କେନ୍ଦ୍ରମନ୍ତ୍ରୀ ଅନନ୍ତ କୁମାର ହେଗ୍‌ଡ଼େଙ୍କୁ ହତ୍ୟା ଧମକ

ବେଙ୍ଗାଲୁରୁ: କେନ୍ଦ୍ର ମନ୍ତ୍ରୀ ଅନନ୍ତ କୁମାର ହେଗ୍‌ଡ଼େ ଏବେ ସୁରକ୍ଷିତ ନାହାନ୍ତି। ହେଗ୍‌ଡ଼େଙ୍କୁ ହତ୍ୟା ଧମକ ମିଳିଛି ବୋଲି ଆଜି ସେ ଅଭିଯୋଗ ଆଣିଛନ୍ତି। ଜଣେ ଅଚିହ୍ନା ଲୋକ ପୂର୍ବରୁ ହେଗ୍‌ଡ଼େଙ୍କ ଅଫିସ ନମ୍ବରକୁ ଫୋନ୍‌ କରିଥିଲା ଏବଂ ପରେ ତାଙ୍କ ବ୍ୟକ୍ତିଗତ ନମ୍ବରକୁ ଗତକାଲି ରାତି ପ୍ରାୟ ୨ ଟା ସମୟରେ ଫୋନ୍‌ କରି ହତ୍ୟା ଧମକ ଦେଇଥିଲା। ହେଗଡ଼େଙ୍କ ମୁଣ୍ଡରୁ ଗଣ୍ଡିକୁ ଅଲଗା କରିଦେବ ବୋଲି ସମ୍ପୃକ୍ତ ବ୍ୟକ୍ତି ଜଣଙ୍କ ଧମକ ଦେଇଥିବା ହେଗ୍‌ଡ଼େ କହିଛନ୍ତି। ଏନେଇ ସେ ଆଜି ସିରସି ନ୍ୟୁ ମାର୍କେଟ୍‌ ପୁଲିସ ଷ୍ଟେସନ୍‌ରେ ଏକ ଅଭିଯୋଗ ଦାଏର କରିଛନ୍ତି। ଆଇପିସିର ଧାରା ୫୦୪ ଏବଂ ଧାରା ୫୦୭ ଅଧିନରେ ଏନେଇ ମାମଲା ରୁଜୁ ହୋଇଛି। ତେବେ କେନ୍ଦ୍ର ଦକ୍ଷତା ବିକାଶ ମନ୍ତ୍ରୀ ହେଗ୍‌ଡ଼େ ଏବେ ନିଜର ସୁରକ୍ଷାକୁ ନେଇ ସମ୍ପୂର୍ଣ୍ଣ ଭୟରେ ରହିଛନ୍ତି। ପୂର୍ବରୁ ମଧ୍ୟ ଗତ ଏପ୍ରିଲ ୧୮ ତାରିଖରେ ହେଗଡ଼େଙ୍କ ସୁରକ୍ଷା ଗାଡ଼ିକୁ କର୍ଣ୍ଣାଟକର ହାଭେରି ଜିଲ୍ଲାରେ ଏକ ଟ୍ରକ୍‌ ଧକ୍କା ଦେଇଥିଲା। କିନ୍ତୁ ସେ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଥିଲେ। ତେବେ ଏହି ଘଟଣାକୁ ମୁଖ୍ୟମନ୍ତ୍ରୀ ସିଦ୍ଦରାମୟା ଗ୍ରହଣ କରିନଥିଲେ। ହେଗ୍‌ଡ଼େ କେବଳ ଦୃଷ୍ଟି ଆକର୍ଷଣ ପାଇଁ ଏମିତି ମନ ଗଢ଼ା କଥା କହୁଛନ୍ତି ବୋଲି ସିଦ୍ଦରାମୟା କହିଥିଲେ।

ସମ୍ବନ୍ଧିତ ଖବର