ଘରେ ବିଲେଇ ପାଳିବାକୁ ମାଆ ମନା କରିବାରୁ ପୋଲରୁ ତଳକୁ ଡେଇଁଲା ୨୨ ବର୍ଷିୟ ଚାକିରିଆ ପୁଅ

ମୁମ୍ବାଇ: ଜଣେ ୨୨ ବର୍ଷିୟ ଯୁବକଙ୍କ ବିରାଡ଼ି ପ୍ରେମ ଏବଂ ଘରେ ବିଲେଇ ପାଳିବାକୁ ମାଆଙ୍କର ବାରଣ ଯୋଗୁଁ ଦକ୍ଷିଣ ମୁମ୍ବାଇର ଜଣେ ଯୁବକ ପୋଲରୁ ଡେଇଁ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଛନ୍ତି।

ମଙ୍ଗଳବାର ସନ୍ଧ୍ୟାରେ ମର୍ଚାଣ୍ଟ୍‌ ନେଭିରେ କାମ କରୁଥିବା ମୌଲବିକ ସୌଣ୍ଡଲକର୍‌ ୬୦୦୦ ଟଙ୍କା ବିନିମୟରେ ଗୋଟାଏ ପର୍ସିଆ ମାଈ ବିରାଡ଼ି କିଣି ଚିର ବଜାର ଅନ୍ତର୍ଗତ ଘରକୁ ଆଣିବା ପରେ ତାଙ୍କ ମାଆ ବଡ଼ ଆଚମ୍ବିତ ହୋଇ ଯାଇଥିଲେ। ସେ ବିଲେଇକୁ ଘରେ ପାଳିବାକୁ ବାରଣ କରିବାରୁ ମାଆ ଓ ପୁଅଙ୍କ ଭିତରେ ଯୁକ୍ତିତର୍କ ହୋଇଥିଲା। ରାଗରେ ମୌଲବିକ ଘରୁ ପଳାଇ ଯାଇ ମେରାଇନ୍‌ ଲାଇନ୍‌ ଷ୍ଟେସନ୍‌ ନିକଟସ୍ଥ ମେଘଦୂତ ପୋଲ ଉପରୁ ତଳକୁ ଲମ୍ଫ ଦେଇଥିଲେ।

ସେଠାରୁ ତାଙ୍କୁ ଉଦ୍ଧାର କରାଯାଇ ଗୋକୁଳଦାସ ତେଜପାଲ ହସ୍‌ପିଟାଲ୍‌ର ଆଇସିୟୁରେ ଦାଖଲ କରାଯାଇଥିଲା। ତାଙ୍କ ବାମ ଗୋଡ଼ ବହୁ ଜାଗାରେ ଭାଙ୍ଗି ଯିବା ସହ ମୁଣ୍ଡରେ ରକ୍ତ ଟେଳା ବାନ୍ଧି ଯାଇଛି। ଡାକ୍ତରମାନେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ଦୃଷ୍ଟି ରଖିଛନ୍ତି।

ମୌଲବିକଙ୍କ ମାଆଙ୍କର ମନରେ ବି ବଦଳି ଯାଇଛି। ସେ କିଛି ଆତ୍ମୀୟସ୍ୱଜନଙ୍କ ସହ ଆଇସିୟୁ ବାହାରେ ଡେରା ପକାଇଛନ୍ତି। ସାଙ୍ଗରେ ସେ ପର୍ସୀୟ ଶଙ୍ଖି ବିଲେଇଟିକୁ ମଧ୍ୟ ଆଣିଛନ୍ତି। ମୌଲବିକଙ୍କ ଚେତା ଫେରିଲେ ସେ କହିବେ କି, ଘରେ ସେ ବିଲେଇଟିକୁ ରଖିବାକୁ ତାଙ୍କର ମନ ହେଲାଣି। ସେ ବିରାଡ଼ିଟି ଏବେ ଡାକ୍ତରଖାନା ବାହାରେ ଥିବା ବଗିଚାରେ ବନ୍ଧା ହୋଇଛି।

ମୌଲବିକଙ୍କ ଜଣେ ସମ୍ପର୍କୀୟ ଭାଇ କିନ୍ତୁ କହୁଛନ୍ତି, ଏଇଟା ଦୁର୍ଘଟନା। ସେ ଘରୁ ରାଗି ପଳାଇ ଆସିବା ପରେ ମେରାଇନ୍‌ ଡ୍ରାଇଭ୍‌ରେ ମଟରସାଇକେଲ ଚଳାଇ ଯାଉ ଯାଉ ଦୈବାତ୍‌ ଖସି ପଡ଼ିଥିଲେ।

ମେରାଇନ୍‌ ଡ୍ରାଇଭ୍‌ ପୁଲିସ କହିବା ଅନୁସାରେ, ରାଗ ତମ ତମ ହୋଇ ମୌଲବିକ ମୋଟର ସାଇକେଲ ଚଢ଼ି ଘରୁ ପଳାଇ ଆସିଲେ। ମାଆ ଓ ପୁଅଙ୍କ ମଧ୍ୟରେ ଜୋର୍‌ଦାରିଆ ଯୁକ୍ତିତର୍କ ହୋଇଥିଲା। ସେ ସିଧା ଯାଇ ମେଘଦୂତ ସେତୁ ଉପରେ ମଟରସାଇକେଲ୍‌ ଥୋଇ ତଳକୁ ଡେଇଁ ପଡ଼ିଲେ। ପୋଲ ଅନ୍ୟୂନ ୨୫ ଫୁଟ୍‌ ଉଚ୍ଚ ହେବ। ଘଟଣାକୁ ପୁଲିସ ଡାଏରିରେ ଉଠାଇଛି।

ଯୋଗକୁ ପୋଲ ତଳେ କୌଣସି ଯାନବାହନ ଯାତାୟାତ କରୁ ନ ଥିଲା। ନ ହେଲେ ତାଙ୍କ ଉପରେ ଗାଡ଼ି ଚଢ଼ି ଯାଇ ଥାଆନ୍ତା।

ସମ୍ବନ୍ଧିତ ଖବର