କୁଳଭୂଷଣଙ୍କୁ ଭେଟିଲେ ମା’ ଓ ପତ୍ନୀ

o କାଚ ପରଦା ଆଢୁଆଳରେ ହେଲା ସାକ୍ଷାତ o ଇଣ୍ଟରକମ୍‌ ଫୋନ୍‌ ମାଧ୍ୟମରେ କଥାବାର୍ତ୍ତା

ନୂଆଦିଲ୍ଲୀ: ଭାରତର କୂଟନୈତିକ ହସ୍ତକ୍ଷେପର ସଫଳ ପରିଣତି ସ୍ୱରୂପ ଆଜି ଇସଲାମାବାଦଠାରେ ପୂର୍ବତନ ନୌସେନା ଅଧିକାରୀ କୁଳଭୂଷଣ ଯାଦବ ତାଙ୍କ ମା’ ଓ ପତ୍ନୀଙ୍କୁ ସାକ୍ଷାତ କରିବାର ସୁଯୋଗ ପାଇଛନ୍ତି। ଗୁଇନ୍ଦାଗିରି କରୁଥିବା ଅଭିଯୋଗରେ ପାକିସ୍ତାନରେ ମୃତ୍ୟୁ ଦଣ୍ଡାଦେଶକୁ ବହନ କରି ବନ୍ଦୀ ଜୀବନ କାଟୁଥିବା କୁଳଭୂଷଣ ଆଜି ଇସଲାମାବାଦ ସ୍ଥିତ ପାକିସ୍ତାନର ବୈଦେଶିକ କାର୍ଯ୍ୟାଳୟରେ ପରିବାର ଲୋକଙ୍କୁ ଭେଟି ଆତ୍ମହରା ହୋଇପଡ଼ିଥିଲେ। ଏକ କାଚ ପରଦା ଆଢ଼ୁଆଳରେ ଅନୁଷ୍ଠିତ ଏହି ସାକ୍ଷାତ କାର୍ଯ୍ୟକ୍ରମରେ ଭାରତର ଉପରାଷ୍ଟ୍ରଦୂତ ଜେପି ସିଂହ ଏବଂ ପାକିସ୍ତାନ ବୈଦେଶିକ କାର୍ଯ୍ୟାଳୟର ନିର୍ଦ୍ଦେଶକ ଫରେହା ବୁଗ୍‌ତି ମଧ୍ୟ ଉପସ୍ଥିତ ଥିଲେ।
ଆଜି ସକାଳେ କୁଳଭୂଷଣଙ୍କ ମା’ ଅବନ୍ତୀ ଏବଂ ପତ୍ନୀ ଚେତନକାଉଲ ଦୁବାଇରୁ ବିମାନ ଯୋଗେ ଆସି ଇସଲାମାବାଦରେ ପହଞ୍ଚିଥିଲେ। ଗଣମାଧ୍ୟମକୁ ସେମାନେ ସ୍ୱାଗତ କରିଥିଲେ ହେଁ ସାକ୍ଷାତ ସମ୍ପର୍କିତ କୌଣସି ପ୍ରଶ୍ନର ଉତ୍ତର ଦେଇନଥିଲେ। ଏପଟେ ଏହି ବିରଳ ସାକ୍ଷାତକାର ପାଇଁ ପାକ୍‌ ବୈଦେଶିକ ମନ୍ତ୍ରଣାଳୟର ଏକ ସ୍ୱତନ୍ତ୍ର କୋଠରିକୁ ଏକ ମୋଟା କାଚ ପରଦା ଦ୍ୱାରା ବିଭକ୍ତ କରାଯାଇଥିଲା।

