରଂ ବଳପୂର୍ବକ ସେମାନଙ୍କର ବୟାନ ରେକର୍ଡ ମଧ୍ୟ କରାଯାଇଥିଲା। ତେବେ ଏହି ଘଟଣାର ତଦନ୍ତ ପାଇଁ ରାଧାକାନ୍ତ ତ୍ରିପାଠୀ ଏନଏଚ୍ଆର୍ସିରେ ପିଟିସନ ଦାଖଲ କରିଥିଲେ। ଏନ୍ଏଚଆର୍ସିଙ୍କ ନିର୍ଦ୍ଦେଶ ମୁତାବକ, ଓଡ଼ିଶା ସିବି-ସିଆଇଡି ଏହି ଘଟଣାର ତଦନ୍ତ କରି ଅଭିଯୁକ୍ତ ପୁଲିସ ଅଧିକାରୀଙ୍କୁ ଗିରଫ କରାଯିବା ପରେ ତାଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟନୁଷ୍ଠାନ ଓ ଅପରାଧିକ ମାମଲା ରୁଜୁ କରାଯାଇଥିଲା। ଉକ୍ତ ଦୁଇ ଯୁବକଙ୍କ କ୍ଷେତ୍ରରେ ମାନବାଧିକାରର ଉଲ୍ଲଂଘନ ହୋଇଥିବା ନେଇ ସେମାନଙ୍କୁ ୫୦ ହଜାର ଟଙ୍କା ଲେଖାଏଁ କ୍ଷତିପୂରଣ ଦେବାକୁ କମିସନ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ସୁପାରିସ ମଧ୍ୟ କରିଥିଲେ। କ୍ଷତିପୂରଣ ଦେବାରେ କୌଣସି ଆପତ୍ତି ନଥିବା ନେଇ ୨୦୧୬, ନଭେମ୍ବର ୧୧ ତାରିଖରେ କ୍ରାଇମ ବ୍ରାଞ୍ଚ ଏସପି କମିସନଙ୍କୁ ପତ୍ର ମାଧ୍ୟମରେ ସୂଚିତ କରିଥିଲେ। ଏହାପରେ କମିସନ ମୁଖ୍ୟ ଶାସନ ସଚିବଙ୍କୁ ପତ୍ର ଲେଖି ୬ ସପ୍ତାହ ମଧ୍ୟରେ କ୍ଷତିପୂରଣ ଦେଇ ଏହାର ପ୍ରମାଣ ଦେବାକୁ ନିର୍ଦ୍ଦେଶ ଦିଆଯିବା ସହ ଏହାର ଉଲ୍ଲଂଘନ କଲେ ଆଇନ ଅନୁଯାୟୀ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି ମଧ୍ୟ ସୂଚିତ କରାଯାଇଥିଲା।