ମଧ୍ୟପ୍ରଦେଶରେ ୬୦ଲକ୍ଷ ନକଲି ଭୋଟର!

ତଦନ୍ତ ପାଇଁ ୪ଟି ଦଳ ଗଠନ କଲେ ନିର୍ବାଚନ କମିସନ

0 20

ଭୋପାଳ: ଆଗକୁ ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ଥିବାବେଳେ ରାଜ୍ୟରେ ପ୍ରାୟ ୬୦ ଲକ୍ଷ ନକଲି ଭୋଟର ଥିବା ନେଇ କଂଗ୍ରେସ ଏକ ଗୁରୁତର ଅଭିଯୋଗ ଆଣିଛି। କଂଗ୍ରେସର ଅଭିଯୋଗକ୍ରମେ ଉକ୍ତ ଘଟଣାର ତଦନ୍ତ କରି ସତ୍ୟାସତ୍ୟ ଜାଣିବାପାଇଁ ନିର୍ବାଚନ କମିସନ୍‌ ୪ଟି ଟିମ୍‌ ଗଠନ କରିଛନ୍ତି। ଏହି ଟିମ୍‌ ମଧ୍ୟପ୍ରଦେଶରେ ସମସ୍ତ ଜିଲ୍ଲାରେ ଘରକୁ ଘର ବୁଲି ଭୋଟର ପରିଚୟପତ୍ର ଗୁଡ଼ିକର ପୁଙ୍ଖାନୁପୁଙ୍ଖ ଯାଞ୍ଚ କରିବେ। ଭୋଟର ପରିଚୟପତ୍ର ଗୁଡ଼ିକରେ ତ୍ରୁଟି ଥିଲେ ଏହାକୁ ତତ୍କାଳ ସୁଧାରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ତେବେ କୌଣସି କ୍ଷେତ୍ରରେ ଯଦି ଉଦ୍ଦେଶ୍ୟମୂଳକ ଭାବେ ପରିଚୟ ପତ୍ରରେ ତ୍ରୁଟି ଥିବା ନେଇ ଜଣାପଡ଼େ ତେବେ ଏ ସଂକ୍ରାନ୍ତରେ ଡେପୁଟି ଇଲେକ୍ସନ୍‌ କମିସନରଙ୍କୁ ଅବଗତ କରିବାପାଇଁ କୁହାଯାଇଛି। ଉକ୍ତ ତଦନ୍ତକାରୀ ଦଳ ସୋମବାରଠାରୁ ସେମାନଙ୍କ ତଦନ୍ତ ଆରମ୍ଭ କରିବେ ଏବଂ ୪ ଦିନ ମଧ୍ୟରେ ରିପୋର୍ଟ ଦାଖଲ କରିବେ। ରାଜ୍ୟ କଂଗ୍ରେସ ମୁଖ୍ୟ କମଲ ନାଥ କହିଛନ୍ତି ଯେ ଭୋଟିଂ ତାଲିକାରେ ପଞ୍ଜିକୃତ ହୋଇଥିବା ପାଖାପାଖି ୬୦ ଲକ୍ଷ ନକଲି ଭୋଟର ସଂକ୍ରାନ୍ତ ସମସ୍ତ ପ୍ରମାଣ କଂଗ୍ରେସ ପକ୍ଷରୁ ନିର୍ବାଚନ କମିସନଙ୍କ ନିକଟରେ ଦାଖଲ କରାଯାଇଛି। ବରିଷ୍ଠ କଂଗ୍ରେସ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ କହିଛନ୍ତି ଯେ ଏଥିରେ ବିଜେପିର ଷଡ଼ଯନ୍ତ୍ର ଥିବା ସେ ଆଶଙ୍କା କରୁଛନ୍ତି। ୧୦ ବର୍ଷରେ ଯଦି ୨୪ ପ୍ରତିଶତ ଜନସଂଖ୍ୟା ବୃଦ୍ଧି ପାଇଛି ତେବେ ଏ କ୍ଷେତ୍ରରେ ଭୋଟରଙ୍କ ସଂଖ୍ୟା କେମିତି ୪୦ ପ୍ରତିଶତ ବୃଦ୍ଧି ପାଇଲା ବୋଲି ସେ ପ୍ରଶ୍ନ କରିଛନ୍ତି। ଜଣେ ଭୋଟରଙ୍କୁ ପ୍ରାୟ ୨୬ଟି ତାଲିକାରେ ପଞ୍ଜିକୃତ କରାଯାଇଛି। କଂଗ୍ରେସର ଏହି ୬୦ ଲକ୍ଷ ନକଲି ଭୋଟର ସଂକ୍ରାନ୍ତ ଅଭିଯୋଗକୁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସାଲିନା ସିଂହ ଖଣ୍ଡନ କରିଛନ୍ତି। ମିଥ୍ୟା ତଥ୍ୟ ଆଧାରରେ ଏଭଳି ଅଭିଯୋଗ କରାଯାଇଛି ଏବଂ ଏହା ସଂପୂର୍ଣ୍ଣ ଭିତ୍ତିହୀନ ବୋଲି ସେ କହିଛନ୍ତି। ତେବେ ନିକଟରେ କର୍ଣ୍ଣାଟକରେ ୧୦ ହଜାର ନକଲି ଭୋଟର୍‌ ପରିଚୟପତ୍ର ଜବତ ହେବାରୁ ଗୋଟିଏ ଆସନରେ ନିର୍ବାଚନ ସ୍ଥଗିତ ରଖିବାକୁ ପଡ଼ିଥିଲା। ତେଣୁ ସବିଶେଷ ଯାଞ୍ଚ ପରେ ହିଁ ଏ ବାବଦରେ ସ୍ଥିତି ସ୍ପଷ୍ଟ ହେବ ବୋଲି କୁହାଯାଉଛି ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.