ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀକୁ କନେଷ୍ଟବଳଙ୍କ ଚିଠି : ‘ମୋ ସ୍ତ୍ରୀ ଦେହ ଖରାପ..ଦରମା ବି ମିଳୁନାହିଁ, ମୋତେ ୟୁନିଫର୍ମରେ ଭିକ ମାଗିବାକୁ ଦିଆଯାଉ’

ମୁମ୍ବାଇ : ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼୍‍ନବିସ୍‌ଙ୍କୁ ଜଣେ କନେଷ୍ଟବଳ ଲେଖିଥିବା ଚିଠି ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଘରର ପରିସ୍ଥିତି ଭଲ ନଥିବାରୁ ମୋତେ ପୁଲିସ ୟୁନିଫର୍ମରେ ଭିକ ମାଗିବାକୁ ଦିଆଯାଉ ବୋଲି ଅନୁମତି ମାଗିଛନ୍ତି କନେଷ୍ଟବଳ । ଦୁଇମାସ ହେଲା ଦରମା ମିଳୁ ନଥିବାରୁ କନେଷ୍ଟବଳ ଜଣଙ୍କ ନିଜ ଘର ଖର୍ଚ୍ଚ ଉଠାଇ ପାରୁ ନାହାନ୍ତି । ଘରେ ତାଙ୍କ ସ୍ତ୍ରୀଙ୍କର ଦେହ ଭଲ ନ ଥିବାରୁ ସେ ଏଥିପାଇଁ ତାଙ୍କ ଚିକିତ୍ସା ମଧ୍ୟ କରାଇ ପାରୁନାହାନ୍ତି । ଯାହା ପାଇଁ କନେଷ୍ଟବଳ ଜଣଙ୍କ ବାଧ୍ୟ ହୋଇ ୟୁନିଫର୍ମରେ ଭିକ ମାଗିବାର ଅନୁମତି ମାଗିଛନ୍ତି ।

Oneindia

କନେଷ୍ଟବଳ ଧ୍ୟାନେଶ୍ୱର ଅହିରାଓ ନିଜ ପତ୍ରରେ ଲେଖିଛନ୍ତି, “ମୁଁ ମାର୍ଚ୍ଚ ୨୦-୨୨ତାରିଖ ମଧ୍ୟରେ ଛୁଟି ନେଇଥିଲି । ସେହି ସମୟରେ ମୋ ସ୍ତ୍ରୀଙ୍କ ଦେହ ବହୁତ ଖରାପ ଥିଲା । ଯେଉଁଥି  ପାଇଁ ମୁଁ ୫ଦିନ ଛୁଟି ନେଇଥିଲି । ମାର୍ଚ୍ଚ ୨୮ରେ ମୁଁ ପୁଣି ଆସି କାର୍ଯ୍ୟରେ ଯୋଗ ଦେଇଥିଲି । ମାର୍ଚ୍ଚଠାରୁ ମୋତେ ମୋର ଦରମା ମିଳି ନଥିଲା । ଯେତେବେଳେ ମୁଁ ଏ ବିଷୟରେ ଅଫିସରେ ପଚାରିଥିଲି, ଛୁଟି ନେଇଥିବାରୁ ମୋର ଦରମାକୁ ରୋକି ଦିଆଯାଇଛି ବୋଲି ମୋତେ ଜଣାଇ ଦିଆଯାଇଥିଲା । ଦୁଇ ମାସ ହେଲା ଏହି କାରଣରୁ ମୋତେ ଦରମା ମିଳିନାହିଁ । ଯାହା ଫଳରେ ଘର ଖର୍ଚ୍ଚ ଉଠାଇବାରେ ମୋତେ ଅସୁବିଧା ହେଉଛି । ଘରେ ମୋର ରୋଗୀଣା ସ୍ତ୍ରୀ,ବୁଢ଼ା ବାପା-ମା’ ଏବଂ ଝିଅର ଦେଖାଶୁଣା ପାଇଁ ମୋତେ ୟୁନିଫର୍ମରେ ଭିକ ମାଗିବାକୁ ଅନୁମତି ଦିଅନ୍ତୁ।” ଅନ୍ୟ ପକ୍ଷରେ ଏ ନେଇ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼୍‍ନବିସ୍‌ଙ୍କ ତରଫରୁ କୌଣସି ମତ ରଖା ଯାଇ ନ ଥିବା ଜଣାପଡ଼ିଛି ।

ସମ୍ବନ୍ଧିତ ଖବର