ସର୍ବାଧିକ ସଂକ୍ରମଣ: ମସ୍କୋ ପଛକୁ ମୁମ୍ବାଇ, ଖୁବ୍‌ଶୀଘ୍ର ବିଶ୍ବରେ କୋଭିଡ୍‌ ହଟସ୍ପଟ୍‌ ପାଲଟିବ

ସର୍ବାଧିକ ସଂକ୍ରମଣ: ମସ୍କୋ ପଛକୁ ମୁମ୍ବାଇ

ମୁମ୍ବାଇ: ରୁଷ୍‌ ରାଜଧାନୀ ମସ୍କୋ ପରେ ଭାରତର ଆର୍ଥିକ ରାଜଧାନୀ ମୁମ୍ବାଇରେ ଏବେ ନୂଆ ସଂକ୍ରମଣ ସବୁଠୁ ଅଧିକ ରହୁଛି। କିନ୍ତୁ ମସ୍କୋରେ ଗୋଟିଏ ପଟେ ସଂକ୍ରମଣ କମୁଥିବା ବେଳେ ମୁମ୍ବାଇରେ ବଢ଼ି ଚାଲିଛି। ଭାରତର ଆର୍ଥିକ ରାଜଧାନୀ ମୁମ୍ବାଇ ଖୁବ୍‌ ଶୀଘ୍ର ବିଶ୍ବରେ ସବୁଠୁ ବଡ଼ କୋଭିଡ୍‌ ହଟ୍‌ସ୍ପଟ୍‌ ପାଲଟିବ। ଦେଶର ଏକ ପଞ୍ଚମାଂଶ ମାମଲା ମୁମ୍ବାଇରେ ଥିବାବେଳେ ଏହା ଏବେ ଦେଶରେ ସବୁଠୁ ବଡ଼ ହଟ୍‌ସ୍ପଟ୍‌ ହୋଇଛି। ମୁମ୍ବାଇ ସହରର ମୋଟ୍‌ ଜନସଂଖ୍ୟାର ୦.୨୨ ପ୍ରତିଶତ ଏବେ କରୋନା ସଂକ୍ରମିତ ହୋଇ ସାରିଛନ୍ତି। ସମଗ୍ର ବିଶ୍ବର ନଜର ଏବେ ଭାରତର ଆର୍ଥିକ ରାଜଧାନୀ ଉପରେ ବୋଲି କୁହାଯାଉଛି। ମେ’ ଆରମ୍ଭରୁ ମୁମ୍ବାଇରେ ସଂକ୍ରମଣ ମାମଲା ୩ ଗୁଣା ବଢ଼ିଛି। ମେ’ ମଧ୍ୟଭାଗରେ ନ୍ୟୁୟର୍କ ସହରଠାରୁ ମଧ୍ୟ ମୁମ୍ବାଇରେ ଅଧିକ ସଂକ୍ରମଣ ରହିଛି। କିନ୍ତୁ ନ୍ୟୁୟର୍କ ସହରର ‌ମୋଟ୍‌ ସଂକ୍ରମଣ ମାମଲାଠାରୁ ମୁମ୍ବାଇ ବହୁତ ପଛରେ ରହିଛି। ଜନସଂଖ୍ୟା ଦୃଷ୍ଟିରୁ ମୁମ୍ବାଇଠାରୁ ନ୍ୟୁୟର୍କ ସହରରେ ବହୁତ କମ୍‌ ଜନସଂଖ୍ୟା । କିନ୍ତୁ ରୁଷ୍‌ର ମସ୍କୋ ଏବଂ ବ୍ରାଜିଲ୍‌ର ସାଓ ପାଉଲୋରେ ମୁମ୍ବାଇ ପରି ସମାନ ଜନସଂଖ୍ୟା। ଏହି ୧୨ ନିୟୁତରୁ ଅଧିକ ଜନସଂଖ୍ୟା ଥିବା ଏହି ୨ଟି ସହର ଏବେ ବୈଶ୍ବିକ ହଟ୍‌ସ୍ପଟ୍‌। ମୁମ୍ବାଇ ମଧ୍ୟ ଖୁବ୍‌ଶୀଘ୍ର ବିଶ୍ବରେ ହଟ୍‌ସ୍ପଟ୍‌ ହେବାକୁ ଯାଉଛି।

ମେ ୨୨ ତାରିଖରେ ମୁମ୍ବାଇରେ ୧୭୫୧ ନୂଆ ମାମଲା ଚିହ୍ନଟ ହୋଇଥିଲା ଏବଂ ସେହିଦିନ ମସ୍କୋ ବ୍ୟତୀତ ସମଗ୍ର ବିଶ୍ବରେ ମୁମ୍ବାଇରେ ସବୁଠୁ ଅଧିକ ସଂକ୍ରମଣ ଥିଲା। ଗତ ୨ ସପ୍ତାହ ମଧ୍ୟରେ ମସ୍କୋ ଏବଂ ସାଓ ପାଉଲୋ ଅପେକ୍ଷା‌ ମୁମ୍ବାଇରେ ସଂକ୍ରମଣ ବଢ଼ୁଛି। ମୁମ୍ବାଇରେ କରୋନା ମୃତ୍ୟୁସଂଖ୍ୟା ୯୦୯ ଥିବାବେଳେ ସାଓ ପାଉଲୋରେ ୩,୩୫୨ ଏବଂ ମସ୍କୋରେ ୧୮୬୭ ଜଣଙ୍କ ମୃତ୍ୟୁ ହୋଇଛି। ଗତ ୭ ଦିନ ମଧ୍ୟରେ ମସ୍କୋରେ ୫୦୯, ସାଓ ପାଉଲୋରେ ୬୭୮ ଏବଂ ମୁମ୍ବାଇରେ ୨୫୪ ଜଣଙ୍କ ମୃତ୍ୟୁ ହୋଇଛି।

ସମ୍ବନ୍ଧିତ ଖବର