ରିଲାଏନ୍ସ ଜିଓ ୨୦୧୮-୧୯ ଆର୍ଥିକ ବର୍ଷରେ ୮୦, ୦୦୦ ଲୋକଙ୍କୁ ନିଯୁକ୍ତି ଦେବ

ଏଥିପାଇଁ କମ୍ପାନି ପ୍ରସ୍ତୁତ କରିଛି ‘ରିଲାଏନ୍ସ- ଜିଓ- ସ୍ପେସିଫିକ୍‌’ ନାମରେ ସ୍ୱତନ୍ତ୍ର ପାଠ୍ୟକ୍ରମ

ମୁମ୍ବାଇ: ପ୍ରତିଷ୍ଠା ହେବାର ଖୁବ୍‌ କମ ଦିନ ମଧ୍ୟରେ ଦେଶର ବହୁ ଚର୍ଚ୍ଚିତ ହେବା ସହ ସୁପ୍ରତିଷ୍ଠିତ ହୋଇ ପରିଥିବା ଦେଶର ନମ୍ବର ୧ ବ୍ୟବସାୟୀ ମୁକେଶ ଅମ୍ବାନୀଙ୍କର ରିଲାଏନ୍ସ ଜିଓ କମ୍ପାନି ଚଳିତ ୨୦୧୮- ୧୯ ଆର୍ଥିକ ବର୍ଷରେ ୮୦, ୦୦୦ ଲୋକଙ୍କୁ ନିଯୁକ୍ତି ପ୍ରଦାନ କରିବ।

ଏସଂପର୍କରେ ଗଣମାଧ୍ୟମକୁ ସୂଚନା କରି ରିଲାଏନ୍ସ ଜିଓ ମାନବ ସମ୍ବଳ ବିଭାଗର ମୁଖ୍ୟ ଅଧିକାରୀ ସଞ୍ଜୟ ଜଗ୍‌ କହିଛନ୍ତି ଯେ ଏବେ କମ୍ପାନିରେ ପ୍ରାୟ ୧,୫୭,୦୦୦ କର୍ମଚାରୀ କାର୍ଯ୍ୟରତ ଅଛନ୍ତି। ତେବେ, କମ୍ପାନିରେ ଆହୁରି ଅଧିକ କର୍ମଚାରୀଙ୍କର ଆବଶ୍ୟକତା ରହିଛି। ଏହି ଆବଶ୍ୟକତାକୁ ଦୃଷ୍ଟିରେ ରଖି ଚଳିତ ୨୦୧୮- ୧୯ ଆର୍ଥିକ ବର୍ଷରେ ଆହୁରି ୭୫,୦୦୦ରୁ ୮୦,୦୦୦ ଲୋକଙ୍କୁ ନୂତନ ନିଯୁକ୍ତି ଦେବା ପାଇଁ ଲକ୍ଷ୍ୟ ରଖିବା ସହ ଏଥିପାଇଁ ସ୍ୱତନ୍ତ୍ର ଯୋଜନା ପ୍ରସ୍ତୁତ କରିଥିବା କହିଛନ୍ତି ରିଲାଏନ୍ସ ଜିଓ ମାନବ ସମ୍ବଳ ବିଭାଗର ମୁଖ୍ୟ ଅଧିକାରୀ ସଞ୍ଜୟ ଜଗ୍‌।
କମ୍ପାନିର ଏହି ନୂତନ ନିଯୁକ୍ତି ଯୋଜନା ସଂପର୍କରେ ସୂଚନା ଦେବାକୁ ଯାଇ ଶ୍ରୀ ଜଗ୍‌ କହିଛନ୍ତି ଯେ କମ୍ପାନିରେ କର୍ମଚାରୀମାନଙ୍କର ଆବଶ୍ୟକତା ରହିଥିବା କ୍ଷେତ୍ରଗୁଡ଼ିକ ପାଇଁ କୁଶଳୀ କର୍ମଚାରୀ ନମିଳିବା ଏବେ କମ୍ପାନି ପାଇଁ ଏକ ଚିନ୍ତାର କାରଣ ହୋଇଛି। ତେଣୁ, ଏହି ସମସ୍ୟାର ଦୂରୀକରଣ ପାଇଁ କମ୍ପାନି ପକ୍ଷରୁ ଏହି ନୂତନ ଯୋଜନା ପ୍ରସ୍ତୁତ କରାଯାଇଛି। ଦେଶର ପ୍ରାୟ ୬,୦୦୦ ବୈଷୟିକ ଓ ସାଧାରଣ ଶିକ୍ଷାନୁଷ୍ଠାନକୁ ଚୟନ କରାଯାଇ କମ୍ପାନି ସେମାନଙ୍କ ସହ ସହଭାଗିତା କରିବା ସହ ଏ ସଂକ୍ରାନ୍ତୀୟ ବୁଝାମଣା କରିଛି। ଏହି ବୁଝାମଣା ଅନୁଯାୟୀ ଜିଓ ଏବେ ତା’ର ନିଜସ୍ୱ ଆବଶ୍ୟତାକୁ ମେଣ୍ଟାଇ ପାରିବା ପରି ‘ରିଲାଏନ୍ସ- ଜିଓ- ସ୍ପେସିଫିକ୍‌’ ପାଠ୍ୟକ୍ରମ ନାମରେ ଏକ ସ୍ୱତନ୍ତ୍ର କୋର୍ସର ପ୍ରଚଳନ କରିବ। ଯେଉଁମାନେ ଏହି ‘ରିଲାଏନ୍ସ- ଜିଓ- ସ୍ପେସିଫିକ୍‌’ ପାଠ୍ୟକ୍ରମ ବଢ଼ି ସଫଳତାର ସହ ଉତ୍ତୀର୍ଣ୍ଣ ହେବେ ସେମାନଙ୍କୁ ‘ରିଲାଏନ୍ସ ରେଡ଼ି’ ବୋଲି ବିବେଚନା କରାଯିବା ସହ ଆଉ କୌଣସି ପ୍ରକାରର ପରୀକ୍ଷା ଓ ଟ୍ରେନିଂରେ କମ୍ପାନି ସିଧାସଳଖ ଭାବେ ନିଯୁକ୍ତି ପ୍ରଦାନ କରିବ ବୋଲି କହିଛନ୍ତି ରିଲାଏନ୍ସ ଜିଓ ମାନବ ସମ୍ବଳ ବିଭାଗର ମୁଖ୍ୟ ଅଧିକାରୀ ସଞ୍ଜୟ ଜଗ୍‌।

ସମ୍ବନ୍ଧିତ ଖବର