କଡ଼ା ସୁରକ୍ଷା ଭିତରେ ପରଦାର ଗୋଟିଏ ପଟେ କୁଳଭୂଷଣ ଏବଂ ଅପରପାର୍ଶ୍ୱରେ ପରିବାର ଲୋକେ ରହିଥିଲେ। ପାକିସ୍ତାନର ବୈଦେଶିକ କାର୍ଯ୍ୟାଳୟରେ ମା’ ଓ ପତ୍ନୀ ପହଞ୍ଚିବା ପୂର୍ବରୁ କୁଳଭୂଷଣଙ୍କୁ ସେଠାରେ ପହଞ୍ଚାଯାଇଥିଲା। ତେବେ ତାଙ୍କୁ କେଉଁ ଜେଲ୍‌ରୁ ସେଠାକୁ ନିଆଯାଇଥିଲା, ସେ ସମ୍ପର୍କରେ ପାକ୍‌ କର୍ତ୍ତୃପକ୍ଷ କିଛି କହିନାହାନ୍ତି। କାଚ ପରଦା ପ୍ରତିବନ୍ଧକ ଯୋଗୁଁ ଉଭୟ ପକ୍ଷ ମଧ୍ୟରେ ସିଧା ସଳଖ ବାର୍ତ୍ତାଳାପ ସମ୍ଭବନଥିବା ବେଳେ ପରସ୍ପର ଇଣ୍ଟରକମ୍‌ ଫୋନ୍‌ ମାଧ୍ୟମରେ କଥା ହୋଇଥିଲେ। ସ୍ଥାନୀୟ ସମୟ ଅପରାହ୍ଣ ପ୍ରାୟ ସାଢ଼େ ଗୋଟାଏରେ ଆରମ୍ଭ ହୋଇଥିବା ଏହି ସାକ୍ଷାତକାର ଦୀର୍ଘ ଅଧଘଣ୍ଟା ଧରି ଚାଲିଥିଲା।
ସୂଚନାଯୋଗ୍ୟ, ପାକିସ୍ତାନର ବେଲୁଚିସ୍ତାନ ପ୍ରଦେଶରେ ଆତଙ୍କବାଦୀ କାର୍ଯ୍ୟକଳାପରେ ଜଡ଼ିତ ଥିବା ଅଭିଯୋଗରେ ପାକିସ୍ତାନ ସରକାର କୁଳଭୂଷଣଙ୍କୁ ୨୦୧୬ ମାର୍ଚ୍ଚ ୩ରେ ଗିରଫ କରିଥିଲେ। ପାକିସ୍ତାନରେ ଭାରତୀୟ ଗୁଇନ୍ଦା ବିଭାଗ ପାଇଁ କାର୍ଯ୍ୟ କରୁଥିବା ଅଭିଯୋଗ କରି ସେଠାକାର ସରକାର କୁଳଭୂଷଣଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ। ବିଭିନ୍ନ ଆଳ ଦେଖାଇ ଚଳିତ ବର୍ଷ ଏପ୍ରିଲ ମାସରେ ପାକିସ୍ତାନର ସାମରିକ ଅଦାଲତ ତାଙ୍କୁ ଫାଶୀ ଦଣ୍ଡାଦେଶ କରିଥିଲେ। ତେବେ ଜଣେ ଭାରତୀୟଙ୍କୁ ଏଭଳି ବିନା ଆଧାରରେ ଏକତରଫା ନିଷ୍ପତ୍ତି ନେଇ ହତ୍ୟା କରିବାର ପରିଣାମ ପାକିସ୍ତାନକୁ ଭୋଗିବାକୁ ପଡ଼ିବ ବୋଲି ଭାରତ ଚେତାବନୀ ଦେଇଥିଲା।

ସେହିପରି କୁଳଭୂଷଣଙ୍କ ଉପରେ ପାକିସ୍ତାନ ଲଗାଇଥିବା ଅପରାଧ ଭିତ୍ତିହୀନ ଦର୍ଶାଇ ଭାରତ ଆନ୍ତର୍ଜାତୀୟ ନ୍ୟାୟ ଅଦାଲତ(ଆଇସିଜେ)ର ଦ୍ୱାରସ୍ଥ ହୋଇଥିଲା। ସର୍ବୋପରି ଏହି ମାମଲାରେ ଭାରତର ଦୃଢ଼ ହସ୍ତକ୍ଷେପ ପରେ ଆଇସିଜେ ଗତ ମେ ୧୮ ତାରିଖରେ କୁଳଭୂଷଣଙ୍କ ଫାଶୀ ଦଣ୍ଡାଦେଶରେ ରୋକ୍‌ ଲଗାଇଥିଲେ। ଅପରପକ୍ଷେ, କୂଟନୈତିକ ଯୋଗାଯୋଗ ପାଇଁ ଭାରତ ବାରମ୍ବାର ଦାବି କରି ଆସୁଥିବା ବେଳେ ପାକିସ୍ତାନ ପ୍ରତ୍ୟାଖ୍ୟାନ କରି ଚାଲିଥିଲା। ଏପରିକି ମିଛ ଭିଡିଓ ମାଧ୍ୟମରେ କୁଳଭୂଷଣ ନିଜ ଦୋଷ ସ୍ୱୀକାର କରିଥିବା କଥା ମଧ୍ୟ ପ୍ରଚାର କରିଥିଲା।

ତେବେ ଭାରତ ଏହାକୁ ଖଣ୍ଡନ କରିବା ସହ ଆଇସିଜେରେ ନିଜ ସପକ୍ଷ ଯୁକ୍ତିକୁ ଦୃଢ଼ ଭାବେ ଉପସ୍ଥାପନା କରିଥିଲା। ଫଳସ୍ୱରୂପ ପାକିସ୍ତାନ କୂଳଭୂଷଣଙ୍କୁ ଫାଶୀଦେବା ପାଇଁ ଆରମ୍ଭ କରିଥିବା ତ୍ୱରିତ ପଦକ୍ଷେପରୁ ଓହରିଯାଇଥିଲା। ସେହିପରି ମାନବାଧିକାର ଦୃଷ୍ଟିକୋଣରୁ କୁଲଭୂଷଣଙ୍କ ପରିବାର ଲୋକଙ୍କ ସହ ତାଙ୍କର ସାକ୍ଷାତକାର ପାଇଁ ମଧ୍ୟ ପାକିସ୍ତାନ ସମ୍ମତ ହୋଇଥିଲା। ଏଥିପାଇଁ ଗତ ୨୦ ତାରିଖରେ ହିଁ କୁଳଭୂଷଣଙ୍କ ମା’ ଓ ପତ୍ନୀଙ୍କୁ ପାକିସ୍ତାନ ଯିବା ପାଇଁ ଭିସା ମିଳଥିଲା।

ସମ୍ବନ୍ଧିତ ଖବର