ଜଣେ ଯବାନଙ୍କ ଦୁଇଦିନର ଶିଶୁକୁ ବଞ୍ଚାଇବା ପାଇଁ ପୁଣି ଜଣେ ମୁସଲମାନ ବ୍ୟକ୍ତି ଭାଙ୍ଗିଲେ ରୋଜା

ବିହାର: ଦରଭଙ୍ଗାରେ ରହୁଥିବା ମହମ୍ମଦ ଅସଫାକ ନାମକ ଜଣେ ବ୍ୟକ୍ତି ସମସ୍ତଙ୍କ ପାଇଁ ପ୍ରେରଣା ସୃଷ୍ଟି କରିଛନ୍ତି। ଅସଫାକ୍‌ ନିଜର ରୋଜା ଭଙ୍ଗ କରି ଦୁଇଦିନର  ଶିଶୁର ଜୀବନ ବଞ୍ଚାଇଛନ୍ତି। କାରଣ ଏହି ଶିଶୁଟିକୁ ରକ୍ତର ବହୁ ଆବଶ୍ୟକତା ଥିଲା। ଫଳରେ ଅସଫାକ୍‌ ନିଜର ରମଜାନ୍‌ ଉପବାସ ଭାଙ୍ଗି ଶିଶୁକୁ ରକ୍ତଦାନ କରି ତାହାର ଜୀବନ ରକ୍ଷା କରି ପାରିଛନ୍ତି। ଏହି ଘଟଣାପରେ କେବଳ ଯେ ଦରଭଙ୍ଗାରୁ ତାହା ନୁହେଁ ପୂରା ବିହାରରେ ଅସଫାକ୍‌ଙ୍କ ପାଖକୁ ପ୍ରଶଂସାର ସୁଅ ଛୁଟି ଆସୁଛି।

ସୂଚନାଯୋଗ୍ୟ, ସଶସ୍ତ୍ର ସୀମା ବଳ(ଏସଏସବି)ର ଯବାନ ରମେଶ ସିଂହଙ୍କ ଦୁଇଦିନର ଶିଶୁର ଶରୀରାବସ୍ଥା ଶଙ୍କଟାପନ୍ନ ଥିଲା। ପିଲାକୁ ‘ଓ’ ନେଗେଟିଭ୍‌ ରକ୍ତର ବହୁ ଆବଶ୍ୟକତା ଥିଲା। ଅସଫାକ୍‌ ଶିଶୁକୁ ରକ୍ତ ଦରକାର ଜାଣିବା ପରେ ଏହାକୁ ନିଜର କର୍ତ୍ତବ୍ୟ ମନେକରି ରକ୍ତ ଦେବାକୁ ଆଗେଇ ଆସିଥିଲେ।

ଏହି ଘଟଣାକୁ ନେଇ ଅସଫାକ୍‌ କହନ୍ତି, ରମଜାନ୍‌ ମାସ ହୋଇଥିବା ହେତୁ ମୋର ରୋଜା ଥିଲା। ମୋର ଉପବାସ ଆଗରେ କାହାର ଜୀବନ ବଞ୍ଚାଇବା  ପ୍ରଥମ କର୍ତ୍ତବ୍ୟ ଥିଲା। ମୁଁ ଯେତେବେଳେ ଜାଣିଲି ଜଣେ ଯବାନଙ୍କ ପିଲାର ଏଭଳି ଅବସ୍ଥା, ମୁଁ ସମୟ ବିଳମ୍ବ ନକରି ଶିଶୁକୁ ରକ୍ତ ଦେବା ପାଇଁ ଆଗେଇ ଆସିଥିଲି। ରକ୍ତ ଦେବାକୁ ହେଲେ କିଛି ଖାଦ୍ୟ ଖାଇବାକୁ ପଡ଼ିଥାଏ। ରୋଜା ଥିବା ହେତୁ ମୁଁ ପାଣି ପିଇ ନଥିଲି। ତେଣୁ ରୋଜା ଭାଙ୍ଗି କିଛି ଖାଦ୍ୟ ଖାଇ ରକ୍ତ ଦେଇଥିଲି।

