ପୁଅର ଅସୁସ୍ଥତା ପାଇଁ ଭାଙ୍ଗି ପଡ଼ିଲେ ମା’:ପୁଅକୁ ହସ୍ପିଟାଲ ଛାତରୁ ତଳକୁ ଫୋପାଡ଼ିଦେଲେ

ଲ‌କ୍ଷ୍ନୌ : ଉତ୍ତରପ୍ରଦେଶର ଲକ୍ଷ୍ନୌରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ମା’ ତା’ ପୁଅର ଅସୁସ୍ଥତା ପାଇଁ ମାନସିକ ସ୍ତରରେ ଏମିତି ଭାଙ୍ଗି ପଡ଼ିଲା ଯେ ଶେଷରେ ସେ ନିଜ ହାତରେ ପୁଅକୁ ମୃତ୍ୟୁ ମୁହଁକୁ ଠେଲି ଦେଲା। । ୩ ମାସର ପୁଅକୁ ମା’ ହସ୍ପିଟାଲ୍‌ ଛାତରୁ ତଳକୁ ଫୋପାଡ଼ି ଦେବା ଘଟଣା ସ୍ଥାନୀୟ ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି। ଲ‌କ୍ଷ୍ନୌର କେଜିଏମ୍‌ୟୁ (କିଙ୍ଗ୍‌ ଜର୍ଜ‌୍ସ ମେଡିକାଲ ୟୁନିଭର୍ସିଟି)ରେ ଏହି ଘଟଣା ଘଟିଛି। ଶିଶୁଟି ଗତ ଏପ୍ରିଲ ୨୩ ତାରିଖରେ ଗୋରଖପୁରର ବିଆର୍‌ଡି ମେଡିକାଲ କଲେଜ୍‌ରେ ଜନ୍ମ ହୋଇଥିଲା। ତେବେ ମେ’ ୨୬ ତାରିଖରେ ଶିଶୁକୁ କେଜିଏମ୍‌ୟୁରେ ଭର୍ତ୍ତି କରାଯାଇଥିଲା। କେଜିଏମ୍‌ୟୁରେ ଶିଶୁକୁ ଚିକିତ୍ସା କରୁଥିବା ଡାକ୍ତରମାନେ କହିଥିଲେ ଯେ ଶିଶୁଟିର ଲିଭର ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି ଏବଂ ତାକୁ ବଞ୍ଚାଇ ରଖିବା ଖୁବ୍‌ କଷ୍ଟଦାୟକ। ଡାକ୍ତରଙ୍କର ଏହି କଥାରେ ପିଲାଟିର ମା’ ଭାଙ୍ଗି ପଡ଼ିଥିଲେ ଏବଂ ପରେ ସେ ନିଜ ପିଲାକୁ ହାତରେ ଧରି ହସ୍ପିଟାଲ୍‌ର ୪ ମହଲା ଉପରକୁ ଯାଇ ତଳକୁ ଫୋପାଡ଼ି ଦେଇଥିଲେ।
ମହିଳା ଜଣଙ୍କ ଉକ୍ତ ଘଟଣା ବିଷୟରେ କାହାକୁ କିଛି କହିନଥିଲେ। ତାଙ୍କ ସ୍ବାମୀ ଏବଂ ଭିଣୋଇ ହସ୍ପିଟାଲ୍‌ ପରିସରରେ ଥିବା ଶୟନ କକ୍ଷରେ ଶୋଇଥିବା ସମୟରେ ସେ ଏଭଳି ଚରମ ପଦକ୍ଷେପ ନେଇଥିଲେ। ତେବେ ମହିଳା ଜଣଙ୍କ ଦାବି କରିଥିଲେ ଯେ ତାଙ୍କ ପୁଅକୁ ୱାର୍ଡରୁ କିଏ ଚୋରି କରି‌ନେଇଛି। ହସ୍ପିଟାଲ୍‌ ଷ୍ଟାଫ୍‌ଙ୍କୁ ସେ ଏଥିପାଇଁ ଦାୟୀ କରିଥିଲେ। କିନ୍ତୁ ପରେ ସିସିଟିଭି ଫୁଟେଜ୍‌ ଯାଞ୍ଚରୁ ପ୍ରକୃତ ସତ ଜଣାପଡ଼ିବା ପରେ ପୁଲିସ ଉକ୍ତ ମହିଳାଙ୍କୁ ଗିରଫ କରିଛି।

ସମ୍ବନ୍ଧିତ ଖବର