ସହରାଞ୍ଚଳର ମହିଳା ଶରୀରର ସୌନ୍ଦର୍ଯ୍ୟ ନଷ୍ଟ ହୋଇଯିବା ଆଶଙ୍କାରେ ସ୍ତନ୍ୟପାନ କରାଉ ନାହାନ୍ତି ବୋଲି କହି ଅଡ଼ୁଆରେ ମଧ୍ୟପ୍ରଦେଶ ରାଜ୍ୟପାଳ ଆନନ୍ଦୀବେନ୍‌ ପଟେଲ

ଇନ୍ଦୋର (ମଧ୍ୟପ୍ରଦେଶ): ମଧ୍ୟପ୍ରଦେଶ ରାଜ୍ୟପାଳ ଆନନ୍ଦୀବେନ୍‌ ପଟେଲଙ୍କ ଏକ ବୟାନକୁ ନେଇ ଏବେ ଦେଶବ୍ୟାପି ମହିଳାମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଛି। ରାଜ୍ୟପାଳ ଶ୍ରୀମତୀ ପଟେଲ କହିଛନ୍ତି ଯେ ସହରାଞ୍ଚଳର ମହିଳାମାନେ ସେମାନଙ୍କର ଶରୀରର ସୌନ୍ଦର୍ଯ୍ୟ ନଷ୍ଟ ହୋଇଯିବା ଆଶଙ୍କାରେ ସେମାନଙ୍କର ଶିଶୁମାନଙ୍କୁ ସ୍ତନ୍ୟପାନ କରାଇ ନଥାନ୍ତି।

ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ, ଗତ ବୁଧବାର ଦିନ ଇନ୍ଦୋରର ମାୟାଖେଡ଼ି ଅଙ୍ଗନଓ୍ଵାଡ଼ି କେନ୍ଦ୍ରରେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ଯୋଗଦେବା ଅବସରରେ ରାଜ୍ୟପାଳ ଶ୍ରୀମତୀ ପଟେଲ କହିଥିଲେ, ‘ସଂପ୍ରତି ସହରାଞ୍ଚଳର ମହିଳାମାନେ ସେମାନଙ୍କର ଶରୀରର ସୌନ୍ଦର୍ଯ୍ୟ ନଷ୍ଟ ହୋଇଯିବା ଆଶଙ୍କାରେ ସେମାନଙ୍କର ଶିଶୁମାନଙ୍କୁ ସ୍ତନ୍ୟପାନ କରାଉ ନାହାନ୍ତି। ଜନ୍ମ ସମୟରୁ ହିଁ ସେମାନେ ସେମାନଙ୍କ ଶିଶୁମାନଙ୍କୁ ବୋତଲରେ କ୍ଷୀର ପିଆଉଛନ୍ତି। ତେବେ, ବୋତଲ ଯେମିତି ସ୍ଥାୟୀ ନହୋଇ ଭାଙ୍ଗି ଯାଇଥାଏ, ଏହି ଶିଶୁମାନଙ୍କର ଭାଗ୍ୟ ଦିନେ ହଠାତ୍‌ ସେମିତି ଭାଙ୍ଗିଯିବ।’ ରାଜ୍ୟପାଳ ଶ୍ରୀମତୀ ପଟେଲଙ୍କ ଏହି ବୟାନ ଗଣମାଧ୍ୟମମାନଙ୍କରେ ପ୍ରଚାରିତ ଓ ପ୍ରସାରିତ ହେବା ଏହାକୁ ନେଇ ଦେଶର ମହିଳାମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ବିଶେଷ କରି ସହରାଞ୍ଚଳମାନଙ୍କର କର୍ମଜୀବୀ ମହିଳାମାନେ ରାଜ୍ୟପାଳ ଶ୍ରୀମତୀ ପଟେଲଙ୍କର ଏପରି ବୟାନର ତୀବ୍ର ବିରୋଧ କରିଛନ୍ତି।

ଉଲ୍ଲେଖଯୋଗ୍ୟ, ଦେଶରେ ଥିବା ହାତଗଣତି ମହିଳା ରାଜନେତାମାନଙ୍କ ମଧ୍ୟରେ ଆନନ୍ଦୀବେନ୍‌ ପଟେଲ ହେଉଛନ୍ତି ଜଣେ ଆଗଧାଡ଼ିର ନେତ୍ରୀ। ସେ ମଧ୍ୟ ଥିଲେ ଗୁଜୁରାଟର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ। ଜଣେ ଶିକ୍ଷୟିତ୍ରୀ ଭାବେ ନିଜର ଜୀବନ ଆରମ୍ଭ କରିଥିଲେ ଆନନ୍ଦୀବେନ୍‌ ପଟେଲ। ଥରେ ସ୍କୁଲ ପିକ୍‌ନିକ୍‌ରେ ଯାଇଥିବା ବେଳେ ଦୁଇଜଣ ଛାତ୍ରୀ ଗୋଟିଏ ପୋଖରୀରେ ବୁଡ଼ି ଯାଉଥିବା ବେଳେ ସେ ପୋଖରୀ ଭିତରକୁ ଡେଇଁ ଛାତ୍ରୀ ଦୁଇଜଣଙ୍କୁ ବଞ୍ଚାଇଥିଲେ। ତାଙ୍କର ଏହି ସାହସିକତା ପାଇଁ ତାଙ୍କୁ ରାଷ୍ଟ୍ରପତିଙ୍କ ପକ୍ଷରୁ ସାହସିକତା ପୁରସ୍କାର ମଧ୍ୟ ପ୍ରଦାନ କରାଯାଇଥିଲା। ଏହାପରେ ରାଜନୀତି କ୍ଷେତ୍ରକୁ ପ୍ରବେଶ କରିଥିଲେ ଆନନ୍ଦୀବେନ୍‌ ପଟେଲ।

ସମ୍ବନ୍ଧିତ ଖବର