ଆଶାର ଆଲୋକ : କାଶ୍ମୀରରେ ଯେତିକି ଯୁବକ ଆତଙ୍କବାଦୀ ହୋଇଛନ୍ତି ତାହାର ଦୁଇଗୁଣ ସେନାରେ ମିଶିଛନ୍ତି

ଶ୍ରୀନଗର : ଜାମ୍ମୁ ଓ କାଶ୍ମୀରରେ କେତେକ ଯୁବକ ପଥଭ୍ରଷ୍ଟ ହୋଇ ଆତଙ୍କବାଦୀ ସଂଗଠନରେ ମିଶୁଛନ୍ତି । କିନ୍ତୁ ସୁଖର କଥା ହେଉଛି ଯେତିକି ଯୁବକ ଆତଙ୍କବାଦୀ ହେଉଛନ୍ତି ତାହାର ଦୁଇଗୁଣ ଯୁବକ ସେନାରେ ମିଶି ଦେଶ ସେବା ପାଇଁ ଆଗେଇ ଆସୁଛନ୍ତି । ଏ ବର୍ଷ ଜୁଲାଇ ସୁଦ୍ଧା ପ୍ରାୟ ୧୧୦ ଜଣ ଯୁବକ ଆତଙ୍କବାଦୀ ସଂଗଠନରେ ଯୋଗ ଦେଇଥିବାବେଳେ ସେନାରେ ୨୧୫ ଜଣ ଯୋଗଦେଇ ତାଲିମ ନେଉଛନ୍ତି  ବୋଲି ସୂଚନା ଦେଇଛନ୍ତି ଭାରତୀୟ ସେନାର ଲେପ୍ଟନାଣ୍ଟ ଜେନେରାଲ ସତୀଶ ଦୁଓ । ତେବେ ସେ ଆଶା ପ୍ରକଟ କରିଛନ୍ତି ଯେ ଯେଉଁ ଯୁବକମାନେ ଆତଙ୍କି ସଂଗଠନରେ ଯୋଗ ଦେଇଛନ୍ତି ସେମାନେ ପୁଣି ଥରେ ମୁଖ୍ୟଧାରାକୁ ଫେରିବେ । ସରକାରୀ ସୂଚନାରୁ ପ୍ରକାଶ ଯେ ଦକ୍ଷିଣ କାଶ୍ମୀରର ସୋପିଆନ ଜିଲ୍ଲାରୁ  ସବୁଠାରୁ ଅଧିକ ୨୮ ଜଣ ଯୁବକ ଆତଙ୍କବାଦୀ ହୋଇଛନ୍ତି । ଏହାଛଡା ଦକ୍ଷିଣ କାଶ୍ମୀରର ଅନ୍ୟାନ୍ୟ ଜିଲ୍ଲା ଅନନ୍ତନାଗ, ଫୁଲଓ୍ବାମା, ଅଓ୍ବନ୍ତିପୁରା ଓ କୁଲଗାମରୁ ମଧ୍ୟ ଯୁବକମାନେ ଆତଙ୍କର ରାସ୍ତା ଗ୍ରହଣ କରିଛନ୍ତି ।  ଏହି ୫ଟି ଜିଲ୍ଲାରୁ ମୋଟ ୯୧ ଜଣ ଯୁବକ ବିଭିନ୍ନ ଆତଙ୍କବାଦୀ ସ˚ଗଠନରେ ଯୋଗ ଦେଇଛନ୍ତି । ଏହା ନୁହେଁ ଯେ କେବଳ ଗରିବ ପିଲାମାନେ ଆତଙ୍କବାଦୀ ହେଉଛନ୍ତି, ଉଚ୍ଚଶିକ୍ଷିତ ପିଲାମାନେ  ମଧ୍ୟ ଆତଙ୍କବାଦର ରାସ୍ତା ଗ୍ରହଣ କରୁଛନ୍ତି । ଏହାକୁ ନେଇ ସରକାରଙ୍କ ଚିନ୍ତା ବଢିଯାଇଛି ।

ସମ୍ବନ୍ଧିତ ଖବର