ମୁସଲିମ୍‌ ଗୋ ଭକ୍ତଙ୍କ ୧୨୦୦୦ କିମି ପଦଯାତ୍ରା

ବାରାଣାସୀ: ଗୋ ରକ୍ଷାକୁ ନେଇ ହିଂସାକାଣ୍ଡ ଏବଂ ରାଜନୀତି ଦିନକୁ ଦିନ ବୃଦ୍ଧି ପାଉଥିବାବେଳେ ଜଣେ ମୁସଲିମ୍‌ ନାଗରିକ ମହମ୍ମଦ ଫୈଜ୍‌ ଖାନ୍‌ ଗୋରକ୍ଷା ପାଇଁ ଯେଉଁ ଉପାୟ ଆପଣାଇଛନ୍ତି ତାହା ନିଶ୍ଚିତ ବିସ୍ମୟ ସୃଷ୍ଟି କରିଛି। ଗୋରକ୍ଷା ନେଇ ବ୍ୟାପକ ଜନସଚେତନତା ସୃଷ୍ଟି କରିବା ଲାଗି ସେ ୧୨୦୦୦ କିମିର ପଦଯାତ୍ରା ଆରମ୍ଭ କରିଛନ୍ତି। ଲେହଠାରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ଏହି ୧୨,୦୦୦ କିମିର ପଦଯାତ୍ରାରେ ସେ ଲୋକମାନଙ୍କୁ ଗୋରକ୍ଷା, ଗୋପାଳନ, ଦୁଗ୍ଧ ଏବଂ ଦୂଗ୍ଧ ଜାତ ଦ୍ରବ୍ୟର ଔଷଧିୟ ଗୁଣ ସମ୍ପର୍କରେ ସଚେତନ କରାଉଛନ୍ତି। ରାୟପୁରର ଫୈଜ୍‌ ଗତ ଜୁନ୍‌ ୨୪ ତାରିଖରେ ସିନ୍ଧୁ ଦର୍ଶନ ଉତ୍ସବ ଅବସରରେ ଲେହଠାରୁ ଏହି ଯାତ୍ରା ଆରମ୍ଭ କରିଥିଲେ। ଇତିମଧ୍ୟରେ ସେ ୨,୧୦୦ କିମି ଅତିକ୍ରମ କରି ବାରାଣାସୀରେ ପହଞ୍ଚିଛନ୍ତି। ବାରାଣାସୀରେ ପହଞ୍ଚିବାପରେ ସେ ଏଠାରେ ୪ଦିନ ରହି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। ତେବେ ପ୍ରତ୍ୟେକଦିନ ୨୦-୨୫ କିମି ବାଟ ଅତିକ୍ରମ କରିବାର ଲକ୍ଷ୍ୟ ରଖି ଫୈଜ୍‌ ଜାନୁଆରୀ ୨୦୧୯ରେ ଅମୃତସରରେ ପହଞ୍ଚିବେ ବୋଲି ଆଶା ରଖିଛନ୍ତି। ବାରାଣାସୀରୁ ମୁଗଲସରାଇ ଅଭିମୁଖେ ଯାତ୍ରା ଆରମ୍ଭ କରି ଫୈଜ୍‌ କହିଛନ୍ତି ଯେ ଦୁଇଟି ପର୍ଯ୍ୟାୟରେ ତାଙ୍କ ଯାତ୍ରା ଶେଷ ହେବ। ପ୍ରଥମ ପର୍ଯ୍ୟାୟରେ ସେ ଜମ୍ମୁ କଶ୍ମୀର, ହିମାଚଳ ପ୍ରଦେଶ, ପଞ୍ଜାବ, ଉତ୍ତରାଖଣ୍ଡ, ଉତ୍ତରପ୍ରଦେଶ, ବିହାର, ପଶ୍ଚିମବଙ୍ଗ, ଓଡ଼ିଶା, ଝାଡ଼ଖଣ୍ଡ, ଛତିଶଗଡ଼, ମହାରାଷ୍ଟ୍ର, ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ ଏବଂ ତାମିଲନାଡ଼ୁ ଅତିକ୍ରମ କରିବେ ଏବଂ ଦ୍ୱିତୀୟ ପର୍ଯ୍ୟାୟରେ କନ୍ୟାକୁମାରୀରୁ ଅମୃତସର ଯାତ୍ରା ମଧ୍ୟରେ ସେ କେରଳ, କର୍ଣ୍ଣାଟକ, ଗୋଆ, ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ଗୁଜରାଟ, ରାଜସ୍ଥାନ, ହରିୟାଣା, ଦିଲ୍ଲୀ ଏବଂ ପଞ୍ଜାବ ଅତିକ୍ରମ କରିବେ।

ସମ୍ବନ୍ଧିତ ଖବର