୨ ମାସର ଦରମା ମାଗିବାରୁ କର୍ମଚାରୀକୁ ପିଟିପିଟି ମାରିଦେଲେ ମାଲିକ

ଜୟପୁର: ରାଜସ୍ଥାନର ଅଲୱାର ସହରରୁ ଏକ ହୃଦୟ ବିଦାରକ ମାମଲା ସାମ୍ନାକୁ ଆସିଛି, ଯେଉଁଠାରେ ଜଣେ ଯୁବକ କମ୍ପାନୀର ମାଲିକଙ୍କୁ ଦୁଇ ମାସର ବେତନ ମାଗିବାରୁ ତାଙ୍କୁ ପିଟିପିଟି ହତ୍ୟା କରାଯାଇଛି । ମିଳିଥିବା ସୂଚନା ମୁତାବକ ଶିବଚନ୍ଦ୍ର ନାମକ ଯୁବକ ରବି ଚୌଧୁରୀଙ୍କ ପାଖରେ ରିକଭରୀ ଏଜେଣ୍ଟ ଭାବେ ଦୀର୍ଘ ବର୍ଷ ଧରି କାମ କରୁଥିଲେ।

ବୁଧବାର ଅପରାହ୍ନରେ ରବି ଶିବଚନ୍ଦ୍ରଙ୍କୁ କାମରେ ଯୋଗ ଦେବା ପାଇଁ ଡାକିଥିଲେ | ଶିବଚନ୍ଦ୍ର ଅଫିସ ଆସି ଲକଡାଉନ୍ ସମୟର ୨ ମାସ ଦରମା ମାଗିଥିଲେ କିନ୍ତୁ ରବି ତାଙ୍କୁ ଦେବାକୁ ମନା କରିଦେଇଥିଲେ। ଏହା ପରେ ଶିବ ପୁଲିସ ନିକଟରେ ଅଭିଯୋଗ କରିବାକୁ ଧମକ ଦେଇଥିଲେ। ଏଥିରେ ରାଗିଯାଇ ରବି ଏବଂ ତାଙ୍କର ୧୦ ଜଣ ସାଙ୍ଗ ଶିବଙ୍କୁ ନିସ୍ତୁକ ଭାବେ ମାଡ ମାରିଥିଲେ |

ଯାହାଫଳରେ ଶିବଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଥିଲା | ଶିବଙ୍କ ମାତା ରାଧାଙ୍କ ଅଭିଯୋଗ କ୍ରମେ ଫାଇନାନ୍ସ କମ୍ପାନୀ ନିର୍ଦ୍ଦେଶକ ରବି ଚୌଧୁରୀଙ୍କ ସମେତ ୧୦ ଜଣଙ୍କ ନାମରେ ହତ୍ୟା ମାମଲା ରୁଜୁ ହୋଇଛି ଏବଂ ଏହି ଘଟଣାର ତଦନ୍ତ ଆରମ୍ଭ ହୋଇଛି।

ସମ୍ବନ୍ଧିତ ଖବର