ମା ଅଚେତ, ନବଜାତ ଝିଅର ବାପା ବୋଲି ଦାବିକରି ତିନିଜଣ ଲୋକ ଡାକ୍ତରଖାନାରେ ହାଜର

କୋଲ୍‌କାତା: ରବିବାର ଦିନ କୋଲ୍‌କାତାର ଗୋଟାଏ ଡାକ୍ତରଖାନାରେ ଜଣେ ମହିଳା ଝିଅଟିଏ ଜନ୍ମ କରିବା ପରେ ତିନି ଜଣ ବ୍ୟକ୍ତି ଆସି ଦାବି କରିଛନ୍ତି ଯେ ସେମାନେ ସେ ଝିଅର ବାପା।

ଶନିବାର ଦିନ ଆଇରିସ୍‌ ହସ୍‌ପିଟାଲ୍‌କୁ ଜଣେ ୨୧ ବର୍ଷୀୟ ଆସନ୍ନପ୍ରସବା ମହିଳାଙ୍କୁ ଅଣାଯାଇଥିଲା। ତାଙ୍କ ସହ ଆସିଥିଲେ ତାଙ୍କର ମାଆ ଓ ଜଣେ ଲୋକ।

ପ୍ରସବ କରାଇବା ସକାଶ ୨୧ ବର୍ଷୀୟ ମହିଳାଙ୍କୁ ଅପରେସନ୍‌ ଥିଏଟର୍‌ ନିଆଯିବା ପୂର୍ବରୁ ସେ ବ୍ୟକ୍ତିଜଣକ ଫର୍ମରେ ମହିଳାଙ୍କ ସ୍ୱାମୀ ବୋଲି ଉଲ୍ଲେଖ କରିବା ସହ ଅଗ୍ରୀମ ଦେୟ ପୈଠ କରିଥିଲେ।

ସବୁ କଥା ସ୍ୱାଭାବିକ ଭାବେ ଚାଲିଥିବା ବେଳେ ଅନ୍ୟ ଜଣେ ଲୋକ ଡାକ୍ତରଖାନାରେ ପହିଞ୍ଚିଥିଲେ ଓ ସେ ମହିଳାଙ୍କ ସ୍ୱାମୀ ବୋଲି କହି ତାଙ୍କୁ ଭେଟିବାକୁ ଚାହିଁଥିଲେ।

ଆଚମ୍ବିତ ହୋଇ ଡାକ୍ତରଖାନାର କର୍ମଚାରୀମାନେ କହିଥିଲେ ଯେ ସ୍ୱାମୀ ବୋଲି କହି ପୂର୍ବରୁ ଜଣେ ବ୍ୟକ୍ତି ଫର୍ମ ପୂରଣ କରି ସେଥିରେ ଦସ୍ତଖତ କରି ସାରିଛନ୍ତି।

ମହିଳାଜଣକ ଲେବର୍‌ ରୁମ୍‌ରେ ଥିବାରୁ ଡାକ୍ତରଖାନାର କର୍ମଚାରୀମାନେ ଦ୍ୱିତୀୟ ବ୍ୟକ୍ତିଙ୍କୁ ପ୍ରଥମ ବ୍ୟକ୍ତିଙ୍କ ପାଖକୁ ନେବାରୁ ଉଭୟ ମାଡ଼ପିଟ୍‌ ଲାଗିଗଲେ। ପରିସ୍ଥିତି ଜଟିଳ ହେବାରୁ ଡାକ୍ତରଖାନା ମ୍ୟାନେଜ୍‌ମେଣ୍ଟ୍‌ ପୁଲିସ ଡକାଇଲେ ଏବଂ ସେମାନେ ଦୁହିଁଙ୍କୁ ଡାକ୍ତରଖାନାରୁ ବାହାରକୁ ନେଇଗଲେ। ସୁରକ୍ଷା ଦୃଷ୍ଟିରୁ ସେ ମହିଳାଙ୍କ ନିକଟକୁ ଆସୁଥିବା ଦର୍ଶକମାନଙ୍କ ପ୍ରତି ଡାକ୍ତରଖାନା ତରଫରୁ କଟକଣା ଲାଗୁ କରାଗଲା।

