ମୁମ୍ବାଇ: କମଳା ମିଲ୍‌ସ୍‌ରେ ଭୟାବହ ଅଗ୍ନିକାଣ୍ଡ; ୧୫ ମୃତ ୧୨ ଆହତ

ମୁମ୍ବାଇ: ଗୁରୁବାର ରାତିରେ ଲୋୟର୍‌ ପାରେଲ୍‌ ଅନ୍ତର୍ଗତ କମଳା ମିଲ୍‌ସ୍‌ରେ ଭୟାବହ ଘଟିଥିବା ଅଗ୍ନିକାଣ୍ଡରେ ୧୫ ଜଣ ଲୋକଙ୍କର ମୃତ୍ୟୁ ଘଟିଛି ବୋଲି କିଙ୍ଗ୍‌ ଏଡ୍‌ଓ୍ଵାର୍ଡ ମେମୋରିଆଲ୍‌ ହସ୍‌ପିଟାଲ୍‌ର ଡିନ୍‌ ଶୁକ୍ରବାର ଦିନ କହିଛନ୍ତି। ଏହି ଅଗ୍ନିକାଣ୍ଡରେ ଅନ୍ୟ ୧୨ ଜଣ ସାମାନ୍ୟ ଆହତ ହୋଇଛନ୍ତି। ସେମାନଙ୍କର ଚିକିତ୍ସା କରାଯାଉଛି।

Image Courtesy of Zee News

ମିଳିଥିବା ରିପୋର୍ଟ ଅନୁସାରେ, ନିଅାଁ ଲିଭାଇବା ନିମନ୍ତେ ସେଠାରେ ୬ଟି ଦମକଳ ଏବଂ ୪ଟି ପାଣି ଟ୍ୟାଙ୍କର୍‌ ମୁତୟନ କରାଯାଇଥିଲା। ଉଦ୍ଧାର କାର୍ଯ୍ୟ ପାଇଁ ଜରୁରୀ ଆମ୍ବୁଲାନ୍‌ସ୍‌ ଏବଂ ପୁଲିସ ତୁରନ୍ତ ଘଟନାସ୍ଥଳରେ ପହଞ୍ଚିଛନ୍ତି।

ପୁଲିସ ଅଧିକାରୀଙ୍କ କହିବା ଅନୁସାରେ, ରାତି ପ୍ରାୟ ସାଢ଼େ ବାରଟା ବେଳେ ସେନାପତି ବାପତ ମାର୍ଗରେ ଅବସ୍ଥିତ ୬ ତାଲା କୋଠାର ତୃତୀୟ ମହଲାରେ ନିଅାଁ ଲାଗିଥିଲା। ସେ କୋଠା ପରିସରରେ ଥିବା ପବ୍‌ଗୁଡ଼ିକ ମଧ୍ୟରୁ ଗୋଟିକରେ ବିଜୁଳି ସର୍ଟ ସର୍କିଟ୍‌ ଯୋଗୁଁ ନିଅାଁ ଲାଗିଥିବା କଥା ଶୁଣିବାକୁ ମିଳୁଛି। ଶିଳ୍ପ ପରିସର କମଳା ମିଲ୍‌ସ୍‌ରେ କେତେଗୁଡ଼ିଏ ବିଳାସପୂର୍ଣ୍ଣ ରେସ୍ତୋରାଁ ଏବଂ ଅନ୍ୟାନ୍ୟ ବ୍ୟାବସାୟିକ ପ୍ରତିଷ୍ଠାନ ରହିଛି।

ପୁଲିସ କହିବା ଅନୁସାରେ, ମୃତ ବ୍ୟକ୍ତିଙ୍କ ମଧ୍ୟରେ ଅଛନ୍ତି ଅଧିକାଂଶ ମହିଳା। ସେ କୋଠାର ଏକ ରୁଫ୍‌ଟପ୍‌ ରେସ୍ତୋରାଁରେ ଚାଲିଥିବା ପାର୍ଟିରେ ଏହି ମହିଳାମାନେ ଯୋଗ ଦେଇଥିଲେ।

Image Courtesy of NewsX

ନିଅାଁ ଲାଗିବାର ଅଧଘଣ୍ଟା ମଧ୍ୟରେ ସମ୍ପୂର୍ଣ୍ଣ ଅଟ୍ଟାଳିକା ମଧ୍ୟକୁ ତାହା ଚରି ଯାଇଥିଲା। ଦମକଳ ସମେତ ଉଦ୍ଧାର କାର୍ଯ୍ୟ ପାଇଁ ଅନ୍ୟୂନ ୨୪ଟି ଗାଡ଼ି ଘଟଣାସ୍ଥଳରେ ମହଜୁଦ ଥିଲା।

ଅଘଟଣରେ ଆହତ ୨୫ ଜଣଙ୍କୁ ମୁମ୍ବାଇସ୍ଥିତ କେଇଏମ୍‌ ହସ୍‌ପିଟାଲ୍‌କୁ ନିଆ ଯାଇଥିଲା। ସେମାନଙ୍କ ମଧ୍ୟରୁ ୧୫ ଜଣଙ୍କ ଦେହାନ୍ତ ହୋଇଯାଇଥିଲା। ବାକି ଆହତମାନଙ୍କୁ ମଧ୍ୟରୁ ୯ ଜଣଙ୍କର ଭାଟିଆ ହସ୍‌ପିଟାଲ୍‌ରେ ଚିକିତ୍ସା କରାଯାଉଛି।

ସମ୍ବନ୍ଧିତ ଖବର