ଝିଅର କ୍ୟାନ୍‌ସର୍‌ ଚିକିତ୍ସା ଲାଗି ‘ଉହାନ୍‌’ ବାହାରକୁ ଛାଡ଼ିବା ପାଇଁ ନିଷ୍ଠୁର ପୁଲିସ ନିକଟରେ ମାଆର ଆକୁଳ ନିବେଦନ

ଜିଉଜିଆଙ୍ଗ୍‌ (ଚୀନ୍‌): କରୋନାଭାଇରସ୍‌ ସଂକ୍ରମଣ ଯୋଗୁଁ ସମଗ୍ର ଚୀନ୍‌ରୁ ଏକ ପ୍ରକାର ବିଚ୍ଛିନ୍ନ ହୋଇ ପଡ଼ିଥିବା ହୁବେଇ ପ୍ରଦେଶରୁ ବାହାରି ଯିବାକୁ ୟାଙ୍ଗ୍‌ସ୍‌ଜେ ନଦୀ ପୋଲରେ ଥିବା ପୁଲିସ ଚେକ୍‌ପଏଣ୍ଟ୍‌ ଅତିକ୍ରମ କରିବାକୁ ଶନିବାର ଦିନ ୫୦ ବର୍ଷୀୟ ମହିଳା ଘଣ୍ଟା ଘଣ୍ଟା ବିତାଇଦେଲେ। ରକ୍ତ କର୍କଟ ରୋଗରେ ଆକ୍ରାନ୍ତ ତାଙ୍କ ୨୬ ବର୍ଷୀୟ ଝିଅକୁ ସେ ହୁବେଇରୁ ବାହାରକୁ ନେବାକୁ ଉଦ୍ୟମ କରୁଥିଲେ।

ପେଷାରେ କୃଷକ ସେ ମହିଳା ହେଉଛନ୍ତି ଲୁ’ ୟୁଏଜିନ୍‌ ଏବଂ ତାଙ୍କ ଝିଅ ହେଉଛି ହୁ’ ପିଙ୍ଗ୍‌। ହୁବେଇର ରାଜଧାନୀ ଉହାନ୍‌ର ଡାକ୍ତରଖାନା ସବୁ କରୋନାଭାଇରସ୍‌ ଆକ୍ରାନ୍ତ ରୋଗୀରେ ପୂର୍ଣ୍ଣ ହୋଇଥିବାରୁ ଝିଅ ହୁ’ ପିଙ୍ଗ୍‌ର ଦ୍ୱିତୀୟ ପାଳି କେମୋଥେରାପି ଚିକିତ୍ସା କରାଇବା ସମ୍ଭବପର ହୋଇ ନ ଥିଲା। ତେଣୁ ସେ ହୁବେଇ ବାହାରକୁ ଯାଇ ଚିକିତ୍ସା କରାଇବାକୁ ଚାହୁଁଥିଲେ।

ଲୁ’ ଲୁହ ଛଳ ଛଳ ଆଖିରେ ପୁଲିସକୁ ନିବେଦନ କରୁଥିବା ବେଳେ କମ୍ବଳ ଖଣ୍ଡେ ଘୋଡ଼ାଇ ହୋଇ ଝିଅ ହୁ ପିଙ୍ଗ୍‌ ଭୂଇଁରେ ବସିଥିଲା।

ଲୁ’ କହୁଥିଲେ: ଦୟାକରି ମୋ ଝିଅକୁ ନେଇଯାଅ। ମୁଁ ସେପାରିକୁ ଯିବାକୁ ଚାହୁଁନାହିଁ… ଦୟାକର, ମୋ ଝିଅକୁ ଛାଡ଼।

Image Source: ALKhaleej Today

କିନ୍ତୁ, ଉହାନ୍‌ବାସୀଙ୍କୁ ଜିଉଜିଆଙ୍ଗ୍‌ ଯିବାକୁ ଅନୁମତି ନାହିଁ ବୋଲି ପୂର୍ବରୁ ରେକର୍ଡ ହୋଇ ମାଇକ୍‌ରେ ବାଜୁଥିବା ଘୋଷଣାରେ ତାଙ୍କ ନିବେଦନ ଚାପି ହୋଇ ଯାଉଥିଲା।

କେବଳ ଲୁ’ କାହିଁକି ଅନେକ ଲୋକ ପୁଲିସ ଚେକ୍‌ପଏଣ୍ଟ୍‌ ଅତିକ୍ରମ କରିବାକୁ ଉଦ୍ୟମ କରି ବିଫଳ ହୋଇଛନ୍ତି। ଜାନୁଆରି ୨୪ ତାରିଖ ପୂର୍ବରୁ କେତେକ ଟ୍ରେନ୍‌ ଓ ବିମାନ ଯୋଗେ ଉହାନ୍‌ରୁ ଜିଉଜୁଆଙ୍ଗ୍‌ ଚାଲିଯାଇଥିଲେ ବି, ଆହୁରି କେତେକ ଯିବାକୁ ସମର୍ଥ ହୋଇ ନ ଥିଲେ।

ଚେକ୍‌ପଏଣ୍ଟ୍‌ରେ ସମ୍ବାଦ ସରବରାହ ସଂସ୍ଥାନ ରଏଟର୍‌ର ପ୍ରତିନିଧିମାନଙ୍କୁ ଲୁ’ କହିଲେ, ମୋ ଝିଅ ଜୁଉଜିଆଙ୍ଗ୍‌ସ୍ଥିତ ଡାକ୍ତରଖାନାକୁ ଯିବା ଜରୁରୀ। ତା’ର ଚିକିତ୍ସା ପ୍ରୟୋଜନ। କିନ୍ତୁ, ସେମାନେ ଛାଡୁ ନାହାନ୍ତି। ମୁଁ ଖାଲି ତାକୁ ବଞ୍ଚାଇବାକୁ ଚାହୁଁଛି।

ଏହାର ଅଧଘଣ୍ଟା ପରେ ପୁଲିସ ଦୟାପରବଶ ହୋଇଥିଲେ। ଫୋନ୍‌ କରି ଆମ୍ବୁଲାନ୍‌ସ୍‌ ଡକାଇ ଲୁ’ ଏବଂ ହୁ’ଙ୍କୁ ସେପାରିକୁ ଛାଡ଼ିଥିଲେ।

ସମ୍ବନ୍ଧିତ ଖବର