ଥାଲାସେମିଆ ପୀଡ଼ିତ ୮ ବର୍ଷିୟ ବାଳକକୁ ରକ୍ତ ଦେବା ପାଇଁ ରୋଜା ଭାଙ୍ଗିଲେ ମୁସଲମାନ ରକ୍ତଦାତା

ପାଟନା: ଥାଲାସେମିଆରେ ପୀଡ଼ିତ ୮ ବର୍ଷିୟ ବାଳକ ପୁନିତ କୁମାରଙ୍କୁ ରକ୍ତ ଦେବା ପାଇଁ ମଙ୍ଗଳବାର ଦିନ ରମଜାନ୍‌ ଉପବାସ ଭଙ୍ଗ କରିଥିଲେ ଗୋପାଳଗଞ୍ଜର ଜାେଓ୍ଵଦ୍‌ ଆଲାମ୍‌।

ଭୁପେନ୍ଦ୍ର କୁମାରଙ୍କ ପୁଅ ପୁନିତ୍‌ର ହେମୋଗ୍ଲୋବିନ୍‌ ସ୍ତର କମିଯିବାରୁ ତାକୁ ତୁରନ୍ତ ଗୋପାଳଗଞ୍ଜ ସଦର ଡାକ୍ତରଖାନାକୁ ନିଆଯାଇଥିଲା। ତା’ର ତୁରନ୍ତ ବ୍ଲଡ୍‌ ଟ୍ରାନ୍‌ସ୍‌ଫ୍ୟୁଜନ୍‌ ଆବଶ୍ୟକ ପଡ଼ିଲା। କିନ୍ତୁ ସେ ଆବଶ୍ୟକ କରୁଥିବା ଏ+ ବ୍ଲଡ୍‌ ଡାକ୍ତରଖାନାର ବ୍ଲଡ୍‌ ବ୍ୟାଙ୍କ୍‌ରେ ନ ଥିଲା। ତା’ ପରିବାରରେ କାହାରି ରକ୍ତ ମଧ୍ୟ ଏ+ ନ ଥିଲା। ହସ୍‌ପିଟାଲ୍‌ ବୋର୍ଡରେ ପ୍ରଦର୍ଶିତ ହୋଇଥିବା ଏକ ରକ୍ତଦାନକାରୀ ସୋସାଇଟିର ନମ୍ବରରେ ଯୋଗାଯୋଗ କରିବାକୁ ଜଣେ ଝାଡୁଦାର ଭୂପେନ୍ଦ୍ରଙ୍କୁ କହିଲେ।

ଭୂପେନ୍ଦ୍ର ଡିଷ୍ଟ୍ରିକ୍ଟ୍‌ ବ୍ଲଡ୍‌ ଡୋନର୍‌ ଟିମ୍‌ର ସଦସ୍ୟ ଅନ୍‌ଓ୍ଵାର୍‌ ହୁସେନ୍‌ଙ୍କ ସହ ଯୋଗାଯୋଗ କରିବାରୁ ସେ ଏ+ ବ୍ଲଡ୍‌ ଗ୍ରୁପ୍‌ ଥିବା ଜାେଓ୍ଵଦ୍‌ ଅଲାମ୍‌ ନାମକ ଅନ୍ୟ ଜଣେ ସଦସ୍ୟଙ୍କ ସହ ଯୋଗାଯୋଗ କଲେ। ଆଲାମ ଡାକ୍ତରଖାନାକୁ ଧାଇଁ ଗଲେ। କିନ୍ତୁ ସେ ରୋଜା ରଖି ଥିବାରୁ ତାଙ୍କ ଠାରୁ ରକ୍ତ ନେବାକୁ ମନା କଲେ ଡାକ୍ତରଖାନାର କର୍ମଚାରୀମାନେ।

ତେଣୁ ରକ୍ତ ଦାନ କରିବାକୁ ଜାେଓ୍ଵଦ୍‌ ରୋଜା ଭାଙ୍ଗିଦେଲେ।

ଥାଲାସେମିଆରେ ପୀଡ଼ିତ ହୋଇ ଜନ୍ମିଥିବା ଲୋକେ ସୁସ୍ଥ ଲୋହିତ ରକ୍ତ କଣିକା ଉତ୍ପାଦନ ପାଇଁ ଆବଶ୍ୟକ ସ୍ୱାଭାବିକ ହେମୋଗ୍ଲୋବିନ୍‌ ତିଆରି କରି ପାରନ୍ତି ନାହିଁ। ତେଣୁ ଥାଲାସେମିଆ ପୀଡ଼ିତ ବ୍ୟକ୍ତିଙ୍କ ପାଇଁ ନିୟମିତ ବ୍ଲଡ୍‌ ଟ୍ରାନ୍‌ସ୍‌ଫ୍ୟୁଜନ୍‌ ହିଁ ସମ୍ପ୍ରତି ଏକମାତ୍ର ଚିକିତ୍ସା।

ସମ୍ବନ୍ଧିତ ଖବର