୧୫ ଦିନରେ ୭୦ ହଜାରରୁ ଅଧିକ ମାମଲା, ମୃତ୍ୟୁହାର ୨.୮୭%, ବିଶ୍ବରେ ସର୍ବନିମ୍ନ

ନୂଆଦିଲ୍ଲୀ: ଦେଶରେ ମାତ୍ର ୧୫ ଦିନ ମଧ୍ୟରେ ୭୦ ହଜାରରୁ ଅଧିକ କରୋନା ସଂକ୍ରମଣ ମାମଲା ରେକର୍ଡ କରାଯାଇଛି। ମହାରାଷ୍ଟ୍ର, ତାମିଲନାଡ଼ୁ ଓ ଦିଲ୍ଲୀରେ ଲଗାତାର ସଂକ୍ରମଣ ବଢ଼ିଚାଲିଛି। ଗତ ୨ ଦିନ ମଧ୍ୟରେ ଏହି ୩ ରାଜ୍ୟରେ ମୋଟ ମାମଲାର ୧୧ ପ୍ରତିଶତ ବୃଦ୍ଧି ଘଟିଛି। ମହାରାଷ୍ଟ୍ର ଏବଂ ତାମିଲନାଡ଼ୁରେ ଆକ୍ରାନ୍ତ ସଂଖ୍ୟା ୧୨ ଦିନରେ ଦୁଇଗୁଣ ହେଉଥିବା ବେଳେ ଦିଲ୍ଲୀରେ ୧୪ ଦିନରେ ମାମଲା ଦୁଇଗୁଣ ହେଉଛି। ବିହାରରେ ମାତ୍ର ୭ ଦିନରେ ମାମଲା ଦୁଇଗୁଣ ହେଉଥିବା ବେଳେ ଏଠାରେ ଦୈନିକ ୧୦.୬୭ ପ୍ରତିଶତ ଗତିରେ ମାମଲା ସାମ୍ନାକୁ ଆସୁଛି। ଗୁଜରାଟ ଓ ଉତ୍ତରପ୍ରଦେଶରେ କିଛିଦିନ ହେଲା ସଂକ୍ରମଣର ବେଗ ସାମାନ୍ୟ କମିଛି।

ଏଠାରେ ମାମଲା ଦୁଇଗୁଣ ହେବାକୁ ୧୮ ଦିନ ଲାଗୁଛି। ଭାରତରେ ବିଗତ ୧୫ ଦିନ ମଧ୍ୟରେ କରୋନା ମୃତ୍ୟୁସଂଖ୍ୟା ପ୍ରାୟ ଦୁଇ ଗୁଣ ହୋଇଯାଇଛି। ବିଗତ ଦୁଇ ଦିନରେ ମୃତ୍ୟୁସଂଖ୍ୟାରେ ୮ ପ୍ରତିଶତ ବୃଦ୍ଧି ହୋଇଛି। ଏବେ ଦେଶରେ ଆରୋଗ୍ୟ ହାର ୪୧.୬୧ ପ୍ରତିଶତ ରହିଥିବା ବେଳେ ମୃତ୍ୟୁହାର ୨.୮୭ ରହିଛି। ଏହା ବିଶ୍ବରେ ସବୁଠାରୁ କମ୍‌ ମୃତ୍ୟୁହାର ବୋଲି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ସୂତ୍ରରୁ ଜଣାପଡ଼ିଛି। ଗୋଟିଏ ପଟେ ଆରୋଗ୍ୟ ହାର ବୃଦ୍ଧି ପାଉଥିବା ବେଳେ ଅନ୍ୟପଟେ ମୃତ୍ୟୁହାରକୁ ନିୟନ୍ତ୍ରଣରେ ରଖିବାକୁ ଭାରତ ସକ୍ଷମ ହୋଇଥିବାରୁ ଏହା କୋଭିଡ ନିୟନ୍ତ୍ରଣ ଦିଗରେ ବଡ଼ ଆଶ୍ବସ୍ତିର କାରଣ ହୋଇଛି।

ସମ୍ବନ୍ଧିତ ଖବର