ମୁମ୍ବାଇ: ଜସ୍ମିନ ଶେଖ୍। ମୁମ୍ବାଇର ‘କ୍ରାଇମ କୁଇନ୍’। ଜଣେ ସାଧାରଣ ବାର୍ ଗାର୍ଲରୁ ମୁମ୍ବାଇର ‘କ୍ରାଇମ କୁଇନ’ ପାଲଟିବା ପଛରେ ରହିଛି ଦୀର୍ଘ କାହାଣୀ। ଜସ୍ମିନ ଶେଖ୍ ନାଁରେ ମୁମ୍ବାଇର ବିଭିନ୍ନ ଥାନାରେ ୫୩ଟି ଡକାୟତି ମାମଲା ରହିଛି। ସେ ନିୟମିତ ରେଳ କିମ୍ବା ବସ୍ରେ ଯାତାୟତ କରୁଥିବା ମହିଳା ଯାତ୍ରୀଙ୍କଠାରୁ ଚୋରି କରିଥାଏ। କେବଳ ଚୋରି, ଡକାୟତି କରି ମୁମ୍ବାଇରେ ସେ ନିର୍ମାଣ କରିଛି ଏକ ବିଶାଳ ଅଟ୍ଟାଳିକା ଏବଂ ଝିଅକୁ ଇଂରାଜି ମାଧ୍ୟମ ସ୍କୁଲରେ ବି ପଢାଉଛି। ତେବେ ଶେଖ (୩୭) ଏବେ ୱାଡଲା ଜିଆର୍ପି ହାଜତରେ ଅଛି। ଜସ୍ମିନ ଜଣେ ସାଧାରଣ ବାର୍ ଗାର୍ଲ ଭାବେ ନିଜର ବୃତ୍ତିଗତ ଜୀବନ ଆରମ୍ଭ କରିଥିଲା। ସେତେବେଳେ ଆନ୍ଟପ୍ ହିଲ୍ରେ ଏକ ଝୁମ୍ପୁଡ଼ି ଘରେ ରହୁଥିଲା। ମହାରାଷ୍ଟ୍ର ସରକାର ବାର୍ଗୁଡ଼ିକୁ ବେଆଇନ୍ ଘୋଷଣା କରିବା ପରେ ଜସ୍ମିନ ହାତରୁ କାମ ଚାଲି ଯାଇଥିଲା। ସେ ବେକାର ହୋଇଯାଇଥିଲା। ତେବେ ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ସେ ଅପରାଧ ଜଗତକୁ ପ୍ରବେଶ କରିବା ଆରମ୍ଭ କରିଥିଲା। ପ୍ରଥମେ ସେ ବୁର୍ଖା ପିନ୍ଧି ମହିଳା ଯାତ୍ରୀଙ୍କଠାରୁ ଟଙ୍କା, ସୁନା ଗହଣା ଲୁଟ୍ କରୁଥିଲା। ଏହା ମଧ୍ୟରେ ଜସ୍ମିନ ଦୁଇ ଥର ବିବାହ କରିଥିଲ। ସେ ୩ ସନ୍ତାନର ଜନନୀ ପାଲଟିଥିବା ବେଳେ ବଡ଼ ଝିଅ ଏବେ ପଞ୍ଚଗନିର ଏକ ଇଂରାଜି ମାଧ୍ୟମ ବୋର୍ଡିଂ ସ୍କୁଲରେ ପଢୁଛି।
ଗତ ଜାନୁଆରି ୨୬ରେ ଜଣେ ମହିଳା ଶିକ୍ଷୟିତ୍ରୀ ୱାଡଲା ଜିଆର୍ପି ଥାନାରେ ଅଭିଯୋଗ କରିବା ପରେ ପୁଲିସ ଜସ୍ମିନ କୁ ଗିରଫ କରିଛି। ଉକ୍ତ ମହିଳା ଶିକ୍ଷୟିତ୍ରୀଙ୍କ ଅଭିଯୋଗ ଅନୁଯାୟୀ, ସେ କୁର୍ଲା ହାର୍ବର ଲାଇନ ନିକଟରେ ଠିଆ ହୋଇଥିବା ବେଳେ ଜସ୍ମିନ ବୁର୍ଖା ପିନ୍ଧି ତାଙ୍କ ବେକରୁ ମଙ୍ଗଳ ସୂତ୍ର ଛିଣ୍ଡାଇ ନେଇଯାଇଥିଲା। ପୁଲିସ ସିସିଟିଭି ଫୁଟେଜ୍ ସହାୟତାରେ ଜସ୍ମିନକୁ ଗିରଫ କରିଥିଲା। ଏହା ପରେ ତା’ର ଅପରାଧିକ କାର୍ଯ୍ୟକଳାପର ଖିଅ ଖୋଲି ଯାଇଥିଲା। ପୁଲିସ ତା’ଠାରୁ ସୁନା ଅଳଙ୍କାର ଓ ବିପୁଳ ନଗଦ ଟଙ୍କା ଜବତ କରିଥିଲା। ଜବତ ଅଳଙ୍କାରର ଆନୁମାନିକ ମୂଲ୍ୟ ୧୦ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଜିଆର୍ପି ଇନିସପେକ୍ଟର ରାଜେନ୍ଦ୍ର ପାଲ୍ କହିଛନ୍ତି। ୧୬ ଲକ୍ଷ ଟଙ୍କା ବ୍ୟୟ କରି ଜସ୍ମିନ ଏକ ଘର କିଣିଛି ବୋଲି ପୁଲିସ କହିଛି। ଏହା ସହିତ ତା’ର ସମସ୍ତ ବ୍ୟାଙ୍କ କାରବାରକୁ ମଧ୍ୟ ପୁଲିସ ଯାଞ୍ଚ କରୁଛି।