ପେଟରେ ଥିବା ମଞ୍ଜିରୁ ଗଛ ଉଠିବାରୁ ମଲା ମଣିଷର ଶବ ମିଳିଲା

ପେଟରେ ଥିବା ଡିମିରି ମଞ୍ଜିରୁ ଗଛ ଉଠିବାରୁ ୪୦ ବର୍ଷରୁ ଊର୍ଦ୍ଧ୍ୱ ବର୍ଷ ହେବ ନିରୁଦ୍ଦେଶ ହୋଇଯାଇଥିବା ଜଣେ ବ୍ୟକ୍ତିଙ୍କ ଶବ ମିଳିଛି। ଅହମେତ୍‌ ହର୍‌ଗ୍ୟୁନ୍‌ ନାମକ ସେ ବ୍ୟକ୍ତିଙ୍କୁ ଗ୍ରିକ୍‌ ସାଇପ୍ରାଇଓଟସ୍‌ ଏବଂ ଟର୍କିସ୍‌ ସାଇପ୍ରାଇଓଟସ୍‌ ମଧ୍ୟରେ ୧୯୭୪ ମସିହାରେ ଘଟିଥିବା ସଂଘର୍ଷ ବେଳେ ହତ୍ୟା କରାଯାଇଥିଲା। ଦଶନ୍ଧି ଦଶନ୍ଧି ଧରି ତାଙ୍କ ଶବ ମିଳୁ ନ ଥିଲା। କିନ୍ତୁ, ଅସ୍ୱାଭାବିକ ଅଞ୍ଚଳରେ ଗଛଟିଏ ଉଠିବାରୁ ତାଙ୍କ ଶବ ଆବିଷ୍କାର ହୋଇ ପାରିଛି।

ଅନ୍ୟ ଦୁଇ ଜଣଙ୍କ ସହ ତାଙ୍କୁ ଏକ ଗୁମ୍ଫା ଭିତରକୁ ନେବା ପରେ ଡିନାମାଇଟ୍‌ ଫିଙ୍ଗି ସେମାନଙ୍କୁ ହତ୍ୟା କରାଯାଇଥିଲା। ଡିନାମାଇଟ୍‌ ବିସ୍ଫୋରଣ ପ୍ରଭାବରେ ଗୁମ୍ଫା କାନ୍ଥରେ ମଧ୍ୟ ଏକ କଣା ହୋଇ ଯାଇଥିଲା। ସେହି ବାଟେ ଅନ୍ଧକାର ଗୁମ୍ଫା ମଧ୍ୟକୁ ଆଲୋକ ପ୍ରବେଶ କରିବା ଯୋଗୁଁ ଅହମେତ୍‌ଙ୍କ ପେଟରେ ଥିବା ଡିମିରି ମଞ୍ଜିରୁ ଗଛ ଉଠିଥିଲା।

ଗ୍ରିକ୍‌ ସାଇପ୍ରାଇଓଟସ୍‌ ଏବଂ ଟର୍କିସ୍‌ ସାଇପ୍ରାଇଓଟସ୍‌ ମଧ୍ୟରେ ୧୯୭୪ ମସିହାରେ ଘଟିଥିବା ସଂଘର୍ଷ ସମୟରେ ପ୍ରାୟ ୨ଲକ୍ଷ ଲୋକ ବାସହରା ହୋଇଥିଲେ। ମୁନୁରଙ୍କର ଜଣେ ୮୭ ବର୍ଷୀୟ ଭଉଣୀ କହନ୍ତି ଯେ ତାଙ୍କ ଭାଇ ଅହମେତ୍‌ ତୁର୍କୀସ୍‌ ରେଜିଷ୍ଟାନ୍‌ସ୍‌ ଅର୍ଗାନାଇଜେସନ୍‌ରେ ଯୋଗ ଦେଇଥିଲେ।

ଗଛଟିକୁ ୨୦୧୧ ମସିହାରେ ଜଣେ ଗବେଷକ ଦେଖିଥିଲେ। ବିଦେଶୀ ଗଛଟି କେମିତି ପାହାଡ଼ିଆ ଗୁମ୍ଫାରେ ଉଠିଲା ତାହା ଜାଣିବାକୁ ତାଙ୍କର କୌତୂହଳ ହୋଇଥିଲା। ଗଛ ଚାରିପଟେ ଖୋଳାଖୋଳି ଏବଂ ଗବେଷଣା କରିବା ପରେ ସେଥିରୁ ମଣିଷ ଶବ ପାଇ ଆଚମ୍ବିତ ହୋଇ ଯାଇଥିଲେ। ଆହୁରି ଖୋଳିବା ପରେ ପୁଲିସ ସମୁଦାୟ ୩ଟି ଶବ ଉଦ୍ଧାର କରିଥିଲା।

ଡିମିରିଗଛ ଉଠିଥିବା ମଣିଷ ଶବର ରକ୍ତ ଓ ଡିଏନ୍‌ଏ ନମୂନା ତାଙ୍କ ପରିବାର ଲୋକଙ୍କ ସହ ମେଳ ଖାଇଥିଲା।

ସମ୍ବନ୍ଧିତ ଖବର