ବାହାରେ ପାଟିତୁଣ୍ଡ ଚାଲିଥିବା ବେଳେ ଅପରେସନ୍‌ ଥିଏଟର୍‌ରେ ମହିଳାଜଣକ ଝିଅଟିଏ ଜନ୍ମ କରିଥିଲେ।

ପୁଲିସ ମଧ୍ୟ ଦୁଇ ବ୍ୟକ୍ତିଙ୍କୁ ବିବାହ ପ୍ରମାଣ ଦାଖଲ କରିବାକୁ କହିଲା। ରବିବାର ସନ୍ଧ୍ୟାରେ ଦ୍ୱିତୀୟ ବ୍ୟକ୍ତିଜଣକ ବାହାଘର ପ୍ରମାଣପତ୍ର ନେଇ ଫେରିବା ପରେ ପ୍ରଥମ ବ୍ୟକ୍ତିଜଣକ ସ୍ୱୀକାର କଲେ କି, ସେ ମହିଳାଙ୍କର ବନ୍ଧୁ।

କିନ୍ତୁ, ଏତିକିରେ ରହସ୍ୟ ସରିଲା ନାହିଁ। ମହିଳାଙ୍କ ମା’ ଦ୍ୱିତୀୟ ବ୍ୟକ୍ତିଙ୍କୁ ତାଙ୍କର ଜ୍ୱାଇଁ ବୋଲି ସ୍ୱୀକାର କଲେ ନାହିଁ। ଶେଷକୁ ପୁଲିସ ବିଚାର କଲା କି, ପ୍ରକୃତ ସ୍ୱାମୀ କିଏ ଝିଅ ଜନ୍ମ କରିଥିବା ମହିଳା କୁହନ୍ତୁ। କିନ୍ତୁ ପିଲା ଜନ୍ମ କରିବା ପରେ ସେ ଅଚେତ ହୋଇ ପଡ଼ିଥିଲେ ଓ ଧୀରେ ଧୀରେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ସୁଧୁରି ଆସୁଥିଲା।

ଏଥର ପୁଲିସ ଦୁଇ ବ୍ୟକ୍ତିଙ୍କ ଉପସ୍ଥିତିରେ ମହିଳାଙ୍କ ବୟାନ୍‌ ରେକର୍ଡ କରିବାକୁ ଯିବା ବେଳେ ଜଣେ ତୃତୀୟ ବ୍ୟକ୍ତି ଆସି ହାଜର ହେଲେ। ସେ କହିଲେ, କି ସେ ମହିଳାଙ୍କ ସ୍ୱାମୀ ନୁହନ୍ତି, କିନ୍ତୁ ନବଜାତ ଝିଅର ବାପା।

ଶେଷରେ ମହିଳାଜଣକ ବୟାନ ଦେଲେ କି, ଦ୍ୱିତୀୟ ବ୍ୟକ୍ତି ହେଉଛନ୍ତି ତାଙ୍କର ସ୍ୱାମୀ ଓ ଝିଅର ପିତା। ଜଟିଳ ସମ୍ପର୍କ ସଂକ୍ରାନ୍ତରେ ସ୍ପଷ୍ଟ କରି ସେ କହିଲେ ଯେ ଦ୍ୱିତୀୟ ବ୍ୟକ୍ତିଜଣକ ତାଙ୍କୁ ପତ୍ନୀ ଭାବେ ସ୍ୱୀକାର ନ କରିବାରୁ ସେ ଦୁଷ୍କର୍ମ ଅଭିଯୋଗ ଦାଏର କରିଥିଲେ। ଫଳରେ ସେ ପରେ ତାଙ୍କୁ ବିବାହ କରିଥିଲେ।

ସମ୍ବନ୍ଧିତ ଖବର