ଏହା ପ୍ରଥମ ଘଟଣା ନୁହେଁ, ଏହା ପୂର୍ବରୁ ପାଟନାରେ ଥାଲାସେମିଆରେ ପୀଡ଼ିତ ୮ ବର୍ଷିୟ ବାଳକ ପୁନିତ କୁମାରଙ୍କୁ ରକ୍ତ ଦେବା ପାଇଁ ଗତ ମଙ୍ଗଳବାର ଦିନ ରମଜାନ୍‌ ଉପବାସ ଭଙ୍ଗ କରିଥିଲେ ଗୋପାଳଗଞ୍ଜର ଜାେଓ୍ଵଦ୍‌ ଆଲାମ୍‌।

ଭୁପେନ୍ଦ୍ର କୁମାରଙ୍କ ପୁଅ ପୁନିତ୍ର ହେମୋଗ୍ଲୋବିନ୍‌ ସ୍ତର କମିଯିବାରୁ ତାକୁ ତୁରନ୍ତ ଗୋପାଳଗଞ୍ଜ ସଦର ଡାକ୍ତରଖାନାକୁ ନିଆଯାଇଥିଲା। ତା’ର ତୁରନ୍ତ ବ୍ଲଡ୍‌ ଟ୍ରାନ୍‌ସ୍ଫ୍ୟୁଜନ୍‌ ଆବଶ୍ୟକ ପଡ଼ିଲା। କିନ୍ତୁ ସେ ଆବଶ୍ୟକ କରୁଥିବା ଏ+ ବ୍ଲଡ୍‌ ଡାକ୍ତରଖାନାର ବ୍ଲଡ୍‌ ବ୍ୟାଙ୍କ୍‌ରେ ନ ଥିଲା। ତା’ ପରିବାରରେ କାହାରି ରକ୍ତ ମଧ୍ୟ ଏ+ ନ ଥିଲା। ହସ୍ପିଟାଲ୍‌ ବୋର୍ଡରେ ପ୍ରଦର୍ଶିତ ହୋଇଥିବା ଏକ ରକ୍ତଦାନକାରୀ ସୋସାଇଟିର ନମ୍ବରରେ ଯୋଗାଯୋଗ କରିବାକୁ ଜଣେ ଝାଡୁଦାର ଭୂପେନ୍ଦ୍ରଙ୍କୁ କହିଲେ।

ଭୂପେନ୍ଦ୍ର ବ୍ଲଡ୍‌ ଡୋନର୍‌ ଟିମ୍‌ର ସଦସ୍ୟ ଅନ୍‌ଓ୍ଵାର୍‌ ହୁସେନ୍‌ଙ୍କ ସହ ଯୋଗାଯୋଗ କରିବାରୁ ସେ ଏ+ ବ୍ଲଡ୍‌ ଗ୍ରୁପ୍‌ ଥିବା ଜାେଓ୍ଵଦ୍‌ ଅଲାମ୍‌ ନାମକ ଅନ୍ୟ ଜଣେ ସଦସ୍ୟଙ୍କ ସହ ଯୋଗାଯୋଗ କଲେ। ଆଲାମ ଡାକ୍ତରଖାନାକୁ ଧାଇଁ ଗଲେ। କିନ୍ତୁ ସେ ରୋଜା ରଖି ଥିବାରୁ ତାଙ୍କ ଠାରୁ ରକ୍ତ ନେବାକୁ ମନା କଲେ ଡାକ୍ତରଖାନାର କର୍ମଚାରୀମାନେ। ତେଣୁ ରକ୍ତ ଦାନ କରିବାକୁ ଜାେଓ୍ଵଦ ରୋଜା ଭାଙ୍ଗିଦେଲେ।

 

ସମ୍ବନ୍ଧିତ ଖବର