ପ୍ରେମିକାଙ୍କୁ ହତ୍ୟା: ଶବକୁ ସୁଟକେସ୍‌ରେ ଭର୍ତ୍ତିକରି ଫିଙ୍ଗିଦେଲେ ଇଂଜିନିୟର

ହାଇଦ୍ରାବାଦ: ହାଇଦ୍ରାବାଦ ନିକଟରେ ଥିବା ମେଡ଼ଚଲ ସହରରେ ଏକ ଚାଂଚଲ୍ୟକର ହତ୍ୟାକାଣ୍ଡ ଘଟିଛି। ପ୍ରେମିକାକୁ ହତ୍ୟା କରି ଶବକୁ ସୁଟକେସ୍‌ରେ ଭର୍ତ୍ତିକରି ନାଳରେ ଫିଙ୍ଗିଦେଇଛନ୍ତି ଜଣେ ଇଂଜିନିୟର। ସ୍ଥାନୀୟ ଲୋକେ ଉକ୍ତ ସୁଟକେସ୍‌କୁ ଦେଖି ପୋଲିସକୁ ସୂଚନା ଦେବା ପରେ ହତ୍ୟାକାଣ୍ଡର ରହସ୍ୟ ଉନ୍ମୋଚିତ ହୋଇଛି। ପୋଲିସ ସୂଚନା ମୁତାବକ, ମୃତ ଯୁବତୀଙ୍କର ତାଙ୍କ ସହଯୋଗୀ ସୁନୀଲ ସହ ପ୍ରେମ ସମ୍ପର୍କ ରହିଥିଲା। ଉଭୟ ଇଂଜିନିୟର ଭାବେ କାର୍ଯ୍ୟରତ ଥିଲେ ଏବଂ ବିବାହର ପ୍ରସ୍ତାବ ମଧ୍ୟ ରହିଥିଲା। ଚାକିରୀ ପାଇଁ ଦୁହେଁ ଓମାନ୍‌ର ମସ୍କାଟ ଯିବାକୁ ଚାହିଁବାରୁ ଯୁବତୀଙ୍କ ଅଭିଭାବକ ତାଙ୍କୁ ମାର୍ଚ୍ଚ ୪ରେ ହାଇଦ୍ରାବାଦ ବିମାନବନ୍ଦରରେ ଛାଡିଆସିଥିଲେ। ତିନିଦିନ ପରେ ଯୁବତୀଙ୍କ ପତ୍ତା ନମିଳିବାରୁ ତାଙ୍କ ଅଭିଭାବକ ଥାନାରେ ମାମଲା ରୁଜୁ କରିଥିଲେ। ଅଭିଯୁକ୍ତ ସୁନୀଲ ଉକ୍ତ ଯୁବତୀଙ୍କୁ ବିବାହ କରିବାକୁ ଚାହୁଁନଥିଲେ। ତେଣୁ ତାଙ୍କୁ ଏକ ଲଜକୁ ଡ଼ାକିନେଇ ହତ୍ୟା କରିଥିଲେ। ପରେ ଯୁବତୀଙ୍କ ଶବକୁ ଏକ ସୁଟକେସ୍‌ରେ ଭର୍ତ୍ତିକରି ନାଳରେ ଫିଙ୍ଗିଦେଇଥିଲେ। ଅଭିଯୁକ୍ତ ସୁନୀଲକୁ ଗିରଫ କରି ପୋଲିସ ଅପହରଣ ଏବଂ ହତ୍ୟା ମାମଲା ରୁଜୁ କରିଛି।

ସମ୍ବନ୍ଧିତ ଖବର